ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧିନସ୍ଥ ପଲୁଖୋଳା ଜଙ୍ଗଲରୁ ପାଟପୁର ପୋଲିସ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତକ ଯୁବକ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ପଦ୍ମନାଭପୂର୍ ଗ୍ରାମର ରାଜୁ ସେଠୀ ଓ ଯୁବତୀ ଜଣଙ୍କ ହେଲେ ପାଟପୁର ଥାନା ପଳାସପୁର ଗ୍ରାମର ସନ୍ତୋଷୀ ସେଠୀ ।
ସୂଚନା ମୁତାବକ ଉକ୍ତ ପଲୁଖୋଳା ଗ୍ରାମର କିଛି ଲୋକ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ । କିଛି ଦୂରରେ ଜଣେ ଯୁବତୀଙ୍କ ମୃତ ଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଡ଼ାମାରି ଫାଣ୍ଡି ଏ ଏସ ଆଇ ପ୍ରଭାତ କୁମାର ବାଲିକନା ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଯୁବକଙ୍କ ମୃତଦେହ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାକାର ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ପରେ ଯୁବତୀ ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଯୁବତୀ ଜଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ତେବେ ଉଭୟ ପ୍ରେମୀ ଯୁଗଳ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପାଟପୁର ଥାନା ଏସ ଆଇ ତ୍ରୀନାଥ ଭୋଇ ଏ ଏସ ଆଇ କୃଷ୍ଣ ଦାସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅପମୃତ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।