ବିଫଳତା ଲୁଚାଇବାକୁ ଅପ୍ରସଙ୍ଗର ସାହାରା ନେଉଛନ୍ତି ସରକାର: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ବିଭୀଷିକାକୁ ନେଇ ବିଧାନସଭାରେ ବିସ୍ତୃତ ଆଲୋଚନା କଥା ଶୁଣି ରାଜ୍ୟ ସରକାର ବିଚଳିତ ହୋଇ ଯାଇଛନ୍ତି। ଉକ୍ତ ପ୍ରସଙ୍ଗକୁ ଲୁଚାଇବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ତଦନ୍ତ ବାହାନା କରୁଛନ୍ତି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ସାଧାରଣ ସମ୍ପାଦକ ଗୌତମବୁଦ୍ଧ ଦାସ ଓ ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତକ୍ରାଳୀନ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ପକ୍ଷରୁ ଉକ୍ତ ତଦନ୍ତକୁ ସ୍ୱାଗତ କରାଯାଉଛି। ବର୍ତ୍ତମାନ ସମୟରେ ବନ୍ୟା ଓ ବାତ୍ୟା ସ୍ଥିତି ନେଇ ରାଜ୍ୟ ସାରା ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ଶାସନ କାଳରେ ବିପର୍ଯ୍ୟୟ ପରିଚାଳନାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ଓଡ଼ିଶା ଆଜି ନିନ୍ଦିତ ହୋଇଛି। ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟୟର ବିଭୀଷିକାକୁ ନେଇ ବିଧାନସଭାରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଉକ୍ତ ପ୍ରସ୍ତାବରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିନାହାନ୍ତି। ବନ୍ୟା ବିଭୀଷିକାର ବିସ୍ତୃତ ଆଲୋଚନା ହେଲେ ରାଜ୍ୟ ସରକାରଙ୍କ ସବୁ ପୋଲ ଖୋଲିଯିବ ବୋଲି ରାଜ୍ୟ ସରକାର ବିଚଳିତ ହୋଇ ଯାଇଛନ୍ତି। ଆଇନଶୃଙ୍ଖଳା, ଭତ୍ତା ବଣ୍ଟନ, ବନ୍ୟା ପରିଚାଳନା ଆଦି ଅନେକ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତଦନ୍ତ ପରି ଏକ ଅପ୍ରସଙ୍ଗର ଉପସ୍ଥାପନା କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ମଧ୍ୟ ୩ଟି ପ୍ରସଙ୍ଗରେ ତଦନ୍ତ କରିଥିଲେ । କିନ୍ତୁ ତଦନ୍ତରେ କୌଣସି ଭୁଲ ତ୍ରୁଟି ପାଇଲେନି । 

ନିର୍ବାଚନ ପୂର୍ବରୁ ବିଜେପିର ନେତୃବୃନ୍ଦ ଓଡ଼ିଶା ଆସି ମହାପ୍ରଭୁ ରତ୍ନ ଭଣ୍ଡାର ଲୁଟି ତାମିଲନାଡୁ ଚାଲି ଯାଇଛି ବୋଲି ମିଛ ପ୍ରଚାର କରିଥିଲେ। ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଭୋଟ ନେବା ପରେ ସେହି ବିଜେପି ସରକାର ତଦନ୍ତ କରି କ୍ଲିନଚିଟ୍‌ ପ୍ରଦାନ କରିଛନ୍ତି। ସେହିପରି ତକ୍ରାଳୀନ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଉଡାଣ ନେଇ ପୁଣି ମିଛ ଅପ ପ୍ରଚାର କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କ ସମସ୍ୟା ବୁଝିବା ପାଇଁ କିଛି ଅଞ୍ଚଳକୁ ଯାଇଥିଲେ। ରାଜ୍ୟ ସରକାର ତଦନ୍ତ କରିଲେ। ତାହାକୁ ନେଇ କୋର୍ଟ କ୍ଲିନଚିଟ୍‌ ପ୍ରଦାନ କରିଛନ୍ତି । ଅନ୍ୟ ଏକ ପ୍ରସଙ୍ଗ କନ୍ଧମାଳରେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାରେ ତଦନ୍ତ ରିପୋର୍ଟ ଫାଇଲ ଗାଏବ ନେଇ । ବିଜେପି ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ନେଇ ଦୋଷ ନିଜ ମୁଣ୍ଡରୁ ହଟାଇବାକୁ ତତ୍କାଳୀନ ୫-ଟି ସଚିବଙ୍କୁ ଟାଣିଥିଲେ । ନିଜ ଦୋଷ ତ୍ରୁଟିକୁ ଲୋକ ଲୋଚନରୁ ଲୁଚାଇବା ପାଇଁ ବାରମ୍ୱାର ପୂର୍ବର ବିଜେଡି ସରକାରଙ୍କ ଉପରେ ସବୁ ଦୋଷ ଲଦି ଦେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ବାରମ୍ୱାର ତଦନ୍ତ ଭିତରକୁ ଟାଣିବାକୁ ପ୍ରଚେଷ୍ଟା କରୁଛନ୍ତି। ସେ ଯୁବାବସ୍ଥାରୁ ଜଣେ ଲେଖକ ଭାବେ ବିଶ୍ୱର ବିଭିନ୍ନ ଦେଶ ଅନେକ ବାର ଭ୍ରମଣ କରିଛନ୍ତି। ରାଜ୍ୟବାସୀଙ୍କ ଅର୍ଥରେ ବିଦେଶ ବୁଲିବାର ସଉକ ତାଙ୍କର ନାହିଁ। 

ନବୀନ ବାବୁ ନିମନ୍ତ୍ରଣ କ୍ରମେ ଜୁଲାଇ ୨୦୨୨ରେ ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦାରିଦ୍ର୍ୟ ହ୍ରାସ, ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ସଫଳତାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ସେହିପରି ବିଦେଶୀ ପୁଞ୍ଜିପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ଇଟାଲୀ ପ୍ରତ୍ୟାବର୍ତ୍ତନ ବେଳେ ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପପତି ମିଟ୍‌ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ବହୁ ବଡ଼ ଅନ୍ତର୍ଜାତୀୟ ଶିଳ୍ପ ପ୍ରତିଷ୍ଠାନର ଓଡ଼ିଶାରେ ନିବେଶ ପାଇଁ ପ୍ରାୟ ୨୧, ୦୦୦କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଥିଲେ। 

ସେହିପରି ଏପ୍ରିଲ ୨୦୨୩ରେ ଦ୍ୱିତୀୟ ଥର ପାଇଁ ସେ ବିଦେଶ ଗସ୍ତରେ ଯାଇଥିଲେ। ଜାପାନ ଗସ୍ତରେ ଯାଇ ବିଶ୍ୱର ଶ୍ରେଷ୍ଠ ଷ୍ଟିଲ କମ୍ପାନୀ ନିପ୍ପନ ଷ୍ଟିଲଙ୍କୁ ଭେଟିଥିଲେ । ତାଙ୍କ ମୁଖ୍ୟଙ୍କୁ ଭେଟି ଓଡ଼ିଶାରେ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲଙ୍କୁ ମିଳିତ ଭାବେ ପୁଞ୍ଜି ନିବେଶ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସରଳ ବ୍ୟକ୍ତି ଅଟନ୍ତି। ତାଙ୍କ ଉପରକୁ ରାଜ୍ୟ ସରକାର ଆଙ୍ଗୁଳି ଦେଖାଇବା ପୂର୍ବରୁ ନିଜକୁ ନିରୀକ୍ଷଣ କରନ୍ତୁ। 

ସେହିପରି ଡ. ମହାନ୍ତି କହିଛନ୍ତି ଯେ ବିଜେପି ସରକାର ପୂର୍ବରୁ ରତ୍ନ ଭଣ୍ଡାର ଚାବି ହଜିବା, ହେଲିକ୍ୟାପ୍ଟର ଉଡାଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ଫାଇଲ ଗାଏବ କରିବା ଆଦି ଘଟଣା ତଦନ୍ତ କରି ଶେଷରେ କିଛି ପାଇଲେ ନାହିଁ। ଏବେ ପୁଣି ନୂଆ ତଦନ୍ତ ବାହାନା ଆରମ୍ଭ କରିଛନ୍ତି । ବିଜେପି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ ବୋଲି ଜଣାପଡୁଛି। ତେବେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଦୃଷ୍ଟିରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଥର ବିଦେଶ ଗସ୍ତ ଏବଂ ଉପ ମୁଖ୍ୟମନ୍ତ୍ରୀ, କ୍ୟାବିନେଟର ମନ୍ତ୍ରୀ ଗଣ, ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ବିଦେଶକୁ ନିଜ ପରିବାର ସହ ଉପ ମୁଖ୍ୟମନ୍ତ୍ରୀ ଗସ୍ତରେ ଯାଇଥିବା ବେଳେ କେଉଁ କାରଣରୁ ଯାଇଥିଲେ ତାହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ଗାଦିକୁ ଆସିବା ପୂର୍ବରୁ ଅନେକ ବାର ବିଦେଶ ବୁଲି ଦେଖିଛନ୍ତି। ତାଙ୍କ ସମୟରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ଗସ୍ତରେ ଗଲେ ତାରକା ହୋଟେଲରେ ରହୁଛନ୍ତି । କିନ୍ତୁ ରାଜ୍ୟବାସୀଙ୍କୁ ଭତ୍ତା ଦେବାକୁ ଟଙ୍କା ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଏବେର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ଖର୍ଚ୍ଚ ତର୍ଜମା କରାଯାଉ । କିଏ ଅଧିକ ଗସ୍ତ ଖର୍ଚ୍ଚ କରିଛନ୍ତି ବୋଲି ସ୍ପଷ୍ଟ ହୋଇଯିବ । ଡବଲ ଇଞ୍ଜିନ ସରକାର ଯେତେବେଳେ ନିଜେ ଅଡୁଆରେ ପଡ଼ନ୍ତି, ସେତେବେଳେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ପଦକ୍ଷେପ ନେଇଥାନ୍ତି  ବୋଲି ଡ. ମହାନ୍ତି କହିଛନ୍ତି।

About The Author: Madhusudan Das