ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିବା ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନରେ ସୋମବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର (ମଧ୍ୟ ନିର୍ବାଚନମଣ୍ଡଳୀ) ବିଧାୟକ ଅନନ୍ତ ନାରାୟଣ ଜେନା, କଟକ ମେୟର ସୁବାସ ସିଂ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ପ୍ରକଳ୍ପର ବାତିଲ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହାର ପୁନଃବିଚାର କରିବା ପାଇଁ ଦାବି କରିଛନ୍ତି।
ଅଶୋକ ପଣ୍ଡା କହିଥିଲେ ଯେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ସହର ମଧ୍ୟରେ ଗମନାଗମନର ଉନ୍ନତି ପାଇଁ ନବୀନ ସରକାର ମେଟ୍ରୋ ପ୍ରକଳ୍ପକୁ ଆରମ୍ଭ କରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ରାଜ୍ୟର ବିଜେପି ସରକାର ହୀନମନ୍ୟତାର ପରିଚୟ ଦେଇ ତାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରାଯିବାକୁ ନେଇ ମନ୍ତ୍ରୀମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି, ଏହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ।
ଅନନ୍ତ ନାରାୟଣ ଜେନା କହିଥିଲେ ଯେ ଦେଶର ୧୮ଟି ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ସଫଳତାର ସହିତ ଚାଲୁଛି। ଗମନାଗମନ କ୍ଷେତ୍ରରେ ମେଟ୍ରୋ ଏକ ମାଇଲଖୁଣ୍ଟ ହୋଇଥା’ନ୍ତା। ପୂର୍ବରୁ ଡିପିଆର୍ ପ୍ରସ୍ତୁତ ହେବା ସମୟରେ ଏହା କ୍ଷତି ହେବ ବୋଲି ଆକଳନ ହୋଇ ନ ଥିଲା। ଏବେ କିପରି କ୍ଷତି ହେବ ବୋଲି କୁହାଯାଉଛି? ମେଟ୍ରୋ ଚାଲିଲେ ବର୍ଷକୁ ଦୁଇ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ରାଜ୍ୟ ବିଜେପି ସରକାର କହୁଥିବା କଥା କେବଳ ମନଗଢ଼ା କାହାଣୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ, ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ମିଳିବ ବୋଲି ଭାବି ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟବାସୀ ଓ ଭବିଷ୍ୟତ ପିଢ଼ିଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହା ଚରମ ପ୍ରତାରଣା।
ସୁବାସ ସିଂ କହିଥିଲେ ଯେ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଏକ ଜଏଣ୍ଟ ଭେଞ୍ଚର୍ କମ୍ପାନୀ। ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ୬୨୫୫.୯୪ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ନବୀନ ବାବୁ ଆରମ୍ଭ କରିଥିଲେ। ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ପାଇଁ ରାଜ୍ୟବାସୀ କେବେ ଏ ସରକାରକୁ କ୍ଷମା ଦେବେ ନାହିଁ। ୨୦୦୭ ମସିହାରୁ ରାଜ୍ୟରେ କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା। କେନ୍ଦ୍ର ସରକାର ସହାୟତା ନ ଦେବାରୁ ନବୀନ ସରକାର ନିଜସ୍ୱ ସମ୍ୱଳରେ ୨୦୨୩ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ବୋଲି ସେ ମତବ୍ୟକ୍ତ କରିଥିଲେ।
ମେୟର ସୁଲୋଚନା ଦାସ କହିଥିଲେ ଯେ ମେଟ୍ରୋ ପ୍ରକଳ୍ପ କେବଳ ଭୁବନେଶ୍ୱର ଓ କଟକ ବାସିନ୍ଦାଙ୍କ ପାଇଁ ନୁହେଁ; ବରଂ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଗର୍ବର ବିଷୟ ଥିଲା। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ସରକାର ୨୦୩୬ ମସିହାରେ ବିକଶିତ ଓଡ଼ିଶା ଗଠନ କଥା କହୁଛନ୍ତି। ମେଟ୍ରୋ ପ୍ରକଳ୍ପ ବିନା ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ଦେଖିବା କେତେଦୂର ଯୁକ୍ତିଯୁକ୍ତ। ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ ରିଜିଅନ ପାଇଁ ମେଟ୍ରୋ ଏକ ନୂତନ ସମ୍ଭାବନା ହେବାକୁ ଯାଉଥିଲା। ତେଣୁ ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପର ବାତିଲ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ସେ ଦାବି କରିଛନ୍ତି।