ଭୁବନେଶ୍ୱର: ଓଡ଼ିଶାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ପ୍ରାୟ ୩୦ ମିନିଟ ଧରି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ଏକ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।
ସମ୍ମିଳନୀ କକ୍ଷରେ ଚାଲିଥିବା ଭେଟଘାଟ୍ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି କହି ସମ୍ବୋଧନ କରିଥିଲେ। ପୂର୍ବରୁ ରାକ୍ଷୀ ବାନ୍ଧିଥିଲେ ବୋଲି ଦ୍ରୌପଦୀ କହିଥିଲେ। ବିଦେଶରେ ରହି ମୋହ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ମୁଁ ଗାଁର ଝିଅ, ମନ୍ତ୍ରୀ ଥିବା ବେଳେ ବହୁ କାମ କରିଛି। ଆହୁରି କାମ ବାକି ଅଛି, ଆପଣଙ୍କର ସହଯୋଗ ଦରକାର। ଆମ ଗାଁର ଅବସ୍ଥା ସୁଧୁରିବ। ଓଡ଼ିଶା ସୁନ୍ଦର ଭାବେ ବଢିବ ବୋଲି ଦ୍ରୌପଦୀ କହିଛନ୍ତି। ପରେ ସମସ୍ତଙ୍କ ଧନ୍ଯବାଦ ଜଣାଇଛନ୍ତି ଦ୍ରୌପଦୀ। ମାଗିବା ପୂର୍ବରୁ ସମର୍ଥନ ମିଳିଯାଇଛି ବୋଲି ଦ୍ରୌପଦୀ ନିଜ ସମ୍ବୋଧନରେ କହିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ପୁଣି ଥରେ ମୁଖ୍ଯମନ୍ତ୍ରୀ ଅପିଲ କରିଛନ୍ତି। ଭୋଟ ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ ହୁଏ ସେଥିପ୍ରତି ଧ୍ଯାନଦେବାକୁ କୁହାଯାଇଛି।
ବିଧାନସଭାର ସମ୍ମିଳନୀ କକ୍ଷରେ ଭେଟଘାଟ୍ ଶେଷ ହବାପରେ ରାଜ୍ୟ ଅତିଥି ଭବନ ଯିବେ ଦ୍ରୌପଦୀ ମୁର୍ମୁ। ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଦ୍ରୌପଦୀ ମୁର୍ମୁ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ମଧ୍ୟ ଜଣାପଡିଛି।