ଦୂର ହେଲା ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘଦିନର ସମସ୍ୟା : ଗ୍ରାମକଣ୍ଟ ପରମ୍ବୋକ ଜମିର ହସ୍ତାନ୍ତର ପ୍ରକ୍ରିୟା ସରଳ ହେଲା

ଭୁବନେଶ୍ୱର: ଦୀର୍ଘବର୍ଷ ଧରି ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଗ୍ରାମକଣ୍ଟ ପରମ୍ବୋକ ଜମିର ହସ୍ତାନ୍ତର ସମସ୍ୟାର ପରିସମାପ୍ତି ହୋଇଛି। ଅଗଷ୍ଟ ୧୧ ତାରିଖରେ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ମୁତାବକ ଓଡ଼ିଶା ସରକାର ଭୁ-ବନ୍ଦୋବସ୍ତ ଆଇନ୍‌‌ ୧୯୮୩ର ସଂଶୋଧିତ ନିୟମାବଳୀ ଗେଜେଟ୍‌‌ ବିଜ୍ଞପ୍ତି ଗତକାଲି ପ୍ରକାଶିତ ହେବା ଦ୍ୱାରା ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ ଫୁଲବାଣୀ ଜିଲ୍ଲାବାସୀଙ୍କ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାର ଅନ୍ତ ଘଟିଛି। ଫଳରେ ପୁରୁଷାନୁକ୍ରମିକ ଆଇନଗତ ଭୋଗ ଦଖଲରେ ଥିବା […]

ଭୁବନେଶ୍ୱର: ଦୀର୍ଘବର୍ଷ ଧରି ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଗ୍ରାମକଣ୍ଟ ପରମ୍ବୋକ ଜମିର ହସ୍ତାନ୍ତର ସମସ୍ୟାର ପରିସମାପ୍ତି ହୋଇଛି। ଅଗଷ୍ଟ ୧୧ ତାରିଖରେ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ମୁତାବକ ଓଡ଼ିଶା ସରକାର ଭୁ-ବନ୍ଦୋବସ୍ତ ଆଇନ୍‌‌ ୧୯୮୩ର ସଂଶୋଧିତ ନିୟମାବଳୀ ଗେଜେଟ୍‌‌ ବିଜ୍ଞପ୍ତି ଗତକାଲି ପ୍ରକାଶିତ ହେବା ଦ୍ୱାରା ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ ଫୁଲବାଣୀ ଜିଲ୍ଲାବାସୀଙ୍କ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାର ଅନ୍ତ ଘଟିଛି। ଫଳରେ ପୁରୁଷାନୁକ୍ରମିକ ଆଇନଗତ ଭୋଗ ଦଖଲରେ ଥିବା ଗ୍ରାମକଣ୍ଟ ପରମ୍ବୋକ ଜମି କିଣାବିକା ଓ ବ୍ୟାଙ୍କରେ ବନ୍ଧକ ଦେବାରେ ଉପୁଜୁଥିବା ସମସ୍ୟାର ପରିସମାପ୍ତି ଘଟିଛି। ଏଥିସହିତ ଜମି ପଟ୍ଟାରେ ଲେଖାଯାଉଥିବା ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ପ୍ରଥାର ମଧ୍ୟ ବିଲୋପ ହୋଇଛି।

ଆଂଶିକ ନିର୍ମାଣ ହୋଇଥିବା ବା ଖାଲିଥିବା ପଡ଼ିଆ ଜମିକୁ ବାଣିଜ୍ୟିକ କିସମ ଜମି ଭାବେ ବିବେଚନା କରି କିଣାବିକା ବା ହସ୍ତାନ୍ତର ସମୟରେ ବଜାର ଦରର ୨୦% ଅର୍ଥ ସଲାମୀ ଆକାରରେ ଦେବାକୁ ପଡୁଥିଲା। ଯାହାକି ବର୍ତ୍ତମାନ ୨% ଅର୍ଥ ପ୍ରଦାନ କରି ସତ୍ତ୍ୱାଧିକାର ପରିବର୍ତ୍ତନ ହୋଇପାରିବ। ସେହିପରି ବାର୍ଷିକ ଖଜଣା (ସିସ୍ତୁ), ଜମିର ବଜାର ମୂଲ୍ୟର ୧% ଦେବାକୁ ପଡୁଥିଲା, ଯାହାକି ଅତ୍ୟଧିକ ଥିଲା। ପରିବର୍ତ୍ତିତ ନିୟମାବଳୀରେ ଏହାର ବିଲୋପ ହୋଇ “ଓଡ଼ିଶା ସର୍ଭେ ଓ ସେଟେଲ୍‌‌ମେଣ୍ଟ ନିୟମାବଳୀ-୧୯୬୨” ପ୍ରକାରେ, ଅନ୍ୟ ସାଧାରଣ ଜମି ଭଳି ବାର୍ଷିକ ଖଜଣା (ସିସ୍ତୁ) ଦେବାକୁ ପଡ଼ିବ। ଫଳରେ ଦକ୍ଷିଣ ଓଡ଼ିଶାବାସୀ ଦୀର୍ଘଦିନରୁ ଭୋଗ କରୁଥିବା ସମସ୍ୟାର ଅନ୍ତଘଟିଛି।

ଦୀର୍ଘ ୪ ବର୍ଷ ହେଲା ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଏ ପ୍ରସଙ୍ଗ ବହୁବାର ବିଧାନସଭାରେ ଉତ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ରାଜସ୍ୱ ସଚିବ, ‘୫-ଟି’ ସଚିବ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ ସହ ବହୁବାର ଆଲୋଚନା କରିଆସୁଥିଲେ। ଗଞ୍ଜାମ ଚ୍ୟାମ୍ବର ଅଫ୍‌‌ କମର୍ସ ଓ ଅନ୍ୟାନ୍ୟ ସଂଗଠନର ପ୍ରତିନିଧି ମଣ୍ଡଳୀଙ୍କୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ବହୁବାର ଆଲୋଚନା କରି ଏହାର ସମାଧାନ ପାଇଁ ଲଗାତାର ଉଦ୍ୟମ କରିଥିଲେ। ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଦକ୍ଷିଣ ଓଡ଼ିଶାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ କରିଥିବାରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟ ଶାସନ ସଚିବ, ‘୫-ଟି’ ସଚିବ, ରାଜସ୍ୱ ସଚିବ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।

About The Author: The Sakala