ଭୁବନେଶ୍ବର : ରାଜ୍ୟରେ ବଢି ବଢି ଚାଲିଛି ସଂକ୍ରମଣ । ଗତ କିଛି ଦିନ ମଧ୍ୟରେ ଓଡିଶାରେ ସ୍ଥିତି ଜଟିଳ ହୋଇପଡିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଘୋଷଣା କରିଛନ୍ତି। ସବୁ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା, ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି।
ଏସଆରସିଙ୍କ ଘୋଷଣା ମୁତାବକ ସଟଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏଥିସହ ଜରୁରୀ ସେବା ଯୋଗାଉଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ। ସ୍ବାସ୍ଥ୍ୟସେବା, ବିଦ୍ୟୁତ ସେବା, ଜଳଯୋଗାଣ, ପରିମଳ, ଏଲପିଜି ଯୋଗାଣ, ମାଲ ପରିବହନ, ଜରୁରୀ ପରିବହନ, ବ୍ୟାଙ୍କ ଏଟିଏମ୍, ଔଷଧ ଦୋକାନ ଏବଂ ଗଣମାଧ୍ୟମ ଆଦି ସଂସ୍ଥା ସଟଡାଉନ୍ ସମୟରେ କାର୍ଯ୍ୟ କରିବ। ତେବେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ପାସ ମିଳିବ ନାହିଁ, ସେମାନେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରିବ।
ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ଆମେ ସମସ୍ତେ ପ୍ରସ୍ତୁତ ହେଉଛୁ। ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳ ସପ୍ତାହାନ୍ତ ସଟଡାଉନ ଏହି ନିୟମ ଲାଗୁ ହେବ ବୋଲି ଜଣାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର।