+୩ ପ୍ରଥମ ବର୍ଷ ପାଠପଢ଼ାରେ ସରକାର ବାଧକ, ନୂତନ ଜାତୀୟ ଶିକ୍ଷାନୀତି ନେଇ ସ୍ପଷ୍ଟୀକରଣ ମାଗିଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: +୩ ପ୍ରଥମ ବର୍ଷ ପାଠପଢ଼ାରେ ସରକାର ସାଜିଛନ୍ତି ବାଧକ। ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌‌ଇପି) ଲାଗୁ କରିବା ପାଇଁ କୌଣସି ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ଦେଉନାହାନ୍ତି। ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ପାଠ୍ୟକ୍ରମକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଛାତ୍ରଛାତ୍ରୀ ଏବଂ କଲେଜଗୁଡ଼ିକ ଏନ୍‌‌ଇପି ଲାଗୁ ହେବ ନା ନାହିଁ ବୋଲି ସଂଶୟ ମଧ୍ୟରେ ରହୁଛନ୍ତି। ଏନେଇ ବାରମ୍ବାର ପ୍ରଶ୍ନ କରୁଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଚାପରେ ରହୁଛନ୍ତି। ଏଣୁ ଏକାଧିକବାର ବିଭିନ୍ନ […]

ଭୁବନେଶ୍ୱର: +୩ ପ୍ରଥମ ବର୍ଷ ପାଠପଢ଼ାରେ ସରକାର ସାଜିଛନ୍ତି ବାଧକ। ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌‌ଇପି) ଲାଗୁ କରିବା ପାଇଁ କୌଣସି ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ଦେଉନାହାନ୍ତି। ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ପାଠ୍ୟକ୍ରମକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଛାତ୍ରଛାତ୍ରୀ ଏବଂ କଲେଜଗୁଡ଼ିକ ଏନ୍‌‌ଇପି ଲାଗୁ ହେବ ନା ନାହିଁ ବୋଲି ସଂଶୟ ମଧ୍ୟରେ ରହୁଛନ୍ତି। ଏନେଇ ବାରମ୍ବାର ପ୍ରଶ୍ନ କରୁଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଚାପରେ ରହୁଛନ୍ତି। ଏଣୁ ଏକାଧିକବାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗୁଛନ୍ତି। ଶନିବାର ପୁଣିଥରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭାଗକୁ ଚିଠି ଲେଖି ଏନ୍‌‌ଇପି ଲାଗୁ ସମ୍ପର୍କ‌ରେ ସ୍ପଷ୍ଟୀକରଣ ମାଗିଛି।

ଏନ୍‌‌ଇପି ଲାଗୁ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ବୋର୍ଡ ଅଫ୍‌‌ ଷ୍ଟଡିଜ୍‌‌, ଆର୍‌‌ଏସି, ଏକାଡେମିକ୍‌‌ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ହେଲେ ଏନ୍‌‌ଇପି ଲାଗୁ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ଚିଠି ପାଇନଥିବା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏନ୍‌‌ଇପି କେବେ ଲାଗୁ ହେବ କିମ୍ବା ହେବ ନାହିଁ; ଛାତ୍ରଛାତ୍ରୀ ଓ କଲେଜଗୁଡ଼ିକ ସଂଶୟ ମଧ୍ୟରେ ରହିଛନ୍ତି। ଏଣୁ ସହଜରେ ସିଲାବସ୍‌‌ ସାରିବାକୁ ଓ ପରୀକ୍ଷା କରିବା ପାଇଁ ଏନ୍‌‌ଇପି ଲାଗୁ ସଂପର୍କିତ ସ୍ପଷ୍ଟୀକରଣ ଦେବାକୁ ଅନୁରୋଧ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ସଚିବଙ୍କୁ ଚିଠି କରିବା ସହ ବିଭାଗୀୟ ସଚିବଙ୍କୁ ମଧ୍ୟ ଅବଗତ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ସେହିପରି ଏକାଧିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ସରକାରଙ୍କୁ ସ୍ପ‌ଷ୍ଟୀକରଣ ମଗାଯାଇଥିବା ଜଣାପଡ଼ିଛି।

ଏହି ଚିଠି ପରେ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ +୩ ପ୍ରଥମ ବର୍ଷରେ ଏନ୍‌‌ଇପି ଲାଗୁ କରିବାକୁ ସରକାର ଘୋଷଣା କରିଥିଲେ। ଏହାକୁ ପ୍ରାୟ ୪ ମାସ ବିତିଲାଣି, ହେଲେ କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି। ମନ୍ତ୍ରୀଙ୍କଠାରୁ ସଚିବ ଯାଏଁ ଏକାଧିକ ବୈଠକ କରୁଛନ୍ତି। ଚଳିତ ଶିକ୍ଷାବର୍ଷରୁ ଏନ୍‌‌ଇପି ଲାଗୁ କରିବାକୁ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମରେ ବକ୍ତବ୍ୟ ଦେଉଛନ୍ତି। ହେଲେ ପାଠପଢ଼଼ା ଆରମ୍ଭ ହେବାର ୨ ମାସ ବିତିଥିଲେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାଙ୍କ ମଧ୍ୟରୁ ଦ୍ୱନ୍ଦ ଦୂର ହୋଇ ପାରିନି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ବାଟବଣା ହୋଇଛି। ଏନ୍‌‌ଇପି ଲାଗୁ କରିବାକୁ ମନ୍ତ୍ରୀ ଘୋଷଣା କରିବା ଏବଂ ସମସ୍ତ ପ୍ରସ୍ତୁତି ସାରିବା ପରେ ମଧ୍ୟ କାହିଁକି ସରକାର ଏନ୍‌‌ଇପି ଲାଗୁ କରିବାକୁ କାହିଁକି ଚିଠି କରୁନାହାନ୍ତି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

About The Author: The Sakala