ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଝରାପାଲ୍ଲୀ ରାଜସ୍ୱ ନିରୀକ୍ଷକ (RI)ସୁରଜ ବାଲା । ଜାତିଗତ ପ୍ରମାଣପତ୍ର ପାଇଁ ୮ ହଜାର ଲାଞ୍ଚ ନେଲା ବେଳେ ସୁରଜଙ୍କ ମାଡିବସିଲା ଭିଜିଲାନ୍ସ ବିଭାଗ । ନିଜ କାର୍ଯ୍ୟାଳୟରେ ଜଣେ ଆବେଦନକାରୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ରଙ୍ଗେହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଆବେଦନକାରୀ ଜଣକ ନିଜ ପତ୍ନୀଙ୍କ ନାମରେ ଏକ ଅନୁସୂଚିତ ଜାତି (SC) ପ୍ରମାଣପତ୍ର ପାଇଁ ରାଜସ୍ୱ ବିଭାଗର ନିୟମ ଅନୁଯାୟୀ ଅନ୍ଲାଇନ୍ରେ ଆବେଦନ କରିବା ସହ ଆବଶ୍ୟକୀୟ ଫି' ମଧ୍ୟ ଜମା କରିଥିଲେ। ତେବେ ଉକ୍ତ ଆବେଦନର ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ପାଇଁ ଆର୍ଆଇ ସୁରଜ ବାଲା ଜାଣିଶୁଣି ବିଳମ୍ବ କରିଥିଲେ ଏବଂ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମେ ୮ ହଜାର ଏବଂ କାମ ସରିବା ପରେ ବାକି ୨ ହଜାର ଟଙ୍କା ଦେବାକୁ ସେ କହିଥିଲେ। ଏଥିରେ ଅତିଷ୍ଠ ହୋଇ ଆବେଦନକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ୮,୦୦୦ ଟଙ୍କା ନେଉଥିବା ସମୟରେ କାବୁ କରିଥିଲେ ଏବଂ ସମସ୍ତ ଟଙ୍କା ଜବତ କରାଯାଇଛି।
ଏହି ଘଟଣା ପରେ ସୁରଜ ବାଲାଙ୍କ ସହ ଜଡିତ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି (DA) ଦିଗରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଆର୍ଆଇ ୨୦୨୩ ମସିହାରେ ମଧ୍ୟ ଅନ୍ୟ ଏକ ମାମଲାରେ ୧୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ, ଯାହାର ବିଚାର ଏବେ ବି ଅଦାଲତରେ ଚାଲିଛି। ଗତ ତିନି ବର୍ଷ ମଧ୍ୟରେ ସେ ଦ୍ୱିତୀୟ ଥର ଲାଞ୍ଚ ନେଇ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।