ଭୁବନେଶ୍ୱର: ପ୍ରାୟ ଦୁଇ ମାସ ହେବ ସ୍ନାତକୋତ୍ତର (ପିଜି) ପାଠପଢ଼ା ଆରମ୍ଭ ହେଲାଣି। ହେଲେ ପୂରଣ ହୋଇପାରୁନି ସିଟ୍। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବାକୁ ମାସେ ବିତିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ବାହାର କରୁନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପାଖେ ଅନୁମୋଦନ ପାଇଁ ଫାଇଲ୍ ଅଟକିଥିବାରୁ ନାମଲେଖା ପ୍ରକ୍ରିୟା ବିଳମ୍ବ ହେଉଛି ବୋଲି କୁହାଯାଉଛି। ଗୋଟିଏ ପଟେ ନାମଲେଖା ପ୍ରକ୍ରିୟା ବିଳମ୍ବ ହେଉଥିବା ବେଳେ ଅନ୍ୟପଟେ ନାମ ଲେଖାଇବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟ ନାମଲେଖା ଗତ ମାସ ୪ ତାରିଖରେ ଶେଷ ହୋଇଛି। ଏହାକୁ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ସିଟ୍ ପୂରଣ କରିବାକୁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଚଳିତ ଶିକ୍ଷାବର୍ଷ ପିଜିରେ ଆହୁରି ୬ହଜାର ୭୬୫ଟି ସିଟ୍ ଖାଲି ପଡ଼ିଛି। ଅପରପକ୍ଷେ ସେପ୍ଟେମ୍ବର ୧୮ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ପ୍ରାୟ ଦୁଇ ମାସ ହେଲା ପାଠପଢ଼ା ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏଯାଏଁ ପରିଚୟପତ୍ର ମିଳିପାରୁନି। ନାମଲେଖା ପ୍ରକ୍ରିୟା ସରି ନଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ପରିଚୟପତ୍ର ପ୍ରଦାନ କରୁନଥିବା ଜଣାପଡ଼ିଛି। କାରଣ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି କିଛି ଛାତ୍ରଛାତ୍ରୀ ଅନ୍ୟତ୍ର ନାମ ଲେଖାଇବାର ସମ୍ଭାବନା ରହିଥିବା ଦର୍ଶାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ ପରିଚୟପତ୍ର ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛାତ୍ରବୃତ୍ତି ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ହୋଇଥିବାରୁ ସେମାନେ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଇତିମଧ୍ୟରେ ‘ପିଜି ମେରିଟ୍ ସ୍କଲାର୍ସିପ୍’ ଆବେଦନ ଅବଧି ସରିଯାଇଛି। ଫଳରେ ଆବେଦନ କରିବାରୁ ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତି ସରିଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପାଇଁ ବହୁ ପୂର୍ବରୁ ପଠାଯାଇଛି। ହେଲେ ଅନୁମୋଦନ ମିଳି ନଥିବାରୁ ବିଜ୍ଞପ୍ତି ବାହାରି ପାରୁନାହିଁ। ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ କାହିଁକି ନାମଲେଖା ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି, ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଳମ୍ବିତ ନାମଲେଖା ନେଇ ଅଭିଭାବକମାନେ ମଧ୍ୟ ପ୍ରଶ୍ନ କରିଛନ୍ତି। ପାଠପଢ଼ା ଆରମ୍ଭ ହେଇ ପରୀକ୍ଷା ପାଖଉଥିଲେ ମଧ୍ୟ ସରକାର ନାମଲେଖା ପ୍ରକ୍ରିୟାକୁ ବିଳମ୍ବିତ କରିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର କରୁଛି। ପରେ ନାମ ଲେଖାଇଲେ ସେମାନେ ଆଉ ସମାନ ଭାବେ ପାଠପଢ଼଼ି ନପାରି ପଛରେ ପଡ଼ିବେ। ଫଳରେ ଏହା ପରୀକ୍ଷାରେ ପ୍ରତିଫଳିତ ହେବା ସହ ପିଲାମାନଙ୍କ ମାନସିକସ୍ତରରେ ପ୍ରଭାବ ପକାଇବ ବୋଲି ଅଭିଭାବକମାନେ ଯୁକ୍ତି ବାଢ଼ିଛନ୍ତି।