ବାଲିପାଟଣା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇ ପେଟରେ ବୋତଲ ଭାଙ୍ଗି ପୂରାଇ ଦେଲା ସାନ ଭାଇ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ମୁକୁନ୍ଦଦାଶପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବାଲିପାଟଣା ଥାନା ମୁକୁନ୍ଦଦାଶପୁର ଗ୍ରାମର ଜଗୁ ଭୋଇ । ଆକ୍ରମଣକାରୀ ସାନ ଭାଇ ରାଜା ଭୋଇକୁ ପୁଲିସ ଘରୁ ଉଠାଇ ନେଇ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଜଗୁ ମଦ ପିଇ ଘରେ ହଙ୍ଗାମା କରିଥିଲା। ଏହାକୁ ନେଇ ସାନ ଭାଇ ରାଜା ସହ ତାଙ୍କର ବଚସା ପରେ ମାରପିଟ୍ ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ଜଗୁ ପେଟରେ ଏକ ମଦ ବୋତଲ ଭାଙ୍ଗି ପୂରାଇ ଦେଇଥିଲେ ରାଜା। ଆକ୍ରମଣରେ ଜଗୁ ପେଟର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଏବଂ ପରେ କଟକ ଏସ୍ସିବିକୁ ସ୍ଥାନାନର କରାଯାଇଥିଲା। ଆଜି ସକାଳୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଖବର ପାଇବା ପରେ ବାଲିପାଟଣା ପୋଲିସ ସାନଭାଇ ରାଜାକୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଛି ।