ଯାଜପୁର-ଧାମରା ଭାୟା ଆରଡ଼ିକୁ ଗଡ଼ିବ ରେଳ, ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଯାଜପୁର କେନ୍ଦୁଝର ରୋଡ଼ ଧାମରା ଭାୟା ଆରଡ଼ି ମଧ୍ୟରେ ରେଳ ଲାଇନ୍‌‌ ନିର୍ମାଣ ଉଦ୍ଦେଶ୍ୟରେ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ରେଳ ବୋର୍ଡ। ୯୬ କିମି ରେଳ ଲାଇନ୍‌‌ ନିର୍ମାଣ ପୂର୍ବରୁ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ରେଳ ବୋର୍ଡ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ଆଜି ରେଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଅଭିଷେକ ଜଗାୱତ୍‌‌ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ପତ୍ର ଲେଖି […]

ଭୁବନେଶ୍ୱର: ଯାଜପୁର କେନ୍ଦୁଝର ରୋଡ଼ ଧାମରା ଭାୟା ଆରଡ଼ି ମଧ୍ୟରେ ରେଳ ଲାଇନ୍‌‌ ନିର୍ମାଣ ଉଦ୍ଦେଶ୍ୟରେ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ରେଳ ବୋର୍ଡ। ୯୬ କିମି ରେଳ ଲାଇନ୍‌‌ ନିର୍ମାଣ ପୂର୍ବରୁ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ରେଳ ବୋର୍ଡ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ଆଜି ରେଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଅଭିଷେକ ଜଗାୱତ୍‌‌ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ସୂଚନାଯୋଗ୍ୟ ଯେ ଶିଳ୍ପାଞ୍ଚଳର ମୁଖଶାଳା କୁହାଯାଉ ଥିବା ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ୍‌‌ରୁ ଧାମରା ବନ୍ଦର ପର୍ଯ୍ୟନ୍ତ ରେଳ ଲାଇନ୍‌‌ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ୨୦୨୩-୨୪ ବଜେଟରେ କେନ୍ଦ୍ର ସରକାର ଏଥିପାଇଁ ବ୍ୟୟବରାଦ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଓଡ଼ିଶା ଏଥିରେ ନିରାଶ ହୋଇଥିଲା।

ପରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏ ନେଇ ଏକ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ରେଳ ଲାଇନ୍‌‌ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶିଳ୍ପ ସମୃଦ୍ଧ ଯାଜପୁରରୁ ଭଦ୍ରକର ଧାମରା ବନ୍ଦରକୁ ରେଳ ଲାଇନ୍‌‌ ସଂଯୋଗ ହେଲେ ଶିଳ୍ପ ଉତ୍ପାଦିତ ସାମଗ୍ରୀ ଓ ଖଣିଜ ପଦାର୍ଥ ପରିବହନ ହୋଇପାରିବ। ବାହାରୁ ଏଠାକାର ଶିଳ୍ପ ସଂସ୍ଥାକୁ କଞ୍ଚାମାଲ ଯୋଗାଣ ସହଜ ହେବ। ଏଥିସହ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଓ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିକୁ ଯିବା ଆସିବା ପାଇଁ ଜନସାଧାରଣ ଟ୍ରେନ୍‌‌ ସୁବିଧା ପାଇବେ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ବେଶ୍‌‌ ଉପକୃତ ହୋଇପାରିବେ। ରାଜ୍ୟ ତଥା ଦେଶର ଆର୍ଥିକ ଏବଂ ସାମାଜିକ ବିକାଶ ଦିଗରେ ଏହି ରେଳଲାଇନ୍‌‌ ଉପାଦେୟ ସାବ୍ୟସ୍ତ ହେବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼େଇ ରେଳମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏଥିସହ ଖଣି ସମୃଦ୍ଧ କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ମଧ୍ୟ ଉପକୃତ ହୋଇପାରିବେ ବୋଲି କୁହାଯାଇଥିଲା।

About The Author: The Sakala