ବଦଳିଛି ଖେଳିବାର ତରିକା: ପିଲାଙ୍କ ହାତରେ ମୋବାଇଲ୍‌, ଗେମ୍‌ ପଏଣ୍ଟରେ କମୁଛି ଭିଡ଼…

ଭୁବନେଶ୍ୱର: ବଦଳୁଥିବା ସମୟ ସହ ତାଳ ଦେଇ ବଦଳୁଛି ଖେଳର ରୁଚି ଓ ଶୈଳୀ। ଏହି କ୍ରମରେ ରାଜଧାନୀର ପିଲାମାନେ ଅଫ୍‌ଲାଇନ୍‌ ଖେଳକୁ ପସନ୍ଦ କରୁ ନ ଥିବାବେଳେ ଅନ୍‌ଲାଇନ୍‌ ଖେଳ ପ୍ରତି ଅଧିକ ରୁଚି ରଖୁଛନ୍ତି। ଫଳରେ ପିଲାମାନଙ୍କର ଖେଳିବାର ତରିକା ବଦଳିଛି କହିଲେ ଚଳେ। ତେଣୁ ଅଲୋଡ଼ା ହୋଇ ପଡ଼ିଛି ତାସ୍‌, ଲୁଡୁ, କ୍ୟାରମ୍‌ ଭଳି ଇନ୍‌ଡୋର ଗେମ୍‌। କେବଳ ଇନ୍‌ଡୋର ଗେମ୍‌ ନୁହେଁ କବାଡ଼ି, ଖୋଖୋ, ବାସ୍କେଟ୍‌ ବଲ୍‌ ପରି ଖେଳରୁ ମୁହଁ […]

ଭୁବନେଶ୍ୱର: ବଦଳୁଥିବା ସମୟ ସହ ତାଳ ଦେଇ ବଦଳୁଛି ଖେଳର ରୁଚି ଓ ଶୈଳୀ। ଏହି କ୍ରମରେ ରାଜଧାନୀର ପିଲାମାନେ ଅଫ୍‌ଲାଇନ୍‌ ଖେଳକୁ ପସନ୍ଦ କରୁ ନ ଥିବାବେଳେ ଅନ୍‌ଲାଇନ୍‌ ଖେଳ ପ୍ରତି ଅଧିକ ରୁଚି ରଖୁଛନ୍ତି। ଫଳରେ ପିଲାମାନଙ୍କର ଖେଳିବାର ତରିକା ବଦଳିଛି କହିଲେ ଚଳେ। ତେଣୁ ଅଲୋଡ଼ା ହୋଇ ପଡ଼ିଛି ତାସ୍‌, ଲୁଡୁ, କ୍ୟାରମ୍‌ ଭଳି ଇନ୍‌ଡୋର ଗେମ୍‌। କେବଳ ଇନ୍‌ଡୋର ଗେମ୍‌ ନୁହେଁ କବାଡ଼ି, ଖୋଖୋ, ବାସ୍କେଟ୍‌ ବଲ୍‌ ପରି ଖେଳରୁ ମୁହଁ ଫେରାଉଛନ୍ତି ଆଜିର ସହରୀ ପିଲାମାନେ। ଆଗରୁ ଗାଁ ହେଉ କି ସହର ଏହି ସବୁ ଖେଳ ପ୍ରତି ପିଲାମାନେ ଆଗ୍ରହ ପ୍ରକାଶ କରୁଥିଲେ। ଏମିତିକି ଯୁବପିଢ଼ିମାନେ ପଡ଼ିଆରେ କ୍ରିକେଟ୍‌, ଫୁଟ୍‌ବଲ୍‌, କବାଡ଼ି ପରି ଖେଳକୁ ପାଖ ପଡ଼ିଆରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ବିଶେଷକରି ଖରା ଛୁଟି, ଦଶହରା, ରଜପର୍ବ ଭଳି ଦିନରେ ଖେଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କିନ୍ତୁ ସମୟ ବଦଳିବା ସହ ବଦଳୁଛି ପିଲାଙ୍କର ରୁଚି। ଯାହା ଫଳରେ ପିଲାମାନେ ଏହି ସବୁ ଖେଳରୁ ମୁହଁ ଫେରେଇ ନେଉଛନ୍ତି। ବିଶେଷକରି ଗତ ୨୦ ବର୍ଷ ଧରି ଏହି ପରିବର୍ତ୍ତନର ଧାରା ଆରମ୍ଭ ହୋଇଥିଲେ ମଧ୍ୟ ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାର ଯୋଗୁଁ ଏହା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଘରେ ଘରେ ଏବେ ମୋବାଇଲ୍‌ ରହୁଥିବାରୁ ଛୋଟ ପିଲାମାନେ ଏବେ ଏହି ଖେଳ ଖେଳିବାକୁ ବହୁତ ପସନ୍ଦ କରୁଛନ୍ତି। ଏହି ଧାରାକୁ ଅନୁସରଣ କରି ରାଜଧାନୀର ପିଲାମାନେ ଗେମ୍‌ ପଏଣ୍ଟରେ ବିଭିନ୍ନ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିଲେ। ଏଥିପାଇଁ ଘଣ୍ଟା ପ୍ରତି ୩୦ ଟଙ୍କା ଲେଖାଏଁ ଦେବାକୁ ପଡୁଥିଲା। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ଗଳିକନ୍ଦିରେ ଗେମ୍‌ ପଏଣ୍ଟମାନ ଖୋଲିଥିଲା। କିନ୍ତୁ ଏବେ ମୋବାଇଲ୍‌ର ବହୁଳ ବ୍ୟବହାର ଯୋଗୁଁ ଗେମ୍‌ ପଏଣ୍ଟରେ ମଧ୍ୟ ତାଲା ପଡ଼ିବା ଆରମ୍ଭ ହୋଇଛି। ଏବେ ଗେମ୍‌ ପଏଣ୍ଟ ପ୍ରାୟ ଦେଖିବାକୁ ମିଳୁନି।

ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ସପିଙ୍ଗ୍‌ ମଲ୍‌ରେ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ଗେମ୍‌ ଖେଳାଯାଉଛି। ଆଗରୁ ରଜପର୍ବ ବେଳେ ତାସ୍‌, ଲୁଡୁ, ଚେସ୍‌ ଆଦି ଖେଳକୁ ଅଧିକ ମାତ୍ରାରେ ପ୍ରାଧାନ୍ୟ ଦିଆଯାଉଥିଲା। ହେଲେ ଏବେ ଏସବୁ ଖେଳ କେବଳ ଲୋକଙ୍କୁ ଦେଖାଇବା ସହ ଫଟୋ ଉଠାଇବାରେ ସୀମିତ ରହିଯାଉଛି। ପର୍ବ ସରିଲେ ଏହି ସବୁ ଖେଳ ସାମଗ୍ରୀ ଘର କୋଣରେ ପଡ଼ି ରହୁଛି। ରାଜଧାନୀର ୟୁନିଟ୍‌ ୧ ମାର୍କେଟ୍‌ରେ ଖେଳନା ଦୋକାନ କରିଥିବା ନିରଞ୍ଜନ ସାହୁ କୁହନ୍ତି, ଏହି ସବୁ ଆଗରୁ ବହୁତ ବିକ୍ରି ହେଉଥିଲା। ଅତ୍ୟଧିକ ବିକ୍ରି ହୋଇଛି ଯେତେବେଳେ କୋଭିଡ୍‌ ଥିଲା। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଥିବାବେଳେ ଶନିବାର, ରବିବାର ଘରେ ରହୁଥିଲେ। ଆଉ ସେହି ସମୟରେ କେତେକାଂଶରେ ଏହି ସବୁ ଗେମ୍‌ ଖେଳୁଥିଲେ। ହେଲେ ଏବେ ୨୫୦ ପିସ୍‌ ଲୁଡୁ, ଚେସ୍‌ ଆଣିଲେ ବର୍ଷକରେ ୫ରୁ ୬ ପିସ୍‌ ବିକ୍ରି ହେଉଛି। ଦାମ୍‌ ସବୁ ସେଇ ୧୦୦ରୁ ୧୮୦ ଟଙ୍କା ରହୁଥିବାବେଳେ ମଧ୍ୟ ବିକ୍ରି କମିଯାଇଛି। କେବଳ ରଜ ପର୍ବ ସମୟରେ ଟିକେ ବିକ୍ରି ହେଉଛି ନ ହେଲେ ସେମିତି ପଡ଼ି ରହୁଛି ବୋଲି ସେ କହିଛନ୍ତି।

About The Author: The Sakala