ଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ କେନ୍ଦ୍ରୀୟ ନେତା ଓଡିଶାରେ ଆସି ନିର୍ବାଚନ ପ୍ରଚାର ବେଳେ ଅନେକ ସ୍ୱପ୍ନ ଦେଖାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ନାଁ ବ୍ୟବହାର କରି ଏବଂ ଓଡିଆ ଅସ୍ମିତାର ଦ୍ୱାହି ଦେଇ ଭୋଟ୍‌ ମାଗିଥିଲେ। ଓଡିଶାବାସୀ ସେମାନଙ୍କ କଥାରେ ଭରସା କରି […]

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ କେନ୍ଦ୍ରୀୟ ନେତା ଓଡିଶାରେ ଆସି ନିର୍ବାଚନ ପ୍ରଚାର ବେଳେ ଅନେକ ସ୍ୱପ୍ନ ଦେଖାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ନାଁ ବ୍ୟବହାର କରି ଏବଂ ଓଡିଆ ଅସ୍ମିତାର ଦ୍ୱାହି ଦେଇ ଭୋଟ୍‌ ମାଗିଥିଲେ। ଓଡିଶାବାସୀ ସେମାନଙ୍କ କଥାରେ ଭରସା କରି ନିର୍ବାଚନରେ ବିଜେପିର ୨୦ ସାଂସଦଙ୍କୁ ଜିତାଇଥିଲେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ଓଡିଶା ମାଟିରେ କହିଥିଲେ, ଓଡିଶାରୁ ଜିତିଥିବା ଆସନ ପାଇଁ କେନ୍ଦ୍ରରେ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲୁ। ହେଲେ କେନ୍ଦ୍ରୀୟ ବଜେଟରେ ସେହି ଓଡିଶା ସହ ପ୍ରତାରଣା କରିବାକୁ କିଭଳି ପଛାଇଲେ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି।

ଶ୍ରୀ ବକ୍ସିପାତ୍ର ଆହୁରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଏନଡିଏର ୧୬ ସାଂସଦ ଓ ବିହାରରେ ଏନଡିଏର ୧୨ ସାଂସଦ ଜିତିଥିବା ବଳେ, ଓଡିଶାରୁ ବିଜେପିର ୨୦ ସାଂସଦଙ୍କୁ ରାଜ୍ୟବାସୀ ନିର୍ବାଚିତ କରିଥିଲେ। ହେଲେ ଚଳିତ ବଜେଟରେ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ହାତଖୋଲା ପାଣ୍ଠି ଦେଇଥିବା ବେଳେ ଓଡିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବିଜେପି ସରକାର। ଯାହା ସାଢେ ୪ କୋଟି ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ଜଗନ୍ନାଥଙ୍କ ରାଜ୍ୟରୁ ଅକୁଣ୍ଠ ସମର୍ଥନ ପାଇ ସରକାର ଗଠନ କରିବାରେ ବିଜେପି ସକ୍ଷମ ହେଲା, ସେହି ଜଗନ୍ନାଥଙ୍କ ରାଜ୍ୟ ପ୍ରତି ଏହିଭଳି ଆଚରଣ ଦୁର୍ଭାଗ୍ୟଜନକ।

ଲଗାତର ବାତ୍ୟା, ବନ୍ୟାର ଶିକାର ହେଉଥିବା ଓଡିଶା ରାଜ୍ୟ ନିଜସ୍ୱ ଉଦ୍ୟମରେ ଏହାର ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିଲା। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଦୀର୍ଘମିଆଦୀ ସହାୟତା ଯୋଗାଇବା ପାଇଁ ଓଡିଶା ବାରମ୍ବାର ଦାବି କରି ଆସୁଥିବା ବେଳେ ଚଳିତ ବଜେଟରେ ଆସାମ୍‌, ଉତରାଖଣ୍ଡ, ସିକିମ, ହିମାଚଳପ୍ରଦେଶ ଓ ବିହାର ଭଳି ରାଜ୍ୟକୁ ଅଯାଚିତ ସହାୟତା ପ୍ରଦାନ କରି ଓଡିଶାକୁ ଉପେକ୍ଷା କରିବା ରାଜ୍ୟବାସୀଙ୍କ ପ୍ରତି ଉପହାସ ନୁହେଁ ତ ଆଉ କଣ ବୋଲି ବିଜେଡି ପ୍ରଶ୍ନ କରିଛି।

ଆନ୍ଧ୍ରପ୍ରଦେଶର ଦାବି ମୁତାବକ୍‌ ପୋଲାଭରମ୍‌ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ବଜେଟରେ ଅର୍ଥ ବ୍ୟୟବରାଦ କରିଛନ୍ତି। ଯାହା ଓଡିଶାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାର୍ଥର ପରିପନ୍ଥୀ ଅଟେ। ଏହି ପ୍ରକଳ୍ପ ପାଇଁ ୧୨ଟି ଗାଁ ସମ୍ପୂର୍ଣ୍ଣ ବୁଡିଯିବାକୁ ଥିବା ବେଳେ, ବିଜେପି ଦଳର ଏଭଳି ଆଭିମୁଖ୍ୟ ଆମକୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ଓଡିଶାକୁ ୧ ନମ୍ବର ରାଜ୍ୟ କରି ଗଢିତୋଳିବାକୁ ସମସ୍ତ କେନ୍ଦ୍ରୀୟ ନେତା ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏହା କଣ ତାର ନମୂନା କି ବୋଲି ବିଜେଡି ପ୍ରଶ୍ନ କରିଛି।

ଇଣ୍ଡଷ୍ଟ୍ରିଆଲ କରିଡର୍‌ ମାଧ୍ୟମରେ ଅନ୍ୟ ରାଜ୍ୟର ବିକାଶ ପାଇଁ ବଜେଟରେ ଘୋଷଣା ହୋଇଥିବା ବେଳେ ଓଡିଶାକୁ ବିଜେପି ସରକାର ଭୁଲିଯିବା ଦୁର୍ଭାଗ୍ୟଜନକ। ଓଡିଶାରୁ ଉତୋଳିତ କୋଇଲା ବ୍ୟବହାର କରି ଅନ୍ୟ ରାଜ୍ୟ ସମୃଦ୍ଧ ହେଉଥିବା ବେଳେ ଓଡିଶାବାସୀ ଧୁଳି, ଧୁଆଁରେ ଅଣନିଶ୍ୱାସୀ ହେଉଛନ୍ତି। ମାତ୍ର କୋଇଲା ରୟାଲଟି ସଂଶୋଧନ ନେଇ ଓଡିଶାର ଦାବି ପ୍ରତି ବିଜେପି ସରକାର ଗତ ୧୦ ବର୍ଷ ଧରି ଅଣଦେଖା କରି ଆସୁଥିବା ବେଳେ ଡବଲ୍‌ ଇଂଜିନ୍‌ ସରକାର ସମୟରେ ଏହାକୁ ସଂପୂର୍ଣ୍ଣ ଉଛେଦ କରିବାକୁ ଷଡଯନ୍ତ୍ର ରଚୁଛନ୍ତି। ଯାହା ରାଜ୍ୟବାସୀଙ୍କ ପାଇଁ ଚରମ ପ୍ରତାରଣା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ପର୍ଯ୍ୟଟନ କ୍ଷେତ୍ର ପାଇଁ କିଛି ଅନୁଦାନ ମିଳିଥିବା ବିଜେପି ନେତା ଦାବି କରୁଛନ୍ତି, ହେଲେ କେତେ ଅନୁଦାନ ମିଳିଛି କେଉଁଥିପାଇଁ ମିଳିଛି, ତାର ସ୍ପଷ୍ଟତା ନାହିଁ। ବିଜେପିର ୨୦ ଜଣ ସାଂସଦଙ୍କୁ ଜିତାଇବାର ଫଳ ମିଳିଲା ବୋଲି ଓଡିଶାବାସୀ ଆଜି ଅନୁଭବ କରୁଛନ୍ତି। ବିଜୁ ଜନତା ଦଳ ଏଭଳି ଚରମ ଅବହେଳାକୁ ବରଦାସ୍ତ କରିବ ନାହିଁ, ଓଡିଶାର ସ୍ୱାର୍ଥ ପାଇଁ ସମସ୍ତ ଫୋରମରେ ଦଳର ତୀବ୍ର ପ୍ରତିବାଦ ଜାରି ରହିବ ବୋଲି ବିଜେଡି କହିଛି।

About The Author: The Sakala