ଭୁବନେଶ୍ୱର: ଧାଡି ସରକାର ଭାବେ କୁଖ୍ୟାତ ଅର୍ଜନ କରିଥିବା ଡବଲ ଇଂଜିନ ସରକାର ପୁଣି ଥରେ ସାଧାରଣ ଲୋକଙ୍କୁ ପଦାରେ ଧାଡି କରି ଠିଆ କରିଛି । ପେଟ୍ରୋଲ ଓ ଡିଜେଲ ପାଇଁ ସାରା ରାଜ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । ବିମୁଦ୍ରିକରଣ ସମୟରେ ଯେଉଁଭଳି ସାଧାରଣ ଲୋକ ବ୍ୟାଙ୍କରେ ଧାଡି ହୋଇ ଠିଆ ହୋଇଥିଲେ, ସେଭଳି ତେଲକୁ ନେଇ ୪ରୁ ୫ ଘଣ୍ଟା ଟାଙ୍କି ସମ୍ମୁଖରେ ଠିଆ ହେଉଛନ୍ତି ଲୋକେ । ଯୋଗାଣ ବିଭାଗ ତଥା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଶ୍ରୀଯୁକ୍ତ ସଂଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ରାଜ୍ୟରେ ସୃଷ୍ଟି ହୋଇଥିବା ଏହି ଅଘୋଷିତ ଆପଦ ପାଇଁ ବିଜେପି ସରକାରଙ୍କ ଅପରିଣାମଦର୍ଶୀ ତଥା ଦିଶାହୀନ ଶାସନ ଦାୟୀ ।
ଶ୍ରୀଯୁକ୍ତ ଦାସବର୍ମା କହିଛନ୍ତି, ରାଜ୍ୟରେ ତେଲ ସମସ୍ୟାକୁ ନେଇ ଯେତେବେଳେ ସାଧାରଣ ଲୋକ ରାଜରାସ୍ତାରେ ଧାଡି କରି ଠିଆ ହେଲେ, ସେତେବେଳେ ଯୋଗାଣମନ୍ତ୍ରୀ ମିଛ ବାହାସ୍ପଟ ମାରି କହିଥିଲେ କୌଣସି ପ୍ରକାର ସମସ୍ୟା ନାହିଁ । ତେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ, କେଉଁଠି ତେଲ ଟାଙ୍କି ବନ୍ଦ ରହିଥିଲା ବେଳେ ଆଉ କେଉଁଠି ଦୁଇଚକିଆ ଗାଡିକୁ ୨ଶହ ଟଙ୍କା ଓ ଚାରି ଚକିଆ ଗାଡିକୁ ୧୦୦୦ ଟଙ୍କାର ତେଲ ଦିଆଯାଉଛି । ତେଲ ଦୁର୍ଦ୍ଦଶାରେ ଜର୍ଜରିତ ହେଲାଣି ସାରା ଓଡିଶା କିନ୍ତୁ ରାଜ୍ୟ ସରକାର ଏହାର ପ୍ରତିକାର କରିବା ପରିବର୍ତ୍ତେ ମିଛ ଫୁଟାଣି ମାରୁଛନ୍ତି । ସରକାର ଏହି ସମସ୍ୟାକୁ କିଭଳି ସମାଧାନ ହେବ ସେଥିପ୍ରତି ଧ୍ୟାନ ନଦେଇ ନିଜର ଦୁଇ ବର୍ଷ ପୂର୍ତ୍ତି କିପରି ପାଳନ କରାଯିବ ସେଥିପାଇଁ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଘନ ଘନ ଚାଲିଛି । ଗୋଟିଏ ପଟେ ରାଜ୍ୟର ଲୋକମାନେ ତେଲ ପାଇଁ ଲମ୍ବା ଧାଡିରେ ଥିବାବେଳେ ବେଡି ଉପରେ କୋରଡା ମାଡ ପରି ତୈଳ ଦର ବୃଦ୍ଧି ଲୋକଙ୍କ ଆର୍ଥୀକ ବୋଝ ବଢାଉଛି । ଯୋଗାଣ ସଚିବ କହୁଛନ୍ତି ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଅନ୍ୟପଟେ ଯୋଗାଣମନ୍ତ୍ରୀ କହୁଛନ୍ତି ତେଲ ମାତ୍ର ୧୩ ଦିନ ପାଇଁ ଗଚ୍ଛିତ ଅଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି, ମନ୍ତ୍ରୀ ଓ ସଚିବଙ୍କ କଥାରେ ତାଳମେଳ ନାହିଁ । ଡବଲ ଇଂଜିନ ସରକାରରେ ଢିଙ୍କିଶାଳ ରୁ ହାଣ୍ଡିଶାଳ ପର୍ଯ୍ୟନ୍ତ ଯେଉଁ ମହଙ୍ଗା ମାଡ ଜନସାଧାରଣଙ୍କୁ ଦେଉଛନ୍ତି ଲୋକେ ଆଗାମୀ ଦିନରେ ଏହାର ଜବାବ ଦେବେ ।
