ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ଫଳରେ ଦୁର୍ନୀତି ଅଭିଯୋଗ ଆସିଲେ ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହ ଭିଜିଲାନ୍ସ ଚଢାଉ କରାଯାଉଛି।
ଆରଡବ୍ଲୁଏସଏସ ଭୁବନେଶ୍ୱର ସର୍କଲର ଯୋଜନା, ମନିଟରିଂ, ଡିଜାଇନ୍ ଏବଂ ଅନୁସନ୍ଧାନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଉଛି। ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢାଉ ଚାଲିଛି। ଭୁବନେଶ୍ୱରର ଖାରବେଳ ନଗରର ଶ୍ରୀରାମ ମାନସନ୍ ଫ୍ଲାଟ ନଂ -୨୦ ଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଆବାସିକ ଘର, ସମ୍ବଲପୁରର ମୋଦୀପଡାଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଏକ ତିନିମହଲା ପୈତୃକ ଘର, ବରଗଡ଼ ଜିଲ୍ଲାର ରୋହିନିୟାଁ, ଭୁବନେଶ୍ବରର ତାଙ୍କ ସରକାରୀ କାର୍ଯ୍ୟାଳୟ, ଖାରବେଳ ନଗର ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ଚଢାଉ ହେଉଛି। ଏହି ଚଢାଉରେ ୫ ଡିଏସ୍ପି, ୧୨ ଇନ୍ସପେକ୍ଟର, ୧ ସବ୍ ଇନ୍ସପେକ୍ଟର ଓ ୧୧ ଜଣ ଏସ୍ଆଇ ସାମିଲ ଅଛନ୍ତି।