ଭୁବନେଶ୍ୱର: ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ସାମ୍ନାରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ । ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଗଣିବେ ବ୍ୟବସାୟୀ । ଏନେଇ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ କରିବା ପାଇଁ ଓଡ଼ିଆ ପକ୍ଷ ପାଳନ କରାଯାଉଛି।
ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତାମୂଳକ। ଯଦି ନ ଲେଖିବେ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ନଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମ ଥର ନିୟମ ଉଲଂଘନ ପାଇଁ ଅତିକମରେ ୫ ହଜାର ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଥର ଉଲଂଘନ ପାଇଁ ଅତିକମ୍ ରେ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।
ଯଦି କୌଣସି ପ୍ରତିଷ୍ଠାନରେ ନାମ ଫଳକ ସ୍ପଷ୍ଟ ଭାବେ ଲେଖା ହୋଇନଥିବ, ତେବେ ତୁରନ୍ତ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଯେକେହି ଅଭିଯୋଗ ଦାଖଲ କରିପାରିବେ । ନିୟମ ପାଳନ ସହ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ ପାଇଁ ଓଡ଼ିଆ ପକ୍ଷ ୨୦୨୬′ ଏପ୍ରିଲ ୧ ତାରିଖରୁ ୧୪ ପର୍ଯ୍ୟନ୍ତ ପାଳନ କରାଯାଉଛି ।