ଲକ୍ଷ୍ମୀ ସାଗର: ଗତ ୧୩ ତାରିଖ ସନ୍ଧ୍ୟାରେ ଆମ ବିଦ୍ୟାଳୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୪୩ ତମ ବାର୍ଷିକ ଉତ୍ସବ ବହୁ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ମହୋଦୟ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ, ଟ୍ରଷ୍ଟି ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି, ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ, ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାପତି ଡକ୍ଟର ପୀତବାସ ତ୍ରିପାଠୀ ଓ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏତଦ୍ବ୍ୟତୀତ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ ଓ ଅନେକ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।
ସନ୍ଧ୍ୟା ବେଳେ ଆୟୋଜିତ ଉତ୍ସବର ଆରମ୍ଭ ଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ସଙ୍ଗୀତ ସହ ହୋଇଥିଲା ଏବଂ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ (ବିଦ୍ୟାଳୟର ସଭାପତି) ସଭାପତିତ୍ୱ କରିଥିଲେ। ଇଂରାଜୀ ମାଧ୍ୟମର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୃଣ୍ମୟୀ ମହାପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ବର୍ଷର ବିଭିନ୍ନ ଶିକ୍ଷାମୂଳକ, କ୍ରୀଡ଼ା ଓ ସାହିତ୍ୟିକ ସଫଳତା ବିଷୟରେ ଅବଗତ କରାଇଥିଲେ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଙ୍ଗୀତିକ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଦର୍ଶକମାନଙ୍କର ମନ ଓ ହୃଦୟ ଜିତିଥିଲେ। ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ହସ୍ତରେ ପୁରସ୍କୃତ କରାଯାଇଥିଲା।
ମୁଖ୍ୟ ଅତିଥି ତାଙ୍କ ଉଦ୍ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଲକ୍ଷ୍ୟ ଧାରଣ କରି ଶିକ୍ଷା ଓ ଶିକ୍ଷାଗୁରୁରେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥିଲେ। ଏତଦ୍ବ୍ୟତୀତ ବିଦ୍ୟାଳୟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ, ଟ୍ରଷ୍ଟି ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି, ବିଦ୍ୟାଳୟର ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ।
କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ଏକାଡେମିକ ସୁପରଭାଇଜର ଶ୍ରୀମତୀ ସୁପ୍ରିୟା ଦାସଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।