ଭୁବନେଶ୍ୱର: ବିଦେଶିନୀଙ୍କ ପ୍ରେମରେ ପଡ଼ି ଯୁବକ ହେଲେ ସାଇବର ଠକାମିର ଶିକାର। ବିଦେଶରୁ ଦାମୀ ଗିଫ୍ଟ ପଠାଇବା ଲୋଭ ଦେଖାଇ ସାଇବର ଠକ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଯୁବକ ହେଲେ ରାକେଶ ସାମଲ୍। ସେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସାଇବର ଥାନା ପୁଲିସ ଅଭିଯୋଗକୁ ରଖି ତଦନ୍ତ କରୁଛି। ଏପରିକି ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଇଛି। କିନ୍ତୁ ସାଇବର ଠକ ଉକ୍ତ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ପଠାଇ ଅନ୍ଲାଇନ୍ ସପିଂ କରି ଦେଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।
ମିଳିଥିବା ସୂଚନା ଅନୁସାରେ, ରାକେଶଙ୍କ ନିକଟକୁ ଇନ୍ଷ୍ଟାଗ୍ରାମରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆସିଥିଲା। ଏହାକୁ ରାକେଶ ଗ୍ରହଣ କରିବା ପରେ ସେପଟେ ଜଣେ ନିଜକୁ ଜାକ୍ଲିନା ବୋଲି ପରିଚୟ ଦେଇ କଥା ହୋଇଥିଲେ। ସେ ଲଣ୍ଡନରେ ଡାକ୍ତର ଥିବା କହିଥିଲେ। ଓଡ଼ିଶା ବିଷୟରେ ଶୁଣିଛନ୍ତି ତେଣୁ ଓଡ଼ିଶାକୁ ଯାଇ ଲୋକଙ୍କ ସେବା କରିବାକୁ ଇଚ୍ଛା ଥିବା କହିଥିଲେ। ଉଭୟଙ୍କ ମଧ୍ୟରେ କିଛିଦିନ କଥାବାର୍ତ୍ତା ପରେ ପରସ୍ପର ନିକଟତର ହୋଇଥିଲେ। ଏପରିକି ରାକେଶଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହଠାତ୍ ଦିନେ ରାକେଶକୁ ଜାକ୍ଲିନା ଫୋନ୍ କରି ତାଙ୍କ ପାଇଁ ମୂଲ୍ୟବାନ ଗିଫ୍ଟ ପଠାଇବେ ବୋଲି କହିଥିଲେ। ତୁମେ କେବଳ ପ୍ରୋସେସିଂ ଫି’ ଦେଇ ଏହାକୁ ନେଇ ଯିବାକୁ କହିଥିଲେ। ବିଦେଶିନୀ ଫୋନ୍ କରି କହିବାରୁ ଦୁଇ ଦିନ ପରେ ଦିଲ୍ଲୀ ଏୟାରପୋର୍ଟ ନାମରେ ଏକ ଫୋନ୍ କଲ୍ ଆସିଥିଲା। ଜଣେ ଯୁବକ ଫୋନ୍ କରି ଦିଲ୍ଲୀ ବିମାନ ବନ୍ଦରରୁ ଫୋନ କରିଥିବା କହିଥିଲେ। ତୁମ ନାମରେ ଏକ ଗିଫ୍ଟ ଆସିଛି। ତେଣୁ ପ୍ରୋସେସିଂ ଫି’ ବାବଦକୁ ୨୯ ହଜାର ଟଙ୍କା ଦେଇ ଏହାକୁ ନେଇଯିବାକୁ କହିଥିଲେ। ରାକେଶ ୨୯ ହଜାର ଟଙ୍କା ଦେବା ପରେ ପୁଣି ଏକ ଫୋନ୍ କଲ୍ ଆସିଥିଲା। ଜଣେ ବ୍ୟକ୍ତି ଫୋନ୍ କରି ନିଜକୁ କଷ୍ଟମ୍ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ତୁମ ନାମରେ ଏକାଧିକ ବିଦେଶୀ ମୁଦ୍ରା ଆସିଥିବାରୁ ଏଥିଲାଗି ଫାଇନ୍ ବାବଦକୁ ୧ଲକ୍ଷ ଦେବାକୁ ହେବ ବୋଲି କହିଥିଲେ। ଏହିଭଳି ବିଭିନ୍ନ ବାହାନାରେ ୫ଲକ୍ଷ ଟଙ୍କା ତାଙ୍କଠାରୁ ଠକି ନେଇଥିଲେ ସାଇବର ଠକ। ଟଙ୍କା ନେବା ପରେ ପୁଣି ଟଙ୍କା ମାଗିବାରୁ ରାକେଶ ଠକାମିର ଶିକାର ହୋଇଥିବା ଜାଣି ପୁଲିସର ଦ୍ୱାରସ୍ଥ ହୋଇଥିଲେ।