ଡ. ମହାନ୍ତି କହିଛନ୍ତି, ବିଜେପି ଦଳ କ୍ଷମତାରେ ନଥିବା ବେଳେ ଗୋଟିଏ କଥା କହୁଥିଲା ବେଳେ କ୍ଷମତାକୁ ଆସିଲା ପରେ ଆଉ ଗୋଟିଏ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଗତ କାଲି ୩ଟଙ୍କା ତେଲ ଦର ବୃଦ୍ଧି ପାଇଛି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଭାଟ ହ୍ରାସ ଓ ଜିଏସ୍ଟିରେ ପେଟ୍ରୋଲ ଓ ଡିଜେଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚିକ୍ରାର କରୁଥିଲେ । କିନ୍ତୁ ଆଜି ସେମାନେ କ୍ଷମତାରେ ଥାଇ ସେହିକଥାକୁ କାହିଁକି ପାଳନ କରୁନାହାନ୍ତି? ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଜେପି ହେଉଛି ଦୋମୁହାଁ । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୫୦ରୁ ୬୦ ଟଙ୍କା ଥିଲା ବେଳେ ତୈଳ ଦର ନକମାଇ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନିର୍ଦ୍ଦିଷ୍ଟ କମ୍ପାନୀ ମୁନାଫା କମାଇଥିଲେ । ଆଜି ଯେତେବେଳେ ଅଶୋଧିତ ତୈଳ ବୃଦ୍ଧି ହେଉଛି ସେତେବେଳେ ତେଲ କମ୍ପାନୀ ମାନଙ୍କୁ ମୁନାଫା ଦେବା ପାଇଁ ଲୋକଙ୍କ ଉପରେ ୩ଟଙ୍କା ତୈଳ ଦର ବୃଦ୍ଧି କରିଛି ବିଜେପି ସରକାର । ଏଥିରୁ ସ୍ପଷ୍ଟ ହେଉଛି ବିଜେପିର ଅସଲ ଚିତ୍ରଚରିତ୍ର ।
ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁ ସାଧାରଣ ଜନତା ଆଜି ୪୦ ଡିଗ୍ରୀ ଖରାରେ ଧାଡିରେ ଠିଆ ହେଉଛନ୍ତି । ଋଷିଆ ଭଳି ମିତ୍ର ଦେଶମାନେ ଆମକୁ ଶସ୍ତାରେ ଅଶୋଧିତ ତୈଳ ଦେବା ପାଇଁ ରାଜି ଥିଲା ବେଳେ କେଉଁ ଅଜଣା ଶକ୍ତି କାରଣରୁ ପ୍ରଧାନମନ୍ତ୍ରୀ ଭୟଭିତ ହୋଇ ଆମେରିକା ନିଦେ୍ର୍ଦଶରେ ଋଷିଆ ବଦଳରେ ଅନ୍ୟ ଦେଶରୁ ତେଲ କ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି । ତାହା ଦେଶବାସୀଙ୍କୁ ସ୍ପଷ୍ଟ କରନ୍ତୁ । ତେଲ ସମସ୍ୟାକୁ ନେଇ ଲାଗି ରହିଥିବା ଦୁର୍ଦ୍ଦଶା ଯଦି ଆଗାମୀ ଦିନରେ ନସୁଧୁରେ ତାହା ହେଲେ ବିଜେଡି ଲୋକଙ୍କ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ।