ମାହାଙ୍ଗା : ତ୍ରିସ୍ତରୀୟ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ପୂର୍ବ ମାହାଙ୍ଗାର ରାଜନୈତିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଭଦ୍ରେଶ୍ୱର ପଞ୍ଚାୟତ ଯେଉଁଠି ସମିତିସଭ୍ୟ ପଦ ପାଇଁ ସାତ ଜଣ ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଫେରାଇ ଆଣିବା ପରେ ଏବେ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ମାହାଙ୍ଗା ବ୍ଲକରେ ଏହି ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ପଦରେ ସର୍ବାଧିକ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ପଞ୍ଚାୟତର ଜଣେ ଯୁବକ ସନୱର ଖାଁ (ବକା) ଯିଏ କି ପେସାରେ ଟ୍ରଲି ଚାଳକ। ସେ ମଧ୍ୟ ଏହି ନିର୍ବାଚନରେ ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି।
ପିଲାଟି ଦିନରୁ ପାଠ ପଢ଼ା ଛାଡି ଟ୍ରଲି ଚଳାଇ ଜୀବିକା ନିର୍ବାହ କରିଆସୁଛନ୍ତି। କାହାଠୁ ବି ପାରିଶ୍ରମିକ ଦାବି କରନ୍ତି ନାହିଁ, ଯିଏ ଯାହା ଦେଲା ନ ଦେଲେ ବି ମନ କଷ୍ଟ କରନ୍ତି ନାହିଁ। ସବୁ ବେଳେ ବିନା ସ୍ୱାର୍ଥରେ ଅନ୍ୟର ସାହାଯ୍ୟ ପାଇଁ ଆଗଭର ହୋଇଥାନ୍ତି। ସମାଜସେବା କରିବା ତାଙ୍କର ଏକ ମାତ୍ର ଲକ୍ଷ୍ୟ। ସ୍ଥାନୀୟ ଅଞ୍ଚଳରେ ଯଦି କାହାର କୌଣସି ଅସୁବିଧା ହୁଏ ତେବେ ବକାକୁ ପ୍ରଥମେ ଖୋଜା ପଡେ। ପରୋପକାରକୁ ବ୍ରତ କରିଥିବାରୁ ସେ ସମସ୍ତଙ୍କର ପ୍ରିୟ। ତେବେ ସେହି ଲୋକଙ୍କ ସେବା କରିବାକୁ ସେ ଛଲିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଛନ୍ତି। ତେବେ ନିର୍ବାଚନ ଲଢିବା ପାଇଁ ବକା ତାଙ୍କର ଟ୍ରଲିଟିକୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି।