ବନ୍ଧୁତ୍ୱର ସଂଜ୍ଞା ବ୍ୟାପକ: ବନ୍ଧୁ କେବେ ମାର୍ଗଦର୍ଶକ ସାଜିପାରେ ତ କେବେ ହୋଇପାରେ ଆଶାବାଡ଼ି

ଭୁବନେଶ୍ୱର(ସୁମିତ୍ରା): ବନ୍ଧୁତ୍ୱ ସଂଜ୍ଞା ବ୍ୟାପକ। ଯୁଗ ଯୁଗ ଧରି ପୌରାଣିକ ଗାଥା, କାବ୍ୟ କବିତା, ଉପନ୍ୟାସ, କାହାଣୀ, ସିନେମା ଓ ସଙ୍ଗୀତରେ ତା’ର ପ୍ରଶସ୍ତୀ। ପରିବାରରୁ ପରଦେଶ, ମାଙ୍ଗଳିକର ମୀମାଂସା, ଦେବାଳୟରୁ ଦରବାର, ସଂଗ୍ରାମରୁ ଶ୍ମଶାନ ପର୍ଯ୍ୟନ୍ତ ବନ୍ଧୁତା ପରିବ୍ୟାପ୍ତ। ‘ବଉଳ’ର ବାସ୍ନାରେ ‘ମକର’ର ମହକରେ, ‘ସଙ୍ଗାତ’ର ସମ୍ବୋଧନରେ, ‘ମିତ’ର ମାଧୁରୀରେ, ‘ଚାନ୍ଦ’ର ଚପଳତାରେ, ‘ସଖା’ର ସାନିଧ୍ୟରେ ତା’ର ଉପସ୍ଥିତି। ବନ୍ଧୁତ୍ୱର ଆବେଗ ଆଉ ସମ୍ମୋହନ ଦେବତାଙ୍କୁ ମଧ୍ୟ ନର ଅବତାର ନେଇ ମର୍ତ୍ତ୍ୟକୁ ଆସିବାକୁ ବାଧ୍ୟ […]

ଭୁବନେଶ୍ୱର(ସୁମିତ୍ରା): ବନ୍ଧୁତ୍ୱ ସଂଜ୍ଞା ବ୍ୟାପକ। ଯୁଗ ଯୁଗ ଧରି ପୌରାଣିକ ଗାଥା, କାବ୍ୟ କବିତା, ଉପନ୍ୟାସ, କାହାଣୀ, ସିନେମା ଓ ସଙ୍ଗୀତରେ ତା’ର ପ୍ରଶସ୍ତୀ। ପରିବାରରୁ ପରଦେଶ, ମାଙ୍ଗଳିକର ମୀମାଂସା, ଦେବାଳୟରୁ ଦରବାର, ସଂଗ୍ରାମରୁ ଶ୍ମଶାନ ପର୍ଯ୍ୟନ୍ତ ବନ୍ଧୁତା ପରିବ୍ୟାପ୍ତ। ‘ବଉଳ’ର ବାସ୍ନାରେ ‘ମକର’ର ମହକରେ, ‘ସଙ୍ଗାତ’ର ସମ୍ବୋଧନରେ, ‘ମିତ’ର ମାଧୁରୀରେ, ‘ଚାନ୍ଦ’ର ଚପଳତାରେ, ‘ସଖା’ର ସାନିଧ୍ୟରେ ତା’ର ଉପସ୍ଥିତି। ବନ୍ଧୁତ୍ୱର ଆବେଗ ଆଉ ସମ୍ମୋହନ ଦେବତାଙ୍କୁ ମଧ୍ୟ ନର ଅବତାର ନେଇ ମର୍ତ୍ତ୍ୟକୁ ଆସିବାକୁ ବାଧ୍ୟ କରିଛି। ବନ୍ଧୁ ବତ୍ସଳ ଭଗବାନ କେତେବେଳେ ମିତ୍ର ହାତରୁ ଖୁଦଭଜା ଖାଇଛନ୍ତି ତ କେତେବେଳେ ବନ୍ଧୁଙ୍କୁ ସୁନାଥାଳିରେ ଭୋଗ ପରଷୀ ଦେଇଛନ୍ତି। ବିଶ୍ୱକୁ ମାନବର ସେହି ମହାର୍ଘ୍ୟ ଅବଦାନ ଓ ଉପଲବ୍ଧିର ସମ୍ମାନ ଓ ସ୍ମରଣ ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରତମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ବନ୍ଧୁତ୍ୱର ପରିଭାଷାକୁ ନେଇ ‘ସକାଳ’ର ଉପସ୍ଥାପନା।

