ସାବାଡ୍‍ ହେବେ ଆପାର୍ଟମେଣ୍ଟବାସୀ : ୩ ଜୋନରେ ନିୟୋଜିତ ହେବେ ୧୮ କିନ୍ନର

ଭୁବନେଶ୍ୱର : ଏଣିକି ଓଦା ଶୁଖିଲା ଅଳିଆ ପୃଥକ ଭାବେ ଦେଉ ନ ଥିବା ଆପାର୍ଟମେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମିତ ଭାବେ ଏହି ନିୟମ ଉଲ୍ଲଙ୍ଘନ କରୁଥିବା ଆପାର୍ଟମେଣ୍ଟବାସୀଙ୍କୁ ପ୍ରଥମେ କିନ୍ନରମାନେ ସଚେତନ କରିବେ। ଏହା ପରେ ନିୟମ ଉଲ୍ଲଙ୍ଘନ କରି ପୃଥକ ଭାବେ ଅଳିଆ ନ ଦିଅନ୍ତି, ତେବେ ସେମାନଙ୍କ ଉପରେ କଠିନ୍‍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ ବିଏମ୍‍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶୁକ୍ରବାର ବିଏମ୍‍ସିର ବରିଷ୍ଠ ଅଧିକାରୀ ଓ କିନ୍ନର ଗୋଷ୍ଠୀଙ୍କ […]

ଭୁବନେଶ୍ୱର : ଏଣିକି ଓଦା ଶୁଖିଲା ଅଳିଆ ପୃଥକ ଭାବେ ଦେଉ ନ ଥିବା ଆପାର୍ଟମେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମିତ ଭାବେ ଏହି ନିୟମ ଉଲ୍ଲଙ୍ଘନ କରୁଥିବା ଆପାର୍ଟମେଣ୍ଟବାସୀଙ୍କୁ ପ୍ରଥମେ କିନ୍ନରମାନେ ସଚେତନ କରିବେ। ଏହା ପରେ ନିୟମ ଉଲ୍ଲଙ୍ଘନ କରି ପୃଥକ ଭାବେ ଅଳିଆ ନ ଦିଅନ୍ତି, ତେବେ ସେମାନଙ୍କ ଉପରେ କଠିନ୍‍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ ବିଏମ୍‍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶୁକ୍ରବାର ବିଏମ୍‍ସିର ବରିଷ୍ଠ ଅଧିକାରୀ ଓ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଏ ବିଷୟରେ ହୋଇଥିବା ଏକ ବୈଠକରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବିଏମ୍‍ସିର ୩ଟି ଜୋନ୍‍ ପାଇଁ ବିଭାଗ ପକ୍ଷରୁ ୧୮ ଜଣ କିନ୍ନରଙ୍କୁ ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି। ପ୍ରତି ଜୋନ୍‍ରେ ୬ ଜଣ କିନ୍ନର ଓ ବିଏମ୍‍ସି ସ୍ୱଚ୍ଛସାଥୀ ଟିମ୍‍ ନିୟମ ଉଲ୍ଲଙ୍ଘନକାରୀ ଆପାର୍ଟମେଣ୍ଟକୁ ଯିବେ। ପ୍ରଥମେ କିନ୍ନରମାନେ ସେମାନଙ୍କୁ ସଚେତନ କରିବେ।

ଏଥିପାଇଁ ନିୟମ ଖିଲାପ କରୁଥିବା ଆପାର୍ଟମେଣ୍ଟଗୁଡ଼ିକର ତାଲିକା ପ୍ରସ୍ତୁତି ଶେଷ ହୋଇଥିବା ବେଳେ କିନ୍ନରମାନଙ୍କୁ ଏହା ହସ୍ତଗତ କରାଯିବ ଓ ଖୁବ୍‍ଶୀଘ୍ର ସେମାନେ କାମ ଆରମ୍ଭ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜଧାନୀରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି)ରେ ଅଳିଆ କମ୍ପୋଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଦା ଶୁଖିଲା ଅଳିଆ ସଂଗ୍ରହ ଉପରେ ବିଏମ୍‍ସି ସର୍ବାଧିକ ଗୁରୁତ୍ୱ ଦେଉଛି। ମାତ୍ର ସହରର ଅନେକ ଲୋକ ବିଏମ୍‍ସି ଦ୍ୱାରା କରାଯାଇଥିବା ଏହି ନିୟମକୁ ପାଳନ କରୁ ନ ଥିବାରୁ ସଫେଇ ଦାୟିତ୍ୱରେ ଥିବା ଏସ୍‍ଏଚ୍‍ଜିଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଓଦା ଅଳିଆ ଏମସିସି ଓ ଶୁଖିଲା ଅଳିଆ ଏମଆର୍‍ଏଫ୍‍କୁ ଯାଉଥିବାରୁ ଲୋକମାନଙ୍କୁ ଏହାକୁ ଅଲଗା ଅଲଗା ଦେବା ପାଇଁ କୁହାଯାଉଛି।

ଏହା ବ୍ୟତୀତ ଡୋର ଟୁ ଡୋର୍‍ ଅଳିଆ ସଂଗ୍ରହ ଯୋଗୁଁ ବିଭିନ୍ନ ସ୍ଥାନରୁ ଡଷ୍ଟବିନ୍‍ କାଢ଼ି ନିଆଯାଉଥିବା ବେଳେ କିଛି ଆପାର୍ଟମେଣ୍ଟବାସୀ ରାସ୍ତାକଡ଼ରେ ମଧ୍ୟ ଅଳିଆ ଢାଳି ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଏସବୁ ବ୍ୟବସ୍ଥାକୁ ସୁଧାରି ଭୁବନେଶ୍ୱରକୁ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ବିଏମସି କିନ୍ନରଙ୍କ ସହାୟତା ଲୋଡ଼ିଛି। ବର୍ତ୍ତମାନ ଭୁବନେଶ୍ୱରରେ ୨୩ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ୮ ଟି ମ୍ୟାଟେରିଆଲ୍‍ ରିକଭରି ଫ୍ୟାସିଲିଟି (ଏମ୍‍ଆର୍‍ଏଫ୍‍) ଚାଲୁ ରହିଛି। ଏମଆର୍‍ଏଫ୍‍ରେ ଓଦା ଅଳିଆ ପରିଚାଳନା କରାଯାଉଥିବା ବେଳେ ଏମଆରଏଫ୍‍ରେ ପ୍ଲାଷ୍ଟିକ୍‍, ଜରି ଭଳି ଶୁଖିଲା ଅଳିଆକୁ କଟକିଂ କରାଯାଇ ରିସାଇକେଲିଂ ସଂସ୍ଥାକୁ ଦେବା ପାଇଁ ପ୍ରକ୍ରିୟା କରାଯାଉଛି।

About The Author: The Sakala