ଆର୍ଟିଫିସିଆଲ୍ ସ୍ୱିଟନର୍‌ର ବ୍ୟବହାର: ଡାଇବେଟିସ ରୋଗୀଙ୍କ ପାଇଁ ଭଲ ନା ଖରାପ?

ମିଠା ଖାଇବାକୁ ଭଲ ପାଉଛନ୍ତି, କିନ୍ତୁ ରକ୍ତରେ ଶର୍କରା ବଢ଼ିଯିବା ଭୟରେ ମିଠାଠାରୁ ଦୂରେଇ ରହୁଛନ୍ତି କି? ଯଦି ଆପଣ ଡାଇବେଟିସ ବା ମଧୁମେହରେ ପୀଡ଼ିତ, ତେବେ ଚିନି ବଦଳରେ ଆର୍ଟିଫିସିଆଲ୍ ସ୍ୱିଟନର୍ ବ୍ୟବହାର କରିବାକୁ ଭାବୁଥାଇପାରନ୍ତି। କିନ୍ତୁ ଏହା ପ୍ରକୃତରେ ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ? ଏହା ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ କେତେ ସହାୟକ? ଆସନ୍ତୁ ଜାଣିବା।

ଆର୍ଟିଫିସିଆଲ୍ ସ୍ୱିଟନର୍ ହେଉଛି ଏକ ପ୍ରକାର ଚିନିର ବିକଳ୍ପ, ଯାହା ଅଳ୍ପ ପରିମାଣରେ ମଧ୍ୟ ଅଧିକ ମିଠା ସ୍ୱାଦ ଦେଇଥାଏ। ଅନେକ ସ୍ୱିଟନର୍‌ରେ କ୍ୟାଲୋରି ଓ କାର୍ବୋହାଇଡ୍ରେଟ୍‌ର ପରିମାଣ ବହୁତ କମ୍ କିମ୍ବା ନଗଣ୍ୟ ଥାଏ। ଏହି କାରଣରୁ ଏହାକୁ ସୁଗାର୍-ଫ୍ରି ଟାବଲେଟ୍, ଡାଏଟ୍ ପାନୀୟ ଓ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହାର କରାଯାଏ।

ଆସ୍ପାର୍ଟେମ୍, ସୁକ୍ରାଲୋଜ୍, ସାକାରିନ୍ ଏବଂ ଷ୍ଟିଭିଆ ଭଳି ମିଠା ବିକଳ୍ପ ବଜାରରେ ଉପଲବ୍ଧ। ତେବେ ସମସ୍ତ ସ୍ୱିଟନର୍‌ର ଉପାଦାନ ଓ ପ୍ରଭାବ ସମାନ ନୁହେଁ।

ପ୍ରଥମେ ଜାଣିବା, ଡାଇବେଟିସ ରୋଗୀଙ୍କ ପାଇଁ ଏହା କେତେ ଉପଯୋଗୀ

ସାଧାରଣ ଚିନି, ମିଠା ଚା’, ମିଠା ପାନୀୟ ଓ ଅଧିକ ଚିନିଯୁକ୍ତ ଖାଦ୍ୟ ରକ୍ତରେ ଗ୍ଲୁକୋଜ୍‌ର ସ୍ତର ବଢ଼ାଇପାରେ। ଏହାର ବିକଳ୍ପ ଭାବେ କମ୍ କ୍ୟାଲୋରିଯୁକ୍ତ ସ୍ୱିଟନର୍ ବ୍ୟବହାର କଲେ ଚିନି ଓ କାର୍ବୋହାଇଡ୍ରେଟ୍‌ର ଗ୍ରହଣ କମାଇବାରେ ସହାୟତା ମିଳିପାରେ। ଅନେକ ନନ୍-ନ୍ୟୁଟ୍ରିଟିଭ୍ ସ୍ୱିଟନର୍ ସାଧାରଣତଃ ରକ୍ତରେ ଶର୍କରାର ସ୍ତରକୁ ତୁରନ୍ତ ଅଧିକ ବଢ଼ାଏ ନାହିଁ।

ଆମେରିକାନ୍ ଡାୟାବେଟିସ୍ ଆସୋସିଏସନ୍‌ର ୨୦୨୬ ମସିହାର ପରାମର୍ଶ ଅନୁଯାୟୀ, ମଧୁମେହ ରୋଗୀମାନେ ଚିନିଯୁକ୍ତ ଖାଦ୍ୟ ଓ ପାନୀୟ ବଦଳରେ ସୀମିତ ସମୟ ପାଇଁ ଏବଂ ମଧ୍ୟମ ପରିମାଣରେ ନନ୍-ନ୍ୟୁଟ୍ରିଟିଭ୍ ସ୍ୱିଟନର୍ ବ୍ୟବହାର କରିପାରିବେ। ତେବେ ପାଣି ପିଇବାକୁ ସର୍ବୋତ୍ତମ ବିକଳ୍ପ ଭାବେ ଗୁରୁତ୍ୱ ଦିଆଯାଇଛି।

କିନ୍ତୁ ଏହାର ଅର୍ଥ ନୁହେଁ ଯେ ସ୍ୱିଟନର୍ ବ୍ୟବହାର କଲେ ଡାଇବେଟିସ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବ। ଖାଦ୍ୟପେୟ, ଶାରୀରିକ ବ୍ୟାୟାମ, ଔଷଧ ଏବଂ ନିୟମିତ ରକ୍ତଶର୍କରା ପରୀକ୍ଷାର ଗୁରୁତ୍ୱ ଅପରିବର୍ତ୍ତିତ ରହିଥାଏ।

