ଜଗତସିଂହପୁର: ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ । ଜଣେ ୨୨ ବର୍ଷୀୟ ଯୁବକ ନିଜ ସ୍କୁଟିକୁ ପୋଲ ଉପରେ ରଖି ଦେବୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ଘଟଣାଟି ଜଗତସିଂହପୁର ଜିଲ୍ଲା ନୌଗାଁ ଥାନା ଅନ୍ତର୍ଗତ ଶିଖର ଘାଟ ଦେବୀ ନଦୀ ପୋଲ ଉପରେ ଘଟିଛି। ନିଖୋଜ ଯୁବକ ଜଣକ ହେଲେ ତିହୁଡା ଗ୍ରାମର ଶିଖର ପାଢ଼ୀଙ୍କ ପୁଅ ଶୈଳେଶ ପାଢ଼ୀ (୨୨)। ସେ ଆଜି ସକାଳୁ ନିଜ ସ୍କୁଟି ଧରି ଶିଖର ଘାଟ ଦେବୀ ନଦୀ ପୋଲ ନିକଟରେ ପହଞ୍ଚିଥିଲେ। ଏହାପରେ ସେ ନିଜ ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।
ପୋଲ ଉପରେ ଦୀର୍ଘ ସମୟ ଧରି ସ୍କୁଟିଟି ରହିଥିବା ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ତୁରନ୍ତ ଏ ସମ୍ପର୍କରେ ନୌଗାଁ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଶୈଳେଶ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶେଷ ରିପୋର୍ଟ ମିଳିବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।