ବନ୍ଧୁ ପ୍ରକୃତ ମାର୍ଗଦର୍ଶକ
ବନ୍ଧୁ କେତେବେଳେ ବାପା ହୋଇ ମାର୍ଗଦର୍ଶକ ସାଜେ ତ ଆଉ କେତେବେଳେ ମା’ ହୋଇ କୋଳେଇ ନିଏ। ସେହିପରି ଭାଇପରି ସୁରକ୍ଷା ଦିଏ ତ ଭଉଣୀ ପରି ଭଗବାନଙ୍କ ନିକଟରେ ଶୁଭ ମନାସିବା ସହ ଛାଇ ପରି ପାଖେ ପାଖେ ଜଗି ରହିଥାଏ। ଠିକ୍‌‌ ସେମିତି ଏକ ନିଆରା ବନ୍ଧୁତ୍ୱ ଦେଖିବାକୁ ମିଳିଛି ଶୁଭଶ୍ରୀ ଓ ସତ୍ୟପ୍ରକାଶଙ୍କ ମଧ୍ୟରେ। ଦୁହିଁଙ୍କ ବନ୍ଧୁତ୍ୱ ଯଦିଓ ପିଲାବେଳୁ ନୁହେଁ। କଲେଜରେ ପାଠପଢ଼଼ିବା ସମୟରୁ ଗଢ଼ି ଉଠୁଥିବା ଏହି ବନ୍ଧୁତା ସମ୍ପର୍କର ଡୋରୀ ଏତେ ଶକ୍ତ ହୋଇଯାଇଛି ଯେ, ଯାହାକୁ ଛିଡ଼ାଇବା ଅସମ୍ଭବ ବୋଲି ଦୁହେଁ କହିଛନ୍ତି। ପରିବାରରେ ଆର୍ଥିକ ସମସ୍ୟା ରହିଥିବାରୁ ପାଠପଢ଼଼ାରେ ଡୋରୀ ବାନ୍ଧିଥିଲେ ସତ୍ୟପ୍ରକାଶ। ପ୍ରାୟ ୩ବର୍ଷ ଧରି ଅବାଟକୁ ଚାଲିଯାଇଥିବା ସତ୍ୟପ୍ରକାଶ ହଠାତ୍‌‌ ଦିନେ ଶୁଭଶ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦିନରୁ ଶୁଭଶ୍ରୀ ତାଙ୍କୁ ବାଟକୁ ଆଣିବାକୁ ଅଜସ୍ର ପରିଶ୍ରମ କରିଛନ୍ତି। ଶୁଭଶ୍ରୀଙ୍କର ପରିବାରରେ ଆର୍ଥିକ ସ୍ଥିତି ଭଲ ନ ଥାଇ ବି ସେ ସତ୍ୟପ୍ରକାଶଙ୍କ ପାଠପଢ଼଼ା ଖର୍ଚ୍ଚ ବହନ କରିବା ସହ ତାଙ୍କୁ ମାନସିକ କ୍ଷେତ୍ରରେ ସହାୟକ ହୋଇଥିଲେ। ଦୁହିଁଙ୍କ ପାଠପଢ଼଼ା ଖର୍ଚ୍ଚ ତୁଲାଇବାକୁ ରାସ୍ତାକଡ଼ରେ ପରିବା ଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ଘରସଜ୍ଜା ସାମଗ୍ରୀ ବିକ୍ରି କରିଥାନ୍ତି। ସେମାନଙ୍କ ଏଭଳି ମିଳାମିଶାକୁ ଅନେକ ଟାହିପଟାର କରିଥିଲେ ବି ଦୁହେଁ କିନ୍ତୁ ନିଜ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି। ବର୍ତ୍ତମାନ ଶୁଭଶ୍ରୀ ଉଚ୍ଚଶିକ୍ଷା କରୁଥିବା ବେଳେ ସତ୍ୟପ୍ରକାଶ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌‌ବିଏ କରୁଛନ୍ତି। ଶୁଭଶ୍ରୀ କେବଳ ଜଣେ ସାଙ୍ଗ ନୁହେଁ ଜଣେ ମାର୍ଗଦର୍ଶିକା ବୋଲି କହିଛନ୍ତି ସତ୍ୟପ୍ରକାଶ।

ଥାଲାସେମିଆ ରୋଗୀଙ୍କ ସାହାରା ଦୁଇ ବନ୍ଧୁ
୨୦୨୨ ବର୍ଷର ତଥ୍ୟ ଅନୁସାରେ ରାଜ୍ୟରେ ୭୫୨୮ ଥାଲାସେମିଆ ରୋଗୀ ରହିଥିବା ବେଳେ ପ୍ରତି ମାସରେ ସେମାନଙ୍କ ନିମନ୍ତେ ପ୍ରାୟ ୩୪୦୦ ୟୁନିଟ ରକ୍ତର ଆବଶ୍ୟକତା ରହିଥାଏ। ଏହି ଆବଶ୍ୟକତାକୁ କିଛି ପରିମାଣରେ ପୂରଣ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ରାଜଧାନୀର ଦୁଇବନ୍ଧୁ ବିଭୂତି ଭୂଷଣ ସାହୁ ଓ ନିରଞ୍ଜନ ପଟ୍ଟନାୟକ। ବିଭୂତି ଜଣେ ବେସରକାରୀ କର୍ମଚାରୀ ହୋଇଥିବା ବେଳେ ନିରଞ୍ଜନ ହେଉଛନ୍ତି ଜଣେ ଇଞ୍ଜିନିୟର। ହେଲେ ଦୁହେଁ କେବେ ନିଜର ପ୍ରଚାରପ୍ରସାର ଦିଗରେ ଗୁରୁତ୍ୱ ନ ଦେଇ ପରଦା ପଛରେ ରହି ନାୟକ ସାଜିଛନ୍ତି। ଡାକ୍ତରଖାନାରୁ ଆରମ୍ଭ ହୋଇଥିବା ମାତ୍ର ୫ବର୍ଷର ବନ୍ଧୁତା ପାଲଟିଛି ଥାଲାସେମିଆ ରୋଗୀଙ୍କ ରକ୍ଷାକବଚ। ରାଜ୍ୟ ସରକାରଙ୍କ ‘ଜୀବନ ବିନ୍ଦୁ’ ରକ୍ତଦାନ କାର୍ଯ୍ୟକ୍ରମ ଓ ମିଶନ ରକ୍ତଦାନ ମାଧ୍ୟମରେ ଦୁହେଁ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ନିଜ ବ୍ୟକ୍ତିଗତ କାର୍ଯ୍ୟକୁ ବାଦ୍‌‌ ଦେଇ ଏବେ ଉଭୟ ରାଜଧାନୀରେ ପ୍ରାୟ ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ସଂଗୃହୀତ ରକ୍ତ ଥାଲାସେମିଆ ରୋଗୀଙ୍କ ପାଇଁ ପ୍ରଦାନ କରିଥାନ୍ତି। ଏହି କାର୍ଯ୍ୟ ଉଭୟ ପ୍ରାୟ ୫ବର୍ଷ ହେବ କରି ଆସୁଛନ୍ତି। ରକ୍ତ ଅଭାବରୁ ଯେମିତି କାହାରି ଜୀବନ ନ ଯିବ ସେଥିପାଇଁ ଦୁହେଁ ଅହରହ ରକ୍ତ ଯୋଗାଡ଼ କରିବାକୁ ପ୍ରୟାସ କରୁଛନ୍ତି।

ଦୁଇ ବନ୍ଧୁ ଦୁଇ ଆଶାବାଡ଼ି
