ଭୁବନେଶ୍ୱର: ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜଣେ ମହିଳା ଖଣ୍ଡପଡ଼ା ଏସ୍ଡିପିଓଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛନ୍ତି। ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରମାଣ ସେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦେଇସାରିଥିଲେ ମଧ୍ୟ ଏଯାଏଁ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନାହିଁ। ମହିଳା ସଶକ୍ତୀକରଣ ସ୍ଲୋଗାନ୍ ଦେଉଥିବା ଡବଲ୍ ଇଂଜିନ ସରକାରର ଏହା ଅସଲ ମୁଖା ବୋଲି ବିଜେଡି କହିଛି।
ରବିବାର ଶଙ୍ଖଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ଡବଲ ଇଂଜିନ୍ ସରକାରରେ ଦିନକୁଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଥିଲା ବେଳେ ପୁଲିସ ଦ୍ୱାରା ଜଣେ ମହିଳା ଯୌନ ନିର୍ଯାତନାର ଶିକାର ହେବା ଅତ୍ୟନ୍ତ ଲଜ୍ଜା ଓ ଦୁର୍ଭାଗ୍ୟଜନକ। ଥାନାକୁ ଯାଇଥିବା ମହିଳାଜଣଙ୍କ ଖଣ୍ଡପଡ଼ା ଏସ୍ଡିପିଓଙ୍କ ଦ୍ୱାରା ବାରମ୍ୱାର ଯୌନନିର୍ଯାତନାର ଶିକାର ହେବାର ସମସ୍ତ ପ୍ରମାଣ ଗଣମାଧ୍ୟମ ଆଗରେ ଦେଇଥିଲେ ସୁଦ୍ଧା ସରକାର କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବା, ଓଡ଼ିଶା ପୁଲିସ ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଓ ମହିଳା ସଶକ୍ତୀକରଣ ପାଇଁ ଡିଣ୍ଡିମ ପିଟୁଥିବା ଉପ-ମୁଖ୍ୟମନ୍ତ୍ରୀ ଏଭଳି ଘଟଣାରେ ସମ୍ୱେଦନହୀନ ହୋଇପାରୁଛନ୍ତି କିପରି? ନ୍ୟାୟ ନ ମିଳିଲେ, ମହିଳାଜଣଙ୍କ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଉଦ୍ବେଗଜନକ। ସଂପୃକ୍ତ ପୁଲିସ ଅଧିକାରୀ କାହା ଛତ୍ରଛାୟାରେ ସୁରକ୍ଷିତ ଅଛନ୍ତି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ, ପୁଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବ। ତୁରନ୍ତ ଖଣ୍ଡପଡ଼ା ଏସ୍ଡିପିଓଙ୍କୁ ଗିରଫ କରି ଏଭଳି ଘୃଣ୍ୟ କାର୍ଯ୍ୟରେ ସଂପୃକ୍ତି ଲାଗି ତାଙ୍କୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରିଛି।