ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, ବିଏସ୍‌‌କେୱାଇକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର / ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଉଲ୍ଲେଖ ନ କରି ତାଙ୍କର ‘ଗରିବ ବିରୋଧୀ’ ଚେହେରା ଉପରୁ ମୁଖା ଖୋଲିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍‌‌ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍‌‌କେୱାଇ ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ […]

ଭୁବନେଶ୍ୱର / ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଉଲ୍ଲେଖ ନ କରି ତାଙ୍କର ‘ଗରିବ ବିରୋଧୀ’ ଚେହେରା ଉପରୁ ମୁଖା ଖୋଲିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍‌‌ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍‌‌କେୱାଇ ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି।

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ ଲୋକଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଏସ୍‌‌କେୱାଇ ଠାରୁ ଆରମ୍ଭ କରି ଛାତ୍ର ବୃତ୍ତି, ସବୁ ଯୋଜନା ରାଜ୍ୟବାସୀଙ୍କ ଦୁଃଖ ଦୂର କରିଛି। ଏଥିରୁ ବିଏସ୍‌‌କେୱାଇ ହେଉଛି ରାଜ୍ୟର ୧ ନମ୍ୱର ଯୋଜନା; କିନ୍ତୁ ଲୋକଙ୍କ ସୁଖ କେନ୍ଦ୍ରମନ୍ତ୍ରୀଙ୍କ ଦେଖିପାରୁ ନାହାନ୍ତି। ଲୋକଙ୍କ ସମସ୍ୟା ଦୂର ହେବାକୁ ସେ ଗ୍ରହଣ କରିପାରୁ ନାହାନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି। ସେଥିପାଇଁ କ୍ଷମତାକୁ ଆସିଲେ ସେ ସର୍ବ ପ୍ରଥମେ ବିଏସ୍‌‌କେୱାଇ ଯୋଜନାକୁ ବନ୍ଦ କରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଶ୍ରମିକ, ଚାଷୀ ଓ ଗରୀବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି। ବଡ ବଡ ହସପିଟାଲରେ ଚିକିତ୍ସା କରାଇବା ପାଇଁ ବିଏସ୍‌‌କେୱାଇଁ ସ୍ମାର୍ଟ କାର୍ଡ ମାଧ୍ୟମରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି। ଏହି ଯୋଜନାରେ ପ୍ରତି ମାସରେ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାସିକ ହାରାହାରି ଦେଢ଼ ଲକ୍ଷ ଲୋକ ଏହାଦ୍ୱାର ଉପକୃତ ହେଉଛନ୍ତି।ରାଜ୍ୟର ପାଖାପାଖି ୯୦ ପ୍ରତିଶତ ଲୋକ ଏହି ଯୋଜନାର ସୁଫଳ ପାଉଛନ୍ତି। ଏହି ଯୋଜନାକୁ ନେଇ ସମସ୍ତେ ଖୁସୀ ଅଛନ୍ତି; କିନ୍ତୁ ଲୋକଙ୍କ ଖୁସୀ ଦେଖିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ। ସେ କ୍ଷମତାକୁ ଆସିଲାମାତ୍ରେ ପ୍ରଥମେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ ବୋଲି ଶ୍ରୀ ପାଣ୍ଡିଆନ୍‌‌ କହିଛନ୍ତି।

ସେ ପୁଣି କହିଛନ୍ତି ଯେ ଗରିବ, ଶ୍ରମିକ, ଚାଷୀ ପରିବାରର କଲେଜ ପିଲାଙ୍କୁ ବୃତ୍ତି ଦେବାରେ ଓଡ଼ିଶା ଏକମାତ୍ର ରାଜ୍ୟ। ସମ୍ପ୍ରତି ୯୮ ପ୍ରତିଶତ କଲେଜ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନୂଆ-ଓ ସ୍କଲାରସିପ ପ୍ରଦାନ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଶ୍ରମିକ ପରିବାରର ପିଲାମାନେ ଉପକୃତ ହେଉଛନ୍ତି। ମାତ୍ର କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର କେତେ ପିଲାଙ୍କୁ ବୃତ୍ତି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାଣ୍ଡିଆନ। ନବୀନ ସରକାର ହେଉଛି ଲୋକଙ୍କର, ସବୁବେଳେ ଲୋକଙ୍କ ପାଇଁ ହିଁ ଚିନ୍ତା କରିବ। ମୁଖ୍ୟମନ୍ତ୍ରୀ ଶ୍ରମିକ ଭାଇ ଭଉଣୀମାନଙ୍କୁ ବିକାଶର ସାରଥି ଭାବେ ଗ୍ରହଣ କରି ସେମାନଙ୍କର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି। ସେଥିପାଇଁ ନିକଟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦୦ଟଙ୍କା ବୃଦ୍ଧି କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ। ବିଜୁ ବାବୁ ଏକଦା ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ ଦୁଇଗୁଣା କରି ରେକର୍ଡ କରିଥିଲେ। ବିକାଶର ସାରଥୀ ଶ୍ରମିକମାନେ ଖୁସିରେ ରହିଲେ ବିକାଶ ଆହୁରି ସହଜ ହେବ ବୋଲି ପାଣ୍ଡିଆନ କହିଛନ୍ତି।
ଏହି ଅବସରରେ ସେ ଏକକାଳୀନ ୧୦୦ ଟଙ୍କା ମଜୁରୀ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ଅବତାରଣା କରିଛନ୍ତି। ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ସେଥିରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହୋଇ ନଥିଲେ। ନିଜେ ହସ୍ତକ୍ଷେପ କରି ଏକକାଳୀନ ୧୦୦ଟଙ୍କା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରମିକମାନଙ୍କ ସହଯୋଗ ଓ ସମ୍ପୃକ୍ତି ରହିଲେ ଯାଇ ଏହି ପୁଞ୍ଜି ବିନିଯୋଗର ସୁଫଳ ରାଜ୍ୟକୁ ମିଳିବ। ସେଥିପାଇଁ ନୂଆ ଓଡ଼ିଶା ଗଠନ କ୍ଷେତ୍ରରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣ୍ଡିଆନ କହିଛନ୍ତି।

ଏହି ଅବସରରେ ଶ୍ରୀ ପାଣ୍ଡିଆନ ମିଛ କହି ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ କଟୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ରାଜନୀତି ପାଇଁ ମିଛ କହି ମିଛ ପ୍ରଚାରରେ ବିଶ୍ୱାସ କରନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟଟନାୟକ ସବୁବେଳେ କାମରେ ବିଶ୍ୱାସ କରନ୍ତି। ଆଗାମୀ ଦିନରେ ଶ୍ରମିକଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯିବ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଏଥିପାଇଁ ଯଦି ପାଣ୍ଠିର ଅଭାବ ରହିଥିବ, ତାହେଲେ ରାଜ୍ୟ ବଜେଟରୁ ପାଣ୍ଠି ଯୋଗାଇଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍‌‌ ମଞ୍ଚରେ ଘୋଷଣା କରିଛନ୍ତି।

About The Author: The Sakala