ଭୁବନେଶ୍ୱର: ୫ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ରାଜ୍ୟର ୧୦୭ ୬ଟି ବିଦ୍ୟାଳୟର କାୟାକଳ୍ପ ବଦଳିଛି। ସୁଦୃଢ଼ ହୋଇଛି ଭିତ୍ତିଭୂମି ଗୁଣାତ୍ମକ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଛି ଉନ୍ନତ ଶୈକ୍ଷିକ ପରିବେଶ। କେବଳ ଭିତ୍ତିଭୂମି ନୁହଁ, ଉନ୍ନତ ଶିକ୍ଷା ପାଇଁ ଆବଶ୍ୟକ ଶିକ୍ଷକ ଲାଗି ମଧ୍ୟ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ମାତ୍ର ତିନି ମାସରେ ନିଯୁକ୍ତି ପ୍ରକ୍ରିୟା ସାରି ଗଣଶିକ୍ଷା ବିଭାଗ ଏକକାଳୀନ ୬ ହଜାରରୁ ଅଧିକ ଶିକ୍ଷକଙ୍କୁ ଆସନ୍ତାକାଲି ନିଯୁକ୍ତି ପ୍ରଦାନ କରିବେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବାକୁ ଥିବାବେଳେ ରାଜ୍ୟରେ ଏକକାଳୀନ ୬୧୩୧ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ରାଜ୍ୟରେ ପ୍ରଥମ ବୋଲି ବିଭାଗ ଦର୍ଶାଇଛି।
ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ଵଚ୍ଛତା ପଦ୍ଧତି ଅବଲମ୍ବନ କରିଛନ୍ତି।
ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ କରାଯିବ । ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ୬ ହଜାର ୧୩୧ ଶିକ୍ଷକଙ୍କୁ ଆଜି ନିଯୁକ୍ତିପତ୍ର ଦିଆଯିବା ସହିତ ସେମାନଙ୍କର ଓରିଏଣ୍ଟେସେନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ଲାଗି କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଛି। ଅପରାହ୍ନ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ମୁଖ୍ୟମନ୍ତ୍ରୀ ଯୋଗଦେବ। ସେହିପରି ଅପରାହ୍ନ ୧ଟା ସୁଦ୍ଧା ଶିକ୍ଷକମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ। ସେମାନଙ୍କ ଯିବା ଆସିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମସ୍ତ ଶିକ୍ଷକ ଡ୍ରେସକୋର୍ଡ଼ରେ ଆସିବା ସହିତ ଷ୍ଟାଡିୟମରେ ପ୍ରବେଶ ପାଇଁ ସେମାନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରାଯାଇଛି।
ତେବେ କଟକରେ ସର୍ବଧୂକ ୪୩୮ଜଣ ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରେ ୩୯୧, ମୟୂରଭଞ୍ଜ ୩୮୨, କେନ୍ଦୁଝର ୩୫୬ ଜଣ ଓ ଦେବଗଡ଼ରେ ସର୍ବନିମ୍ନ ୩୨ ଜଣ ଶିକ୍ଷକ ନିଯୁକ୍ତି ପାଇବେ। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ବାଣ୍ଟିବେ। ଷ୍ଟାଡିୟମ୍କୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ୍, ଆଧାରକାର୍ଡ଼, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ। ବ୍ୟାଗ୍ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନି। ତେବେ ଷ୍ଟାଡିୟମ ମଧ୍ୟରେ ଭିଡ଼ ନକରିବା ଓ କରୋନା କଟକଣାର କଡ଼ା ଅନୁପାଳନ ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରାଯାଇଛି।
୬୧୩୧ ଶିକ୍ଷକଙ୍କ ପ୍ରବେଶ ପ୍ରସ୍ଥାନ ଓ ବସିବା ପାଇଁ ୩ଟି ଗ୍ୟାଲେରୀର ବନ୍ଦୋବସ୍ତ କରାଯାଇଛି। ୱେଷ୍ଟ ଷ୍ଟାଣ୍ଡ ଗ୍ୟାଲେରୀରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗ ପୁର, ରାୟଗଡ଼ା, ଗଜପତି, କୋରାପୋତ, ଗଞ୍ଜାମ, ସମ୍ବଲପୁର ଓ ମାଲକା ନାଗିରେ ନିଯୁକ୍ତି ହୋଇଥିବା ଶିକ୍ଷକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଥିବାବେଳେ ସେମାନେ ୪ ନମ୍ବର ଗେଟ୍ ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ । ଜଗତସିଂହପୁର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ଯାଜପୁର, ବାଲେଶ୍ଵର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ପାଇଁ ସାଉଥ୍ ଷ୍ଟାଣ୍ଡ ଗ୍ୟାଲେରୀ ବ୍ୟବସ୍ଥା ହୋଇଥିବାବେଳେ ସେମାନେ ୪ଏ ଓ ୫ ନମ୍ବର ଗେଟ୍ ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିବେ ସେହିପରି ସାଉଥ ଷ୍ଟାଣ୍ଡ ଗ୍ୟାଲେରୀରେ ମଧ୍ୟ କଟକ, ସୋନପୁର, କନ୍ଧମାଳ, ନୟାଗଡ଼ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ବୌଦ୍ଧ, ବରଗଡ଼, ନୂଆପଡ଼ା, ପୁରୀ, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ନିଯୁକ୍ତ ହୋଇଥିବା ଶିକ୍ଷକ ବସିବେ। ସେମାନେ ୭ ଓ ୭ ଏ ଗେଟ୍ ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ ।