ଗାଁରେ ପଶି ଆତଙ୍କ ଖେଳାଉଥିଲା କଲରାପତରିଆ ବାଘ, ୮ ଘଣ୍ଟା ପରେ କାବୁ କଲା ବନବିଭାଗ

ଦକ୍ଷିଣ ବାଲେଶ୍ୱର/ଖଇରା/ଔପଦା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ଖଇରା ବଜାର ନିକଟ ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ ଏକ କଲରାପତରିଆ ବାଘ ଆକ୍ରମଣରେ ଔପଦା ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ତେବେ ଦୀର୍ଘ ୮ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି ବାଘଟିକୁ କାବୁ କରିଛି। ବାଘଟି କଲରାପତରିଆ ପ୍ରଜାତିର ହୋଇଥିବା ବେଳେ ତା’ର ଉଚ୍ଚତା ୩ଫୁଟ୍‌ ଓ ଲମ୍ୱ ୪ଫୁଟ୍‌ରୁ […]

ଦକ୍ଷିଣ ବାଲେଶ୍ୱର/ଖଇରା/ଔପଦା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ଖଇରା ବଜାର ନିକଟ ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ ଏକ କଲରାପତରିଆ ବାଘ ଆକ୍ରମଣରେ ଔପଦା ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ତେବେ ଦୀର୍ଘ ୮ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି ବାଘଟିକୁ କାବୁ କରିଛି। ବାଘଟି କଲରାପତରିଆ ପ୍ରଜାତିର ହୋଇଥିବା ବେଳେ ତା’ର ଉଚ୍ଚତା ୩ଫୁଟ୍‌ ଓ ଲମ୍ୱ ୪ଫୁଟ୍‌ରୁ ଅଧିକ ବୋଲି ଜଣାଯାଇଛି। ତେବେ ବିଳମ୍ବିତ ରାତିରେ ବାଘଟି ଧରାପଡ଼ିବା ପରେ ଅଞ୍ଚଳବାସୀ ଆଶ୍ବସ୍ତ ହୋଇଛନ୍ତି।

ସୂଚନାନୁଯାୟୀ, ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଘଟି ଗାଁରେ ପଶି ପ୍ରଥମେ ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦)ଙ୍କୁ ଆକ୍ରମଣ କରିଥିଲା। ପୁଅ ଓ ସ୍ୱାମୀଙ୍କ ସହ ସତ୍ୟଭାମା ନିଜ ବାଡ଼ିରେ କାମ କରୁଥିବା ବେଳେ ବାଘଟି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ପୁଅ ଓ ସ୍ୱାମୀ ଘଟଣାସ୍ଥଳକୁ ଆସିବାରୁ ବାଘଟି ଗର୍ଜନ କରି ସେଠାରୁ ପଳାଇଥିଲା। ଏହି ଖବର ବିଜୁଳି ବେଗରେ ଗାଁରେ ଖେଳିଯିବାରୁ ଗ୍ରାମବାସୀମାନେ ଏକତ୍ର ହୋଇ ବାଘଟିକୁ ଘଉଡ଼ାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଲୋକଙ୍କୁ ଦେଖି ବାଘଟି ଲୁଚି ଯାଇଥିଲା। ଖବର ପାଇ କୁପାରୀ ବନ ବିଭାଗ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହା‌ୟତାରେ ଏକ ବଣରେ ବାଘକୁ ଖୋଜିଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘର ଆଡ଼କୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ(୨୦)ଙ୍କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ଟଙ୍କଧର କେସି (୫୫), କାଡମିୟା ଗ୍ରାମର ନିରଞ୍ଜନ ମୁଖି (୨୦) ଓ ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସ ଏବଂ ଗୋଟିଏ ଗୋରୁ ଉପରକୁ ଆକ୍ରମଣ କରି ପୁଣିଥରେ ବୁଦାମୂଳରେ ଲୁଚି ଯାଇଥିଲା। ପରେ ବାଘଟି ବନ ଅଧିକାରୀ କିଶୋର ଚନ୍ଦ୍ର ଭୂୟାଁଙ୍କୁ ଆକ୍ରମଣ କରି ଜଣେ ବ୍ୟକ୍ତିଙ୍କ ଗୁହାଳ ଘରେ ଲୁଚି ରହିଥିଲା। ତେବେ ଏସିଏଫ୍‌ ଦିଗନ୍ତ ଭୂୟାଁଙ୍କ ସମେତ ଔପଦା ରେଞ୍ଜର୍‌ ମନୋରଞ୍ଜନ ନାୟକ, ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁ, କୁପାରୀ ଫରେଷ୍ଟର ନରେଶ ଚନ୍ଦ୍ର ଭୂୟାଁ ପ୍ରମୁଖ ଫରେଷ୍ଟ ଗାର୍ଡମାନଙ୍କ ସହା‌ୟତାରେବ ବିଳମ୍ବିତ ରାତିରେ ବାଘଟିକୁ କାବୁ କରିଛନ୍ତି। ବାଘଟିକୁ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ଜଣାଯାଇଛି। ଅପରପକ୍ଷେ ସମସ୍ତ ଆହତଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ଭଦ୍ରକ ଓ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

About The Author: The Sakala