ବିଧାନସଭାରେ ସରକାରଙ୍କ ଶ୍ୱେତପତ୍ର: ୨୦୨୩ରେ ଶାନ୍ତିପୂର୍ଣ୍ଣ ଥିଲା ରାଜ୍ୟର ଆଇନଶୃଙ୍ଖଳା

ଭୁବନେଶ୍ୱର: ୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗତବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ୱା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନ୍ଦୋଳନ କରିନାହାନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ମୋଟାମୋଟି ଭାବରେ ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ସ୍ଥାନରେ ୪୮ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖା ଦେଇଥିଲେ ହେଁ ପୁଲିସ ଓ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ପ୍ରଶମିତ ହୋଇଛି। ତେବେ ବିଭିନ୍ନ କାରଣ […]

ଭୁବନେଶ୍ୱର: ୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗତବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ୱା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନ୍ଦୋଳନ କରିନାହାନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ମୋଟାମୋଟି ଭାବରେ ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ସ୍ଥାନରେ ୪୮ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖା ଦେଇଥିଲେ ହେଁ ପୁଲିସ ଓ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ପ୍ରଶମିତ ହୋଇଛି। ତେବେ ବିଭିନ୍ନ କାରଣ ପାଇଁ ୨୦୨୩ ମସିହାରେ ପୁଲିସକୁ ମାତ୍ର ୫ଥର ଗୁଳିଚାଳନା କରିବାକୁ ପଡ଼ିଛି। ୨୦୨୩ ମସିହାରେ ମୋଟ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ସେଥିରେ ୧୩୬୨ଟି ହତ୍ୟା, ୨୮୨୭ଟି ଦୁଷ୍କର୍ମ, ୩୭୦ଟି ଡକାୟତି, ୨୯୬୧ଟି ଲୁଣ୍ଠନ, ୧୬୮୫୧ଟି ଚୋରି, ୧୬୫୫ଟି ଦଙ୍ଗା ଓ ୬୧୯୬ଟି ପ୍ରତାରଣା ମାମଲା ରହିଛି ବୋଲି ସରକାର ଶୁକ୍ରବାର ବିଧାନସଭାରେ ଉପସ୍ଥାପନ କରିଥିବା ଶ୍ୱେତପତ୍ରରେ ପ୍ରକାଶ କରିଛନ୍ତି । ସେହିପରି ୨୦୨୩ରେ ରାଜ୍ୟରେ ୬୪ଟି ଅର୍ଥାତ୍‌ ମାସକୁ ହାରାହାରି ୫ଟି ମିଛ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

୨୦୨୩ ମସିହାରେ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ। ଗତବର୍ଷ ମାଓବାଦୀ ଗତିବିଧି ନିୟନ୍ତ୍ରଣାଧୀନ ରହିଛି। ୩ଜଣ ସିପିଆଇ(ମାଓବାଦୀ)ଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ମାଓବାଦୀଙ୍କୁ ଗିରଫ ଏବଂ ୫ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ଶ୍ୱେତପତ୍ର ଅନୁଯାୟୀ ୨୦୨୩ ମସିହାରେ ରୁଜୁ ହୋଇଥିବା ମୋଟ ୧,୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ଲକ୍ଷ ୯୨ହଜାର ୨୩୮ଟି ମାମଲା ସତ । ସେଥିରୁ ୨୦୨୩ ମସିହା ଶେଷସୁଦ୍ଧା ମୋଟ ୧ଲକ୍ଷ ୩୫ହଜାର ୫୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ୨୦୨୩ ମସିହାରେ ମୋଟ ୧୬୮୫୧ଟି ଚୋରି ମାମଲା ମଧ୍ୟରୁ ବର୍ଷ ଶେଷସୁଦ୍ଧା ମାତ୍ର ୬୧୩୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ୯୦୨୫ଜଣ ଅପରାଧୀଙ୍କୁ ଗିରଫ କରାଯାଇ ମାତ୍ର ୪୭କୋଟି ଟଙ୍କାର ଚୋରି ସମ୍ପତ୍ତିକୁ ପୁଲିସ ଉଦ୍ଧାର କରିଛି। ୨୦୨୩ ମସିହାରେ ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୭୬୨ଟି ମାମଲା ସତ ଏବଂ ବର୍ଷ ଶେଷସୁଦ୍ଧା ସେଥିରୁ ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ୨୦୨୩ ମସିହାରେ ୧୩୬୨ଟି ହତ୍ୟା ମାମଲା ରୁଜୁ ହୋଇଛି ଓ ସେଥିରୁ ୫୬୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ରାଜ୍ୟରେ ଯୌତୁକଜନିତ ଆତ୍ମହତ୍ୟାର ୧୦୬ଟି ମକଦ୍ଦମା ରୁଜୁ ହୋଇ ୮୨ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକ ନିର୍ଯାତନାର ୪୮୯୭ଟି ମାମଲା ରୁଜୁ ହୋଇ ୩୪୭୯ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି ।

୨୦୨୨ ତୁଳନାରେ ୨୦୨୩ ମସିହାରେ ମୋଟ ୨୧୭୬୪ଟି ଅଧିକ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି। ସାଇବର ଅପରାଧ ଓ ଠକେଇ ମାମଲା ରୋକିବା ତଥା ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଓଡ଼ିଶା ପୁଲିସ ବିଶେଷ ସଫଳତା ପାଇପାରି ନାହିଁ। ସାଇବର ଲୁଟେରାମାନେ ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟିବାରେ ଲାଗିଥିଲେ ମଧ୍ୟ ଓଡ଼ିଶା ପୁଲିସ ବିଗତ ୩ବର୍ଷ ମଧ୍ୟରେ ସେଥିରୁ ମାତ୍ର ୩.୧୯ ପ୍ରତିଶତ ଅର୍ଥକୁ ଫେରସ୍ତ ଆଣିପାରିଛି। ୨୦୨୨ ମସିହାରେ ରାଜ୍ୟରେ ୧୯୮୩ ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୩ରେ ଏହା ୨୩୪୮କୁ ବୃଦ୍ଧି ପାଇଛି। ସେହିପରି ୨୦୨୨ ତୁଳନାରେ ୨୦୨୩ରେ ଅପରାଧୀଙ୍କ ଗିରଫ ସଂଖ୍ୟା ମଧ୍ୟ ବଢ଼ିଛି। ସେହିପରି ୨୦୨୩ ମସିହାରେ ରାଜ୍ୟରେ ୨୩୬ଥର ରାସ୍ତାରୋକ, ୩୦ଥର ରେଳରୋକ, ୧୮୦୫ଥର ଧାରଣା, ୧୧୭୯ଥର ରାଲି, ୨୦୨୩ଥର ବିକ୍ଷୋଭ କରିଛନ୍ତି।

About The Author: The Sakala