ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପୂର୍ଣ୍ଣକୁମ୍ଭ ସ୍ଥାପନା କରାଯାଏ। ପୂର୍ଣ୍ଣକୁମ୍ଭର ଅନ୍ୟନାମ ହେଉଛି ସୋମ କଳସ, ଚନ୍ଦ୍ର କଳସ, ଇନ୍ଦ୍ର କୁମ୍ଭ, ପୂର୍ଣ୍ଣଘଟ, ଓ ମଙ୍ଗଳ ଘଟ। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ପ୍ରତ୍ୟେକ ଦିବ୍ୟ ବସ୍ତୁ ସହିତ ଅମୃତ କଳସ ମଧ୍ୟ ଉତ୍ପନ୍ନ ହୋଇଥିଲା।
କଳସରେ ସମସ୍ତ ଦେବୀ-ବେଦତା, ସବୁ ତୀର୍ଥ ଓ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସମାହିତ ହୋଇଥାଏ। ତେଣୁ ପ୍ରତ୍ୟେକ ଶୁଭକାର୍ଯ୍ୟ ପୂର୍ବରୁ କଳସ ସ୍ଥାପନା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ପୂର୍ଣ୍ଣ କଳସ କହିଲେ – ପାଣି ଭର୍ତ୍ତି ଥିବା ଗୋଟିଏ ଘଡ଼ା ଓ ତା ଉପରେ ପଞ୍ଚପତ୍ରର ଆମ୍ବପତ୍ର ଓ ନାସିଲଗା ପଇଡ଼ କିମ୍ବା ନଡ଼ିଆ ରଖାଯାଇଥାଏ। ମାଟି, ପିତ୍ତଳ ଓ ତମ୍ବାର କଳସ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। କୁମ୍ଭ ରଖିବା ପୂର୍ବରୁ ଝୋଟି କିମ୍ବା ମୁରୁଜରେ ଅଷ୍ଟଦଳ ପଦ୍ମ ଅଙ୍କନ କରାଯାଇ, ତା’ ଉପରେ ଚାଉଳ ରଖାଯାଏ। ଏହା ଉପରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଇଥାଏ। କଳସର ଆକାର ବ୍ରହ୍ମାଣ୍ଡର ଆକାର ଭଳି ହୋଇଥିବାରୁ କଳସକୁ ବ୍ରହ୍ମାଣ୍ଡର ପ୍ରତୀକ ବୋଲି ବିଶ୍ବାସ କରାଯାଏ। ବେଦ ପୁରାଣରେ କଳସକୁ ପଞ୍ଚ ତତ୍ତ୍ବ ଏବଂ ଶରୀରରେ ଥିବା କୁଣ୍ଡଳିନୀ ଶକ୍ତିର ପ୍ରତୀକ ବୋଲି ଗ୍ରହଣ କରାଯାଇଛି। ଶରୀରରୂପୀ କଳସରେ ପ୍ରାଣରୂପୀ ଜଳ ବିଦ୍ୟମାନ ବୋଲି ଶାସ୍ତ୍ରଜ୍ଞ ପଣ୍ଡିତମାନେ କହିଛନ୍ତି। ତେଣୁ ଯେପରି ପ୍ରାଣବିହୀନ ଶରୀର ଅପବିତ୍ର, ସେଭଳି ରିକ୍ତ କଳସ ଅଶୁଭ ବୋଲି ବିଚାର କରାଯାଏ। ଏହା ବ୍ୟତୀତ କଳସ ଏବଂ ତା’ ଭିତରେ ଥିବା ସ୍ବଚ୍ଛ ଜଳ ଯଥାକ୍ରମେ ଶରୀର ଓ ମନର ସ୍ବଚ୍ଛତାକୁ ପ୍ରତିପାଦିତ କରେ। ତେଣୁ ସବୁବେଳେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଏ ଏବଂ ଏହାକୁ ସୁଖସମୃଦ୍ଧ, ଐଶ୍ବର୍ଯ୍ୟ ଓ ମଙ୍ଗଳ କାମନାର ପ୍ରତୀକ ଭାବେ ଗ୍ରହଣ କରାଯାଇଛି।