ବାରିପଦା: ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଅନ୍ଧାର ନେଇ କ୍ଷମା ମାଗିଲେ କୁଳପତି । ବିଦ୍ୟୁତ ବିଭ୍ରାଟ ପାଇଁ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି । ସେ କ୍ଷମା ମାଗିବା ସହ ଏଭଳି ତ୍ରୁଟି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଉଥିବାବେଳେ କରେଣ୍ଟ ଅଚାନକ ଯିବା କଟିଯାଇଥିଲା । ଏନେଇ କେନ୍ଦ୍ରାଞ୍ଚଳ ଆରଡିସି ଏକ ବୈଠକ ଡକାଇଛନ୍ତି । କାହିଁକି ବିଜୁଳି କଟିଲା ବୈଠକରେ ସେ ନେଇ ଫୁଙ୍ଖାନୁପୁଙ୍ଖ ତର୍ଜମା ହେବ ବୋଲି କହିଛନ୍ତି କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ ।
ଅନ୍ୟପଟେ ସମାବର୍ତନ ଉତ୍ସବ ପାଇଁ ବିଦ୍ୟୁତ ଯୋଗାଇ ଦେଇଥିବା ଟାଟା ପାୱାର ତାର କିଛି ଭୁଲ୍ ନଥିବା କହିଛି । ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ତାର ଦାୟିତ୍ୱ ଥିଲା, ବାକି କାମ ବିଶ୍ୱବିଦ୍ୟାଳୟର କହି ହାତ ଝାଡି ଦେଇଛନ୍ତିି ଟାଟା ପାୱାର କର୍ତୃପକ୍ଷ ।
ଅନ୍ୟପଟେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ୍ ଚାଲିଯିବା ଘଟଣାର ବିଧିବଦ୍ଧ ଭାବେ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ। ତଦନ୍ତ ପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ଅଧିକାରୀଙ୍କ ଦ୍ବାରା କରାଯିବ ତଦନ୍ତ। ସୂଚନାଦେଲେ କେନ୍ଦ୍ରାଞ୍ଚଳ ଆରଡିସି ଡଃ ସୁରେଶଚନ୍ଦ୍ର ଦଳେଇ।
ସେପଟେ ବିଦ୍ୟୁତ କାଟ ଅଭିଯୋଗରେ କୁଳାଧିପତିଙ୍କ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିଲମ୍ବନ ହୋଇଛନ୍ତି ବିଦ୍ୟୁତ ଦାୟିତ୍ୱରେ ଥିବା ବିଦ୍ୟୁତ କର୍ମଚାରୀ ଜୟନ୍ତ କୁମାର ତ୍ରିପାଠୀ। ବିଦ୍ୟୁତ କାଟ ନେଇ ମୁଁ ଅପମାନିତ ବୋଲି କହିଛନ୍ତି କୁଳପତି । ଆବଶ୍ୟକ ପଡିଲେ ଇସ୍ତଫା ଦେଇ ପାରେ ବୋଲି ସୂଚନା ଦେଇଛନ୍ତି କୁଳପତି।
ଏହାସହ କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି, ଯେଉଁଠି ସମାବର୍ତ୍ତନ ଉତ୍ସବ ହେଉଥିଲା ସେହି ହଲର ଦାୟିତ୍ୱ ଇଡକୋ ନେଇଥିଲା । ଇଡକୋ ସେଠାରେ ଜେନେରେଟର ଯୋଗେ ବିଦ୍ୟୁତ ଯୋଗାଇଥିଲା । ଇଡକୋ ଯୋଗାଯୋଗ କରୁଛି କିନ୍ତୁ ସେମାନେ ଫୋନ୍ ବନ୍ଦ କରି ବସିଛନ୍ତି । ଆମେ ତାଙ୍କ ସହ ଯୋଗାଯୋଗ କରିପାରିନାହୁଁ । କିନ୍ତୁ ଘଟଣା ସମୟରେ ୮ ଜଣ ଇଡକୋ ଅଧିକାରୀ ଉପସ୍ଥିତ ଥିଲେ । ଏପରିକି ପୂର୍ବରୁ ବିଦ୍ୟୁତ୍ ସରବରାହର ବ୍ୟବସ୍ଥାର ଯାଞ୍ଚ ମଧ୍ୟ ସରିଥିଲା । ୩ ଦିନ ପର୍ଯ୍ୟନ୍ତ ହଲକୁ ବିଦ୍ୟୁତ୍ ସରବରାହର ରିହର୍ଲସଲ ମଧ୍ୟ ସରିଥିଲା । କିନ୍ତୁ କାହିଁକି ବିଦ୍ୟୁତ୍ କଟିଲା ତାହା ଯାଞ୍ଚ ପରେ ଜଣାପଡିବ । ଏଭଳି ହେବା ଉଚିତ୍ ନୁହେଁ, ମୋତେ ବହୁତ ଅପମାନ ଲାଗିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ଘଟିଛି ଏଥିପାଇଁ ମୁଁ ବହୁତ ଦୁଃଖିତ । ଏସବୁ ପାଇଁ ମୋତେ ଯଦି ଇସ୍ତଫା ଦେବାକୁ ପଡେ ତେବେ ଇସ୍ତଫା ମଧ୍ୟ ଦେଇଦେବି ।
ସୂଚନାଯୋଗ୍ୟ, ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିବାବେଳେ ହଠାତ ବିଜୁଳି ଚାଲିଯାଇଥିଲା । ପ୍ରାୟ ୯ ମିନିଟ ଧରି ଅନ୍ଧାରରେ ଅଭିଭାଷଣ ରଖିଥିଲେ ମହାମହିମ । ଏହାକୁ ନେଇ ସେଠାରେ ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା ।