ଭୁବନେଶ୍ୱର: ଆଜିର ଦିନରେ ଅନେକ ପହଁରା ଜାଣି ନାହାନ୍ତି। ଏପରିସ୍ଥଳେ ‘ଜଳ ଯୋଗ’ ହେଉଛି ପ୍ରମୁଖ ବିକଳ୍ପ ଯାହା ଅଭ୍ୟାସ କରିବା ଦ୍ୱାରା ଜଳବୁଡ଼ି ଅପମୃତ୍ୟୁକୁ ଆମେ ରକ୍ଷା ପାଇପାରିବା। ଯେଉଁ ଯୋଗ ପ୍ରତି ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢ଼଼ିବାରେ ଲାଗିଛି।
ଅନ୍ତର୍ଜାତିକ ଜଳ ଯୋଗଗୁରୁ ଅଶୋକ କୁମାର ବରାଳ କୁହନ୍ତି ଏହି ଯୋଗ ମାଧ୍ୟମରେ ଆମେ ପାଣିରେ ଯୋଗ ଓ ପ୍ରାଣାୟମ କରିବା ସହିତ ପାଣିରେ ବସିପାରିବା ଓ ଶୋଇପାରିବା। ଏଭଳି ଭାସିବା ଜାଣିଲେ ପାଣିରେ ବୁଡି କାହାର ମୃତ୍ୟୁ ଘଟିବ ନାହିଁ। ଏହି ଯୋଗାଭ୍ୟାସ କଲେ ପୃଥିବୀରେ ମଣିଷକୁ ମିଶାଇ ଯେତେ ପ୍ରାଣୀ ଅଛନ୍ତି ସମସ୍ତଙ୍କର ଡେନସିଟି ହେଉଛି ପାଣି ଠାରୁ କମ୍। ତେଣୁ ସମସ୍ତେ ଭାସିବେ। ସେ ଆହୁରି କହିଛନ୍ତି ଯେ, ପାଣିରେ ଭାସିବାର କୌଶଳ ଜାଣି ନ ଥିବାରୁ ପ୍ରତି ବର୍ଷ ପାଣି ବୁଡ଼ି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏହି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଜଳ ଯୋଗ ପ୍ରଶିକ୍ଷଣ ଦିଆଯାଉଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ପ୍ରଶିକ୍ଷଣ ନେବା ସହ ବିଶେଷ କରି ଓଡ୍ରାଫ, ଅଗ୍ନିଶମ ଏବଂ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛି। ବନ୍ୟା ହେଉ କିମ୍ବା ଉଦ୍ଧାର କରିବା ବେଳେ ପାଣିର ପ୍ରଖର ସୁଅରେ ଭାସି ଯାଉଥିବା ବେଳେ ଏହି କୌଶଳ ଜାଣିଥିବା ବ୍ୟକ୍ତି କେବେ ବୁଡ଼ିବ ନାହିଁ ବୋଲି ସେ କହିଛନ୍ତି।
ଏନେଇ ଅନ୍ତର୍ଜାତୀୟ ଯୋଗ ଶିକ୍ଷକ ଗଣେଶ୍ୱର ଗୋଚ୍ଛିକାର କହିଛନ୍ତି ଯେ, ସମସ୍ତେ ଯୋଗ କରିବା ନିହାତି ଆବଶ୍ୟକ। କାରଣ ଶରୀର ସହ ମନ ସୁସ୍ଥ ରଖିବା ଉଚିତ୍। ସାରା ବିଶ୍ୱରେ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ମାନସିକ ଚିନ୍ତାରେ ରହୁଛନ୍ତି। ଏଥିରୁ ମୁକ୍ତି ପାଇବାକୁ ହେଲ ଯୋଗ କରିବା ଉଚିତ୍। ଯୋଗ ଓ ପ୍ରାଣାୟମ ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ପାଇପାରିବେ। ଆଜିକାଲି ଘରେ ଘରେ ଅଣ୍ଟା, ଆଣ୍ଠୁ ଓ ମେରୁଦଣ୍ଡ ବିନ୍ଧା ସମସ୍ୟା ଦେଖାଦେଇଛି। ସେହିପରି ବରିଷ୍ଠ ନାଗରିକମାନେ କାଲସିୟମ୍ ଅଭାବରୁ ଅନେକ ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଶିକାର ହେବା ସହ କ୍ରୀଡ଼ାବିତ୍ ଟେନିସ୍ସେଲଭୋର୍ ରୋଗର ଶିକାର ହୋଇଥାନ୍ତି। ଏସବୁରୁ ମୁକ୍ତି ପାଇବାକୁ ଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।