ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଶିଜୁଛି ଓଡ଼ିଶା। ମୌସୁମୀ ବର୍ଷା ବଦଳରେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ସକାଳୁ ରୌଦ୍ରତାପ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ରହୁଥିବା ବେଳେ ଦିନ ତମାମ ଗୁଳୁଗୁଳିରେ ଲୋକେ ନକଲବଲ ହେଉଛନ୍ତି। ବାହାରେ ତାତି ଓ ଘରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାରୁ ଲୋକେ ଗ୍ରୀଷ୍ମ ପ୍ରକୋପରେ ତ୍ରାହୀ ତ୍ରାହୀ ଡାକୁଛନ୍ତି। ଗତ ୩ ଦିନ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆହୁରି ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହୀ ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ରବିବାର ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିବା ବେଳେ ରାଜ୍ୟର ୩୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ୪୪.୫ ଡିଗ୍ରୀ ସହ ବଲାଙ୍ଗିର ଓ ବରଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସାଜିôତବା ବେଳେ ଝାରସୁଗୁଡ଼ାରେ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି ସୋନପୁରରେ ୪୪.୩, ସମ୍ୱଲପୁରେ ୪୩.୬, ବୌଦ୍ଧରେ ୪୩.୫, ହୀରାକୁଦରେ ୪୩.୧, ସୁନ୍ଦରଗଡ଼, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୪୨.୬ ଓ କଟକରେ ତାତି ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ସାଙ୍ଗକୁ ରହୁଥିବା ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି। ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ୩-୪ ଦିନ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ। କାରଣ ରବିବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଏହି ସ୍ଥାତି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ୨ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମ ଲହରୀ (ସିଭିୟର ହିଟ୍ୱେଭ୍)ସତର୍କତା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୁଣ୍ଡିଚା ପୂର୍ବରୁ ମୌସୁମୀ ବର୍ଷା ସମ୍ଭାବନା କମ୍ ରହିଛି। ସେ କହିଛନ୍ତି ଯେ ରାଜ୍ୟରେ ଅତି କମ୍ରେ ୧୯ ପର୍ଯ୍ୟନ୍ତ ଗରମ ଜାରି ରହିବ। ଆସନ୍ତା ସପ୍ତାହରେ ଗ୍ରୀଷ୍ମ ପ୍ରବାହ ବଢ଼଼ିବ। ୨୦ ତାରିଖ ପୂର୍ବରୁ ମୌସୁମୀ ଆସିବା ସଙ୍କେତ ମିଳୁନାହିଁ। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଏ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ତାତି ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ସୋମବାର ଭୁବନେଶ୍ୱରରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ବଢ଼଼ିବାରେ। ସେହିପରି ଆଭ୍ୟନ୍ତର ଓଡ଼ିଶା, ବିଶେଷକରି ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ୪୬ ଡିଗ୍ରୀ ଅତିକ୍ରମ ହୋଇପାରେ। ଉପକୂଳରେ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବଢ଼଼ିବା ବେଳେ ରାଜ୍ୟରେ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବାରୁ ଗରମ ଅଧିକ ଅସହ୍ୟ ହେବାର ଆଶଙ୍କା ରହିଛି।
୧୬ ଓ ୧୭ରେ ମଧ୍ୟ ଭୁବନେଶ୍ୱରରେ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିପାରେ ଓ ୧୭ ପରେ କିଛି ବର୍ଷା ଯୋଗୁଁ ଉପକୂଳରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ଆଭ୍ୟନ୍ତର ଓଡ଼ିଶାରେ ଅତି କମ୍ରେ ୨୦ ପର୍ଯ୍ୟନ୍ତ ଗରମ ଚାଲୁ ରହିବାକୁ ଥିବା ବେଳେ ପ୍ରାକ୍ ମୌସୁମୀ ବର୍ଷା ପରେ ହିଁ ଗରମ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଓଡ଼ିଶାରେ ମୌସୁମୀ ବର୍ଷା କେବେ ଆରମ୍ଭ ହେବ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନ ଥିବା ବେଳେ ଏହା ଗୁଣ୍ଡିଚା ଯାତ୍ର ପରେ ଛୁଇଁପାରେ। ତେବେ ୧୮-୨୦ ଭିତରେ ରାଜ୍ୟରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହୋଇପାରେ। ଗୁଣ୍ଡିଚା ଯାତ୍ରା ଦିନ ଉପକୂଳରେ, ବିଶେଷ କରି ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।
ସୋମବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝରରେ ପ୍ରବଳ ତାତି ଅନୁଭୂତ ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ ଓ ମୟୂରଭଞ୍ଜରେ ପ୍ରବଳ ତାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଳର୍ଟ ଜାରି ହୋଇଛି।