ବନପାଳଙ୍କୁ ଜୋତାରେ ପିଟିଲେ ଗ୍ରାମବାସୀ, ଉଦ୍ଧାର କରିବାକୁ ଯାଇଥିବା ACFଙ୍କୁ ମଧ୍ୟ ମାଡ

ରାଇରଙ୍ଗପୁର/କରଞ୍ଜିଆ: ଶ୍ରମିକଙ୍କ ବକେୟା ଟଙ୍କା ପ୍ରଦାନ ଦାବିରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବନ କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀମାନେ ବନପାଳଙ୍କୁ ଜୋତାରେ ନିର୍ଧୁମ ମାଡ଼ ମାରୁଥିବା ବେଳେ ଅଟକାଇବାକୁ ଯାଇଥିବା ଅତିରିକ୍ତ ବନ ସଂରକ୍ଷକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବରେହିପାଣି ରେଞ୍ଜ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି।

ବନ ବିଭାଗ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶ୍ରମିକ ଭାବେ କାମ କରିଥିଲେ। କିନ୍ତୁ ତାଙ୍କର ବକେୟା ଟଙ୍କା ବନ କର୍ମଚାରୀମାନେ ପ୍ରଦାନ କରୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବକେୟା ମଜୁରୀ ଟଙ୍କା ପାଇଁ ନିର୍ଧୁମ ପିଟିଛନ୍ତି। ବରେହିପାଣି ରେଞ୍ଜ ବନପାଳ କାଳୀଚରଣ ନାଏକ ଓ ଚହଲା ଅତିରିକ୍ତ ବନ ସଂରକ୍ଷକ ଲମ୍ବୋଦର ବାସ୍କେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଲୋକେ ବକେୟା ଟଙ୍କା ପ୍ରଦାନ ଦାବିରେ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ହଠାତ୍‌ ବନପାଳଙ୍କୁ ଦେଖି କାର୍ଯ୍ୟାଳୟକୁ ଧସେଇ ପଶି ଆକ୍ରମଣ କରିଥିଲେ। ଜୋତାରେ ମାଡ଼ ମାରିବା ସହ ଠେଲାପେଲା କରିଥିଲେ। ଏହାର ଏକ ଭିଡିଓ ମୋବାଇଲ୍‌ରେ କଏଦ ହୋଇଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏ ଘଟଣାକୁ ନେଇ ଥାନାରେ ବନ ବିଭାଗ ପକ୍ଷରୁ କୌଣସି ଅଭିଯୋଗ ହୋଇଥିବାର ସୂଚନା ନାହିଁ। ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିଜସ୍ୱ ଅଞ୍ଚଳରେ ବନ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି।

About The Author: Madhusudan Das