ଜଟଣୀ: ସ୍ୱାମୀଙ୍କ ଅକାଳ ବିୟୋଗକୁ ସାହିପାରିଲେନି ସ୍ତ୍ରୀ । ସ୍ବାମୀଙ୍କର ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ । ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟରତ ଦିଲ୍ଲୀପ ସାମନ୍ତରାୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରିଛନ୍ତି। ଏମିିତି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଂଚଳରେ ।
ସୂଚନା ଅନୁସାରେ, ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ଖୁବଶୀଘ୍ର ୨ ବର୍ଷ ପୂରିଥାନ୍ତା । ଦିଲ୍ଲୀପଙ୍କ ମୃତ୍ୟୁ ହେବା ପରେ ଭାଙ୍ଗି ପଡ଼ିଥିଲେ ସୁନା । ରବିବାର ସୁନାଙ୍କୁ ତାଙ୍କ ବାପଘର ଲୋକେ ନିଜ ସହିତ ନେଇ ଯାଇଥିଲେ । ନୂଆଗାଁ ସ୍ଥିତ ବାପଘରେ ଥିବା ସୁନା ସକାଳେ ଏକ କୋଠରୀ ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା । ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ମାମଲାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟିଥିଲା। ହସ୍ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀପଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା।