ଭୁୁବନେଶ୍ୱର: ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ତାତି ଉଷ୍ମ ହେବାରେ ଲାଗିଛି। ପଞ୍ଚାୟତ ଫଳାଫଳ ଘୋଷଣା ବେଳକୁ ପୌର ନିର୍ବାଚନ ନେଇ ଆନୁଷ୍ଠାନିକ ବିଗୁଲ୍ ବାଜିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତିରୁ ଏ ନେଇ ସଙ୍କେତ ମିଳିଛି। ବିଶେଷ କରି ରାଜ୍ୟର ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପଦ ସହ ୱାର୍ଡ ସଂରକ୍ଷଣ, ସୀମା ପୁନଃ ନିର୍ଦ୍ଧାରଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ପୌର ରାଜନୀତି ବି ଉଷ୍ଣ ହୋଇଛି। ଚିଠା ତାଲିକାରେ ପ୍ରସ୍ତାବିତ ସଂରକ୍ଷଣ ୩ ମହାନଗର ନିଗମ କ୍ଷେତ୍ରରେ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି), ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅପରପକ୍ଷରେ କଟକ ମହାନଗର ନିଗମ(ସିଏମସି)ର ମେୟର ପଦ ଅଣସଂରକ୍ଷିତ ରହିଛି।
ଆସନ୍ତା ନିର୍ବାଚନରେ ବିଏମସି ଅଞ୍ଚଳରେ ମୋଟ୍ ୬୭ଟି ୱାର୍ଡରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମେୟର ନିର୍ବାଚନ ପାଇଁ ପ୍ରତ୍ୟକ୍ଷ ଭୋଟ୍ ପଡ଼ିବ। ତେବେ ପ୍ରଥମ ଥର ପାଇଁ ବିଏମସିରେ ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ରାଜଧାନୀରେ ମହିଳା ମେୟର ହେବା ଏକ ପ୍ରକାର ସ୍ଥିର ହୋଇଛି। ସେହିପରି ୬୭ଟି ଆସନ ମଧ୍ୟରୁ ୯ଟି ଆସନ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ମୋଟ୍ ୩୪ଟି ଆସନରୁ ମହିଳା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯାଇଛି। ଗତ ୭ ତାରିଖରେ ପ୍ରକାଶ ପାଇଥିବା ଚିଠା ତାଲିକା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଶନିବାର ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି।
ବଡ଼ କଥା ହେଉଛି କେବଳ କିଛି ଜାଗା ଲାଗି ଥିବା ସୀମା ବିବାଦରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ ଚିଠା ତାଲିକାରେ ପ୍ରକାଶ ପାଇଥିବା ସଂରକ୍ଷଣ ସମ୍ପୂର୍ଣ୍ଣ ଅପରିବର୍ତ୍ତିତ ରହିଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ମୋଟ୍ ୩୪ଟି ଆସନରେ ମହିଳାଙ୍କ ପାଇଁ ରହିଥିବା ବେଳେ ୨୯ଟି ଆସନକୁ ଅଣସଂରକ୍ଷିତ କରାଯାଇଛି। ପ୍ରଥମେ ପ୍ରକାଶ ପାଇଥିବା ଚିଠା ତାଲିକାରେ ପଛୁଆ ବର୍ଗଙ୍କ ପାଇଁ ୧୮ଟି ଆସନ ସଂରକ୍ଷିତ ରଖାଯାଇ ତାଲିକା ପ୍ରକାଶ ପାଇଥିଲା। ହେଲେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେଇ ଗତ ୭ ତାରିଖରେ ପୁନର୍ବାର ଚିଠା ତାଲିକା ପ୍ରକାଶ ପାଇଥିଲା। ଶନିବାର ଏହି ତାଲିକାକୁ ଚୂଡ଼ାନ୍ତ କରାଯାଇଛି। ଗତ ବିଏମସି ନିର୍ବାଚନରେ ମହିଳାଙ୍କ ପାଇଁ ମୋଟ୍ ୩୪ଟି ଆସନ ସଂରକ୍ଷିତ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ସମାନ ରହିଛି। ମୋଟ୍ ଆସନର ୫୦ ପ୍ରତିଶତ ଆସନରେ ମହିଳାମାନେ ପ୍ରତିନିଧିତ୍ୱ କରିବେ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ମହିଳା ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।