ଏବେ ପ୍ରଶ୍ନ ଉଠୁଛି, ଏହାର କୌଣସି କ୍ଷତିକାରକ ପ୍ରଭାବ ଅଛି କି?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଅର୍ଥାତ୍ ହୁ’ ୨୦୨୩ ମସିହାରେ ଓଜନ ନିୟନ୍ତ୍ରଣ କିମ୍ବା ଦୀର୍ଘକାଳୀନ ରୋଗର ଆଶଙ୍କା କମାଇବା ପାଇଁ ସ୍ୱିଟନର୍‌କୁ ଏକମାତ୍ର ଉପାୟ ଭାବେ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲା। ଦୀର୍ଘକାଳୀନ ଓଜନ ହ୍ରାସରେ ଏହାର ଲାଭ ସ୍ପଷ୍ଟ ନୁହେଁ। ତେବେ ଏହି ପରାମର୍ଶ ପୂର୍ବରୁ ଡାୟାବେଟିସ୍‌ରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ସିଧାସଳଖ ପ୍ରଯୁଜ୍ୟ ନୁହେଁ।

ଅନ୍ୟପକ୍ଷରେ, ଅନୁମୋଦିତ ସ୍ୱିଟନର୍‌କୁ ନିର୍ଦ୍ଧାରିତ ସୁରକ୍ଷିତ ସୀମା ମଧ୍ୟରେ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ। ଅତ୍ୟଧିକ ବ୍ୟବହାର କରିବା କିମ୍ବା ଏହାକୁ ସବୁ ପ୍ରକାର ମିଠା ଖାଦ୍ୟରେ ଯୋଗ କରିବା ଠିକ୍ ନୁହେଁ। କେତେକ ସ୍ୱିଟନର୍‌ଯୁକ୍ତ ପ୍ୟାକେଟ୍‌ରେ ଅନ୍ୟ ଉପାଦାନ ମଧ୍ୟ ଥାଇପାରେ। ତେଣୁ ଖାଦ୍ୟର ଲେବଲ୍‌ରେ ଥିବା ଉପାଦାନ ଓ କାର୍ବୋହାଇଡ୍ରେଟ୍‌ର ପରିମାଣ ଯାଞ୍ଚ କରିବା ଆବଶ୍ୟକ।

ବିଶେଷ କରି ଆସ୍ପାର୍ଟେମ୍‌ରେ ଫେନାଇଲ୍‌ଆଲାନିନ୍ ନାମକ ଉପାଦାନ ଥିବାରୁ ଫେନାଇଲକିଟୋନୁରିଆ ବା ପିକେୟୁ ନାମକ ବିରଳ ଜେନେଟିକ୍ ରୋଗ ଥିବା ବ୍ୟକ୍ତି ଏହାକୁ ଏଡ଼ାଇବା କିମ୍ବା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୀମିତ କରିବା ଉଚିତ।

ତେବେ ଡାଇବେଟିସ ରୋଗୀମାନେ କ’ଣ କରିବେ?

ବିଶେଷଜ୍ଞଙ୍କ ପରାମର୍ଶ ହେଉଛି, ପ୍ରଥମେ ଚିନିଯୁକ୍ତ ପାନୀୟ ବଦଳରେ ପାଣି, ଚିନି ବିନା ଚା’ କିମ୍ବା ଅନ୍ୟ ଉପଯୁକ୍ତ ପାନୀୟ ବାଛନ୍ତୁ। ଆବଶ୍ୟକ ହେଲେ ଚିନି ବଦଳରେ ଉପଯୁକ୍ତ ସ୍ୱିଟନର୍ ବ୍ୟବହାର କରିପାରିବେ। କିନ୍ତୁ ଏହାର ପରିମାଣ ଓ ଉପଯୋଗିତା ବିଷୟରେ ନିଜ ଡାକ୍ତର କିମ୍ବା ଡାଏଟିସିଆନ୍‌ଙ୍କ ସହ ଆଲୋଚନା କରନ୍ତୁ।

ମନେରଖନ୍ତୁ, ସୁଗାର୍-ଫ୍ରି ଲେଖାଥିବା ଖାଦ୍ୟ ସବୁବେଳେ ସ୍ୱାସ୍ଥ୍ୟକର ହୋଇନଥାଏ। ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରିବା ହେଉଛି ମଧୁମେହ ନିୟନ୍ତ୍ରଣର ମୁଖ୍ୟ ଚାବିକାଠି।

ତେଣୁ ଆର୍ଟିଫିସିଆଲ୍ ସ୍ୱିଟନର୍‌କୁ ସମ୍ପୂର୍ଣ୍ଣ ଭଲ କିମ୍ବା ଖରାପ କହିବା ଠିକ୍ ନୁହେଁ। ଉପଯୁକ୍ତ ପରିମାଣରେ ଏବଂ ଠିକ୍ ଉଦ୍ଦେଶ୍ୟରେ ବ୍ୟବହାର କଲେ ଏହା ଚିନି କମାଇବାର ଏକ ବିକଳ୍ପ ହୋଇପାରେ। କିନ୍ତୁ ସୁସ୍ଥ ଜୀବନଶୈଳୀର ବିକଳ୍ପ ନୁହେଁ।

About The Author: Suryakanta