ପୁରୀ: ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି। ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି। ମେ’ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି। ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲ୍ଲାପାଳ। ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳି ନାହିଁ।
ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବରେ ନିର୍ଦ୍ଧାରିତ ତାରିଖର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା।
ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଏହି ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ସହିତ ଜଡିତ ପାରମ୍ପରିକ ତିଥି ଏବଂ ଶାସ୍ତ୍ରୀୟ କ୍ୟାଲେଣ୍ଡର ଅନୁସରଣ କରିବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିରର ସରକାରୀ ରୀତିନୀତି ସୂଚୀ ଅନୁଯାୟୀ, ୨୦୨୬ ମସିହାରେ ରଥଯାତ୍ରା ୧୬ ଜୁଲାଇରେ ପାଳନ କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫିରୋଜପୁରର ଏକ ଜଗନ୍ନାଥ ମନ୍ଦିର ଦ୍ୱାରା ପ୍ରସ୍ତାବିତ ଅଦିନିଆ ରଥଯାତ୍ରା ପାଳନକୁ କଡ଼ା ବିରୋଧ କରିବା ସହ ପଞ୍ଜାବ ପ୍ରଶାସନକୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଫିରୋଜପୁରର ଡେପୁଟି କମିଶନର-କମ-ଜିଲ୍ଲା ମାଜିଷ୍ଟ୍ରେଟ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ୨୩ ମଇ, ୨୦୨୬ରେ ମହୋତ୍ସବ ଆୟୋଜନ ନକରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଡକ୍ଟର ପାଢୀ ତାଙ୍କ ଚିଠିରେ ଉଲ୍ଳେଖ କରିଥିଲେ ଯେ ଯେକୌଣସି ଅନଧିକୃତ ତାରିଖରେ ଉତ୍ସବ ପାଳନ କରିବା ଭାରତ ଏବଂ ବିଦେଶରେ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ।