ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବୋଲି ସୋମବାର ସକାଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୫:୩୦ ମିନିଟ୍ ସମୟରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ସୁଦୃଶ୍ୟ ଲଘୁଚାପ ରୂପେ ଅବସ୍ଥାନ କରୁଛି।
ଏହି ସିଷ୍ଟମ୍ ଆହୁରି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତ (ଡିପ୍ରେସନ୍) ରୂପ ନେବ। ଅବପାତରେ ପରିଣତ ହେବା ପରେ ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତ (ଡିପ୍ ଡିପ୍ରେସନ୍)ରେ ପରିଣତ ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ସିଷ୍ଟମ୍ କ୍ରମାଗତ ଭାବେ ଗତି କରି ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅତିକ୍ରମ କରିବ। ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ପ୍ରବଳ ସମ୍ଭାବନା ରହିଛି।
ଏହାର ପ୍ରଭାବରରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ୨୩ ସେପ୍ଟେମ୍ବର ରାତିରେ ଏହି ଅବପାତ ଗଞ୍ଜାମ କିମ୍ବା ପୁରୀ ଜିଲ୍ଲାର ଚିଲିକା ନିକଟବର୍ତ୍ତୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି । ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା । ତେଣୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି। ଆସନ୍ତାକାଲି ଠାରୁ ୨୪ ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।