ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

ଭୁବନେଶ୍ୱର: ଦିନ କେଇଟା ପରେ ଆସିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପର୍ବକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା। ମା’ଙ୍କ ପାଖରେ ନବାନ୍ନ ଲାଗିହେବ। ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟ ଦେବତାଙ୍କ ପାଖରେ ଲାଗି କରିବ। ଏହା ପରେ ଘରେ ଘରେ ସମସ୍ତେ ନୂଆ ଖାଇବେ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଘରଦ୍ୱାର ଲିପାପୋଛାଠାରୁ ଆରମ୍ଭ କରି ଲୁଗାପଟା ଧୁଆଧୋଇ, ପୂଜା ସାମଗ୍ରୀ ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି ଲୋକେ। 

କଳାହାଣ୍ଡିରେ ନୂଆଁଖାଇ ପାଳନର ରହିଛି ସ୍ୱତନ୍ତ୍ର ପରମ୍ପରା। ଏଠାରେ ନୂଆଁଖାଇ ୬ଟି ପର୍ଯ୍ୟାୟରେ ପାଳିତ ହୋଇଥାଏ। ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ଏହି ପର୍ବ। ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ। ଚାଷୀ ନିଜ ଜମିର ପ୍ରଥମ ଧାନକୁ ଅମଳ କରି ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ। ନୂଆ ଧାନରେ ପ୍ରସ୍ତୁତ ଚୁଡ଼ା ଓ ଅନ୍ନ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲାଗିବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇଥାନ୍ତି। ନୂଆଁଖାଇ ପାଳନ ପାଇଁ ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ମଧ୍ୟ ନିଜ ଘରକୁ ଫେରିଥାନ୍ତି। ନୂଆଁଖାଇ ଦିନ ନୂଆ ପୋଷାକ ପିନ୍ଧି ପରସ୍ପରକୁ ‘ନୂଆଁଖାଇ ଜୁହାର’ କରିବା ସହ ଆଶୀର୍ବାଦ ନେବାର ପରମ୍ପରା ରହିଛି।

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ମଧ୍ୟ ନୂଆଁଖାଇ ପାଇଁ ଘରେ ଘରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଘରଦ୍ୱାର ଲିପାପୋଛା ସହ ମାଣ, ଅଡ଼ା, କୁଲା ଭଳି ପୂଜାରେ ବ୍ୟବହୃତ ସାମଗ୍ରୀକୁ ଧୁଆଧୋଇ କରି ସଜାଡ଼ି ରଖୁଛନ୍ତି ଲୋକେ।  ନୂଆଁଖାଇ ପରେ ଆରମ୍ଭ ହୁଏ ଭାଇଚାରା ଓ ସମ୍ପର୍କର ଅନ୍ୟତମ ପର୍ବ ‘ନୂଆଁଖାଇ ଭେଟଘାଟ’। ପରିବାର, ବନ୍ଧୁ ଓ ସମ୍ପର୍କୀୟମାନେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନୂଆଁଖାଇର ଖୁସି ବାଣ୍ଟିଥାନ୍ତି। ପରମ୍ପରା, ଭାଇଚାରା ଓ କୃଷିଭିତ୍ତିକ ସଂସ୍କୃତିର ଏହି ମହାନ ପର୍ବକୁ ନେଇ ଏବେ ପଶ୍ଚିମ ଓଡ଼ିଶାରେ ଉତ୍ସାହର ମାହୋଲ।

About The Author: Madhusudan Das