ଦିବ୍ୟାଙ୍ଗ ହୋଇ ଜନ୍ମ ନେଉଥିବା ପ୍ରତିଟି ମଣିଷ ନିଜକୁ ଅସହାୟ ମନେକରେ। କାରଣ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସେ ଅନ୍ୟର ସାହାରା ଖୋଜେ। ଅନେକ ସମୟରେ ଏହଭଳି ପରିସ୍ଥିତିରେ ବି ପରିବାର ଲୋକେ ମୁହଁ ଫେରାଇ ନିଅନ୍ତି। ହେଲେ ବନ୍ଧୁ ହିଁ ସବୁବେଳେ ଛାଇ ପରି ଆଉ ଜଣେ ବନ୍ଧୁଙ୍କୁ ଜଗି ରହିଥାଏ। ଏଭଳି ବନ୍ଧୁତା ଦେଖିବାକୁ ମିଳିଛି ରାଜଧାନୀର ପୋଖରୀପୁଟ ଅଞ୍ଚଳରେ। ତ୍ରିଲୋଚନ ସାହୁ ଜଣେ ଦିବ୍ୟାଙ୍ଗ। ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିବାରୁ ସେ ବିନା ସାହାରାରେ ସଳଖି ଛିଡ଼ାହୋଇ ପାରନ୍ତନି। ହେଲେ ଏହି ସମୟରେ ପରିବାର ଓ ସମ୍ପର୍କୀୟ ଦୂରେଇ ଯାଇଥିବା ବେଳେ ଦୁଇ ଅଜଣା ବ୍ୟକ୍ତି ବନ୍ଧୁ ମିଟୁ ପାତ୍ର ଓ ଜଗନ୍ନାଥ ସ୍ୱାଇଁ ତାଙ୍କ ସ୍ୱାଇଁ ଆଶାବାଡ଼ି ପାଲଟିଗଲେ। ଯେଉଁଠି ଡାକ୍ତର କହିଥିଲେ ସେ ସେ ଆଉ ବିଛଣାରୁ ଉଠି ପାରିବେନି, ସେହଇ ଦୁଇ ବନ୍ଧୁଙ୍କ ଶକ୍ତ ସହଯୋଗ ତାଙ୍କ ମନୋବଳକୁ ଦୃଢ଼ କରିଥିଲା। ଡାକ୍ତରଖାନାରେ ଚିକିତ୍ସା ଠାରୁ ଆରମ୍ଭ କରି, ଫିଜିଓଥେରାପି, ନିୟମିତ ବ୍ୟାୟାମ୍‌‌ ମଧ୍ୟ କରାଉଥିଲେ। ଯାହଦ୍ୱାରା ସେ ଆଜି ଛିଡ଼ା ହୋଇପାରିଛନ୍ତି। ତ୍ରିଲୋଚନ ଅଟୋ ଚଳାଇ ରୋଜଗାର କରୁଛନ୍ତି ସତ ହେଲେ ଦୁଇ ବନ୍ଧୁ ଏବେବି ପ୍ରତିଦିନ ତ୍ରିଲୋଚନଙ୍କ ଭଳମନ୍ଦ କଥା ବୁଝିବା ସହ ଦିନ କିମ୍ବା ବିଳମ୍ବିତ ରାତିରେ ଅସୁବିଧା ସମୟରେ ତାଙ୍କ ପାଖରେ ପହଞ୍ଚିଥାନ୍ତି। ତେଣୁ ୧୪ବର୍ଷର ଏହି ବନ୍ଧୁତା ମୋ ଜୀବନର ଆଶାବାଡ଼ି ବୋଲି କହିଛନ୍ତି ତ୍ରିଲୋଚନ।

ମଣିଷ-ପଶୁର ନିଆରା ବନ୍ଧୁତା
ବନ୍ଧୁତା କେବଳ ମଣିଷ ମଣିଷ ମଧ୍ୟରେ ହୋଇ ନ ଥାଏ। ମଣିଷ ପଶୁଙ୍କ ମଧ୍ୟରେ ବି ବନ୍ଧୁତାର ସମ୍ପର୍କ ବେଶ୍‌‌ ମଜଭୁତ୍‌‌ ହୋଇଥାଏ। ଯାହାର ପ୍ରମାଣ ଦେଖିବାକୁ ମିଳିଛି କେ ଶିବା ଓ ବୁଲା ଗାଈଗୋରୁ ଏବଂ କୁକୁରଙ୍କ ମଧ୍ୟରେ। ପ୍ରତିଦିନ ସକାଳ ହେଲେ ନିଜ ମନର ସୁଖ, ଦୁଃଖ ସେମାନଙ୍କ ସହ ବାଣ୍ଟିଥାନ୍ତି। ଖାଇବା ସମୟରେ ହେଉ ଅବା ମଜାମସ୍ତି ମଧ୍ୟ ସେମାନଙ୍କ ଗହଣରେ କରିଥାନ୍ତି। କୁହାଯାଏ ମନର ଅକୁହା କଥା ବନ୍ଧୁ ଆଗରେ ପରିପ୍ରକାଶ କରିଦେଲେ ଆଶନ୍ତି ଲାଗିଥାଏ। ତେବେ ଗାଈଗୋରୁଙ୍କ ସହ ନିଜ ମନକଥା ବାଣ୍ଟି ଆତ୍ମତୃତି ଲାଭ କରୁଛନ୍ତି ସହିଦନଗରର କେ. ଶିବ ଆଚାର୍ଯ୍ୟ। ପିଲାଦିନୁ ସେ ପଶୁପକ୍ଷୀଙ୍କ ସେବା କରିବାକୁ ଭଲ ପାଉଥିଲେ। କିନ୍ତୁ ସ୍କୁଲ୍‌‌ରେ ପଢ଼଼ିବା ସମୟରେ ଏକ ଦୁର୍ଘଟଣାଗ୍ରସ୍ତ ଷଣ୍ଢର ହୃଦୟ ବିଦାରକ ଦୃଶ୍ୟ ଶିବଙ୍କ ମନକୁ ଆନ୍ଦୋଳିତ କରିଥିଲା। ପରଦିନ ଠାରୁ ସେ ରାସ୍ତାରେ ଯେଉଁଠି ଅସବୁିଧାରେ ପଡ଼ିଥିବା ଗାଈ, ଷଣ୍ଢ କିମ୍ବା କୁକୁରକୁ ଦେଖନ୍ତି ତୁରନ୍ତ ତାହାର ଚିକିତ୍ସା କରିଥାନ୍ତି। +୨ ପଢ଼଼ିବା ସମୟରେ ସେ ନିଜେ ଏକ ଗୋଶାଳା ଆରମ୍ଭ କରିଥିଲେ। ବର୍ତ୍ତମାନ ସେଠାରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଷଣ୍ଢ, କୁକୁର ରହୁଛନ୍ତି। ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଶିକାର ହେଉଥିବା ବୁଲା ପଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ତାଙ୍କର ଚିକିତ୍ସା କରାଇଥାନ୍ତି। ସବୁଠୁ ବଡ଼କଥା ହେଉଛି ଏବାବଦକୁ ସମସ୍ତ ଖର୍ଚ୍ଚ ନିଜେ କରିଥାନ୍ତି। କଲେଜରୁ ଆସିବା ପରେ ବାହାରେ ସାଙ୍ଗକମାନଙ୍କ ସହ ନ ମିଶି ବୁଲା ପଶୁମାନଙ୍କ ସହ ସମୟ ଅତିବାହିତ କରୁଥିବା ସେ କହିଛନ୍ତି। ତେଣୁ ଯେକୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ପଶୁପକ୍ଷୀଙ୍କୁ ଦେଖିବା ମାତ୍ରେ ତାଙ୍କୁ ଅଣଦେଖା ନ କରିବାକୁ ସେ ଅନୁରୋଧ କରିଛନ୍ତି।

ବଧୂ ନୁହେଁ ବନ୍ଧୁ
ପତି ଓ ପତ୍ନୀଙ୍କ ମଧ୍ୟରେ ଯେଉଁ ବନ୍ଧୁତା ଥାଏ ତାହା ସ୍ୱର୍ଗୀୟ ଅଟେ। ନିଃସ୍ୱାର୍ଥପର ଅଟେ। ଦମ୍ପତିଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତ୍ୱ ପରେ ପତିପତ୍ନୀର ସମ୍ପର୍କ ତିଆରି ହୁଏ। ଇଏ ଏଭଳି ଏକ ବନ୍ଧୁତ୍ୱ ଯେଉଁଠି ଜାତି ଧର୍ମ, ବର୍ଣ୍ଣ, ଧନୀ, ଗରିବ ଆଦି ଭେଦଭାବ ଠାରୁ ବହୁ ଦୂରରେ। ସେଥିପାଇଁ ତ କେହି କାହାକୁ ନ ଦେଖି ମଧ୍ୟ ଦୁହିଁଙ୍କ ଉପସ୍ଥିତିକୁ ଅନୁଭବ କରି ୨୦ ବର୍ଷ ବିତି ଗଲାଣି ବୋଲି କହିଛନ୍ତି ଦୃଷ୍ଟିହୀନ ଦମ୍ପତି ସୁଶ୍ରୀ ସାହୁ ଓ ଅମିନ୍‌‌ କୁମାର ମହାପାତ୍ର। ଜନ୍ମରୁ ଦୁହେଁ ଦୃଷ୍ଟିହୀନ। ଦୁନିଆକୁ ଦେଖି ନ ଥିବା ଏହି ଦମ୍ପତି ପରସ୍ପରର ସାହାରା ପାଲଟିଛନ୍ତି। ରାଜଧାନୀସ୍ଥିତ ଦୃଷ୍ଟିହୀନ ସଂଘରେ ଦୁହିଁଙ୍କର ଭେଟ ହୋଇଥିଲା। ପ୍ରଥମେ ବନ୍ଧୁତାରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ପରବର୍ତ୍ତୀ ସମୟରେ ପତିପତ୍ନୀର ରୂପ ନେଇଥିଲା ସତ, କିନ୍ତୁ ବାସ୍ତବରେ ଦୁହିଁଙ୍କ ବନ୍ଧୁତା ଏବେବି ପୂର୍ବଭଳି ମଜଭୁତ୍‌‌ ରହିଛି। ବନ୍ଧୁତା ହିଁ ଜୀବନରେ ପ୍ରତିଟି ବାଧାବିଘ୍ନକୁ ଅତିକ୍ରମ କରିବାରେ ସହାୟତା ହୋଇଥାଏ ବୋଲି ଉଭୟ କହିଛନ୍ତି। ସଂସାରରେ ସବୁ ପତିପତ୍ନୀ ଯଦି ବନ୍ଧୁତାର ସମ୍ପର୍କକୁ ଗୁରୁତ୍ୱ ଦେବେ ସେମାନଙ୍କ ମଧ୍ୟରେ କେବେ ମନମାଳିନ୍ୟ ହେବନି। ପ୍ରତ୍ୟେକ ପତ୍ନୀ ପ୍ରଥମେ ବନ୍ଧୁ ତା ପରେ ବଧୂ ହେବା ଉଚିତ୍‌‌। ଦିନକୁ ଦିନ ଯେଉଁଭଳି ଭାବେ ଦାମ୍ପତ୍ୟଜୀବନରେ କହଳ ବଢ଼଼ିବାରେ ଲାଗିଛି ତାହା କେବଳ ଉଭୟଙ୍କ ମଧ୍ୟରେ ବନ୍ଧୁତାର ଅଭାବ ପାଇଁ ହେଉଛି ବୋଲି ସୁଶ୍ରୀ କହିଛନ୍ତି। କାରଣ ଦୁହେଁ ଶତପ୍ରତିଶତ ଦୃଷ୍ଟିହୀନ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ପରସ୍ପର ଠାରୁ ଦୂରରେ ରହି ମଧ୍ୟ କେବଳ ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତା ପାଇଁ ମନମାଳିନ୍ୟ ହୋଇ ନ ଥିବା ସେ କହିଛନ୍ତି। ସୁଶ୍ରୀ ବର୍ତ୍ତମାନ ଚୌଦ୍ୱାରରେ କାର୍ଯ୍ୟରତ ଥିବା ବେଳେ ଅମୀନ୍‌‌ ଭୁବନେଶ୍ୱର ଦୃଷ୍ଟିହୀନ ସଂଘରେ କାର୍ଯ୍ୟରତ।

About The Author: The Sakala