ଭୁଲ୍ ଇଲେକ୍ଟ୍ରି ବିଲ୍ ଆସିଛି କି? ଚିନ୍ତା କରନ୍ତୁ ନାହିଁ, ଜାଣନ୍ତୁ ଅଭିଯୋଗ କରିବାର ସହଜ ଉପାୟ

ପ୍ରତ୍ୟେକ ପରିବାର ପାଇଁ ମାସିକ ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ହେଲେ ଅନେକ ସମୟରେ ଘରର ବିଦ୍ୟୁତ୍ ଖର୍ଚ୍ଚ ତୁଳନାରେ ବିଲ୍‌ର ପରିମାଣ ଅତ୍ୟଧିକ ଅଧିକ ଆସିଥାଏ, ଯାହା ଗ୍ରାହକଙ୍କ ଚିନ୍ତା ବଢାଇଦିଏ। ଯଦି ଆପଣଙ୍କ ସହ ମଧ୍ୟ ଏପରି ଘଟୁଛି, ତେବେ ଏହା କୌଣସି ବୈଷୟିକ ତ୍ରୁଟି ହୋଇପାରେ। ଏଥିପାଇଁ ଚିନ୍ତା ନକରି ସଠିକ୍ ପ୍ରକ୍ରିୟାରେ ଅଭିଯୋଗ କଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ।

କାହିଁକି ଆସେ ଭୁଲ୍ ବିଲ୍?

ସାଧାରଣତଃ ମିଟର ରିଡିଂରେ ତ୍ରୁଟି ଯୋଗୁଁ ଭୁଲ୍ ବିଲ୍ ଆସିଥାଏ। କେତେବେଳେ ମିଟର ରିଡର୍ ଭୁଲ ୟୁନିଟ୍ ନୋଟ୍ କରନ୍ତି ତ ଆଉ କେତେବେଳେ ଆକଳନ ଆଧାରରେ (Estimated) ବିଲ୍ ଜେନେରେଟ୍ ହୋଇଥାଏ। ଏହା ବ୍ୟତୀତ ମିଟର ଖରାପ ଥିଲେ, ପୂର୍ବ ବକେୟା ଯୋଡ଼ି ହୋଇ ଆସିଲେ କିମ୍ବା ସ୍ଲାବ୍ ହାରରେ ଗଡ଼ବଡ଼ ହେଲେ ମଧ୍ୟ ବିଲ୍ ଅଧିକ ଆସିପାରେ। ଅନଲାଇନ୍ ଡାଟା ଅପଡେଟ୍ ସମୟରେ ବୈଷୟିକ ତ୍ରୁଟି ମଧ୍ୟ ଏହାର ଏକ କାରଣ ହୋଇପାରେ।

କେମିତି କରିବେ ଅନଲାଇନ୍ ଅଭିଯୋଗ?

ଯଦି ଆପଣଙ୍କ ବିଲ୍‌ରେ ତ୍ରୁଟି ଥିବା ସନ୍ଦେହ ହେଉଛି, ତେବେ ତୁରନ୍ତ ବିଦ୍ୟୁତ୍ ବଣ୍ଟନ କମ୍ପାନୀର ଅଫିସିଆଲ୍ ଓ୍ବେବ୍‌ସାଇଟ୍ କିମ୍ବା ମୋବାଇଲ ଆପ୍ ଜରିଆରେ ଅଭିଯୋଗ କରିପାରିବେ:

1. ବିଦ୍ୟୁତ୍ ବିଭାଗର ଆପ୍ କିମ୍ବା ୱେବସାଇଟ୍‌ର 'କମ୍ପ୍ଲେନ୍' (Complaint) ସେକ୍ସନ୍‌କୁ ଯାଆନ୍ତୁ।

2. ନିଜର ଗ୍ରାହକ ନମ୍ବର (Consumer Number) ଦିଅନ୍ତୁ।

3. ବିଲ୍ ନମ୍ବର, ବର୍ତ୍ତମାନର ମିଟର ରିଡିଂ ଏବଂ ସମସ୍ୟା ସମ୍ପର୍କରେ ସ୍ପଷ୍ଟ ଭାବରେ ଲେଖି ଅଭିଯୋଗ ଦାଖଲ କରନ୍ତୁ।

ଅଫଲାଇନ୍‌ରେ ସମାଧାନର ବାଟ

ଯଦି ଆପଣ ଅନଲାଇନ୍‌ରେ ଅଭିଯୋଗ କରିବାକୁ ଅସମର୍ଥ, ତେବେ ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟ କିମ୍ବା ସବ୍-ଡିଭିଜନ୍‌କୁ ଯାଇ ଲିଖିତ ଅଭିଯୋଗ ଦେଇପାରିବେ। ଆଜିକାଲି ଅନେକ ସ୍ଥାନରେ ଟୋଲ୍-ଫ୍ରି ନମ୍ବର ଏବଂ ହ୍ବାଟ୍ସଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଉଛି। ଅଭିଯୋଗ ଦାଖଲ ପରେ ଆପଣଙ୍କୁ ଏକ ଟ୍ରାକିଂ ନମ୍ବର ମିଳିବ, ଯାହା ସାହାଯ୍ୟରେ ଆପଣ ସ୍ଥିତି ଯାଞ୍ଚ କରିପାରିବେ।

କିପରି ହୁଏ ସମାଧାନ?

ଅଭିଯୋଗ ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଟର ଏବଂ ବିଲ୍ ଯାଞ୍ଚ କରାଯାଏ। ଆବଶ୍ୟକ ପଡ଼ିଲେ ବିଭାଗୀୟ କର୍ମଚାରୀ ଆସି ପୁନର୍ବାର ମିଟର ରିଡିଂ ନିଅନ୍ତି କିମ୍ବା ମିଟର ପରୀକ୍ଷା କରନ୍ତି। ଯଦି କୌଣସି ତ୍ରୁଟି ଥାଏ, ତେବେ ସଂଶୋଧିତ ବିଲ୍ ଜାରି କରାଯାଏ ଏବଂ ଅଧିକ ନିଆଯାଇଥିବା ଅର୍ଥକୁ ପରବର୍ତ୍ତୀ ବିଲ୍‌ରେ ଆଡଜଷ୍ଟ କରିଦିଆଯାଏ।

About The Author: Tapas Ranjan Nanda