ପୁରୀ: ଜଗା ଦେଖିବାକୁ ଭୁବନେଶ୍ୱର-ପୁରୀ NH ରେ ଅସମ୍ଭାଳ ଭିଡ଼ । ଶରଧାବାଲିରେ ରଥାରୂଢ଼ ଦିଅଁଙ୍କୁ ଦେଖିବାକୁ ରଥ ସମ୍ମୁଖରେ ଜମୁଛି ଭକ୍ତଙ୍କ ଭିଡ଼ । ଯେଉଁଥିପାଇଁ ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ସୃଷ୍ଟି ହୋଇଥିଲା ପ୍ରବଳ ଟ୍ରାଫିକ୍ ସମସ୍ୟା । ମାଳତୀପାଟପୁର ଠାରୁ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ କାର୍, ବାଇକ, ଅଟୋ, ଟ୍ୟାକ୍ସିର ଲମ୍ବା ଲାଇନ୍ ଲାଗିଥିଲା । ପୁରୀର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ଏହି ଭିଡ଼ ସୃଷ୍ଟି ହୋଇଥିଲା। ପୁରୀରେ ଶ୍ରଦ୍ଧାଳୁ ଓ ଗାଡ଼ିଗୁଡ଼ିକର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଟ୍ରାଫିକ କଣ୍ଟ୍ରୋଲ ରୁମ୍ ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ପଟୁ ପୁରୀ ଆସୁଥିବା ସମସ୍ତ ଗାଡ଼ିର ଗତିପଥକୁ ବଦଳାଇ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ବିଶେଷକରି ମାଳତୀପାଟପୁରଠାରେ ଭାରି ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା, ଯେଉଁଠାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନେ ପ୍ରାୟ ୧.୫ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲେ। ରାତି ପ୍ରାୟ ୨ଟା ସମୟରେ ଓଡ଼ିଶା ପୋଲିସ ପକ୍ଷରୁ ଏକ ଜରୁରୀକାଳୀନ ପରାମର୍ଶ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଭୁବନେଶ୍ୱରର ଉତ୍ତରା ଛକରୁ ପୁରୀ ଅଭିମୁଖେ ପ୍ରବଳ ଭିଡ଼ ରହିଛି ଏବଂ ସମସ୍ତ ଗାଡ଼ିକୁ ନିର୍ଦ୍ଧାରିତ ପାର୍କିଂ ସ୍ଥାନକୁ ପଠାଯାଉଛି। ତେଣୁ ପୁରୀ ବାହାରିବା ପୂର୍ବରୁ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରିବାକୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଥିଲା।
ପୁରୀରେ ଲଗାତାର ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିବା ଫଳରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ତେବେ, ଭୋର ୫ଟା ସୁଦ୍ଧା ରାଜପଥରେ ଟ୍ରାଫିକ୍ ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଥିଲା।
ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ଏହି କାରଣରୁ ସନ୍ଧ୍ୟା ସମୟରେ ପୁଣିଥରେ ଟ୍ରାଫିକ୍ ସମସ୍ୟା ଉପୁଜିପାରେ ବୋଲି ପୋଲିସ ପକ୍ଷରୁ ସତର୍କ କରାଯାଇଛି। ସୁରକ୍ଷିତ ଓ ସୁଗମ ଯାତ୍ରା ପାଇଁ ଟ୍ରାଫିକ୍ କର୍ମଚାରୀଙ୍କୁ ସହଯୋଗ କରିବା ସହ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଓଡ଼ିଶା ପୋଲିସ ଭକ୍ତମାନଙ୍କୁ ନିବେଦନ କରିଛି।