ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୮ ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ଠପ୍ ହେବ ସକାଳ ୬ରୁ ସନ୍ଧ୍ୟା ୬ଟା । ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ। କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି । ଏମ୍ଏମ୍ଡିଆର ଆଇନ ୨୦୨୬ ପ୍ରତ୍ୟାହାର ଦାବି ସହ ଏସ୍ଆଇଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ମେଣ୍ଟ। ସେହିପରି ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ଦାବି ମଧ୍ୟ ରହିଛି ।
ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦକୁ ନେଇ ଯାତାୟାତ ସେବା ଉପରେ ସ୍ପଷ୍ଟତା ଆସିଛି। ଏହି ବନ୍ଦ ବେଳେ ସାଧାରଣ ଯାତ୍ରୀମାନଙ୍କ ପାଇଁ ଏକ ମିଶ୍ରିତ ଖବର ରହିଛି। ଆସନ୍ତାକାଲି ରାଜ୍ୟରେ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ରହିବ, କିନ୍ତୁ ଅଟୋ ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
ବସ୍ ସେବା ଅତ୍ୟାବଶ୍ୟକ ସେବା ଅଧୀନରେ ଆସୁଥିବାରୁ ଏବଂ ଦୂରଦୂରାନ୍ତ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ଗୁଡ଼ିକ ଏହି ବନ୍ଦରେ ସାମିଲ ହେବେ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘର ସଭାପତି ସ୍ପଷ୍ଟ କରିଛନ୍ତି। ଫଳରେ ରାଜ୍ୟବ୍ୟାପୀ ସମସ୍ତ ରୁଟରେ ବସ୍ ଚଳାଚଳ ସ୍ୱାଭାବିକ ରହିବ। ତେବେ ବନ୍ଦ ସମୟରେ ଯାତ୍ରୀ, କର୍ମଚାରୀ ଏବଂ ଯାନବାହନର ସୁରକ୍ଷା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷରେ, ଆସନ୍ତାକାଲି ସମଗ୍ର ଓଡ଼ିଶାରେ ଅଟୋରିକ୍ସା ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଅଟୋ ଚାଳକ ସଂଘର ସମ୍ପାଦକଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ଅଫଲାଇନ୍ କିମ୍ବା ଅନଲାଇନ୍ ଅଟୋ ସେବା ଉପଲବ୍ଧ ହେବ ନାହିଁ। ସଂଘ ପକ୍ଷରୁ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ୧୨ ଘଣ୍ଟିଆ 'ଚକା ବନ୍ଦ' ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଘରୋଇ ବସ୍ ଚାଲିବା ନିଷ୍ପତ୍ତି ଦୂର ଯାତ୍ରା କରୁଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଥିବା ବେଳେ, ସହରାଞ୍ଚଳ ମଧ୍ୟରେ ଯାତାୟାତ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଟୋ ନ ଚାଲିବା କାରଣରୁ ରେଳ ଷ୍ଟେସନ, ବସ୍ ଟର୍ମିନାଲ୍ ଏବଂ ହସ୍ପିଟାଲ୍ ଯାଉଥିବା ଲୋକଙ୍କ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଆମ୍ବୁଲାନ୍ସ ଏବଂ ମେଡିକାଲ୍ ସେବା ଭଳି ଜରୁରୀକାଳୀନ ସେବାଗୁଡ଼ିକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି, ଯାହାଦ୍ୱାରା ରୋଗୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।