ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

ଓଡିଶାରେ ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱର ଫଳ

ଭୁବନେଶ୍ୱର: ନୀତି ଆୟୋଗର ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍‌ ଇଣ୍ଡେକ୍ସ ରିପୋର୍ଟରେ ଓଡିଶାକୁ ୫ମ ସ୍ଥାନ ମିଳିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଯୋଗୁଁ  ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶାକୁ ଏହି ଇଣ୍ଡେକ୍ସରେ ସ୍ଥାନ ମିଳିଛି। ମାତ୍ର ପୂର୍ବ ସରକାରଙ୍କ ସଫଳତା, ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ନିଜର ସଫଳତା ବୋଲି ଏବର ସରକାର ପ୍ରଚାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛି ବୋଲି ସିଧାସଳଖ ବିଜେପି ପ୍ରତି ଅଙ୍ଗୁଳି ଉଠାଇଛି ବିଜେଡି। ଓଡିଶା ଏବେ ଭାରତର ଅନ୍ୟତମ ନିବେଶ ଅନୁକୂଳ, ଆର୍ଥିକ ଶୃଙ୍ଖଳିତ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଯେଉଁ ସୁନାମ ଅର୍ଜନ କରିଛି ତାହା କେବଳ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ସମ୍ଭବ ହୋଇ ପାରିଛି। ୨୪ ବର୍ଷର ସ୍ଥିର ଶାସନ, ଆର୍ଥିକ ଶୃଙ୍ଖଳା ଓ ନୀତିଗତ ସ୍ଥିରତା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଓଡିଶା ଆଗେଇ ଚାଲିଛି। କିନ୍ତୁ ବିଜେପି ସରକାର ଏହାକୁ ନିଜର ସଫଳତା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ବିଜୁ ଜନତା ଦଳ। 

ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ମୁଖପାତ୍ର  ଲେନିନ ମହାନ୍ତି ଏନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
କ୍ୟାପଟେନ ଶ୍ରୀ ମିଶ୍ର କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଇସ୍ପାତ, ଆଲୁମିନିୟମ୍‌, ଖଣି, ପେଟ୍ରୋକେମିକାଲ୍‌, ଉତ୍ପାଦନ, ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଏବଂ ସେବା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଓଡିଶା ଦେଶର ଅନ୍ୟତମ ନିବେଶ ରାଜ୍ୟରେ ପରିଣତ ହୋଇଥିଲା। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ଅନୁସାରେ, ୨୦୧୯ ମସିହାରେ ଓଡିଶା ମହାରାଷ୍ଟ୍ରକୁ ପଛରେ ପକାଇ ନିବେଶ ପ୍ରସ୍ତାବ ଆକର୍ଷଣରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଭାରତର ପ୍ରାୟ ୫୦ ପ୍ରତିଶତ ଖଣିଜ ସମ୍ପଦ ଓଡିଶାରେ ରହିଛି ଏବଂ ଦେଶର ପ୍ରାୟ ଏକ ଚତୁର୍ଥାଂଶ କୋଇଲା ଉତ୍ପାଦନ ଓଡିଶାରୁ ହୋଇଥାଏ। ଏହି ପ୍ରାକୃତିକ ସମ୍ପଦକୁ ସ୍ଥାୟୀ ଶିଳ୍ପ ବିକାଶରେ ପରିଣତ କରିବା ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତାର ପ୍ରମାଣ। ଦୁଇ ବର୍ଷରୁ ଅଧିକ ସମୟ ଶାସନରେ ରହି ବିଜେପି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା କରିଥିଲେ ମଧ୍ୟ ଶିଳ୍ପ ପ୍ରକଳ୍ପ, ନୂତନ ଶିଳ୍ପ କରିଡର କରିବାରେ ବିଫଳ ହୋଇଛନ୍ତି। ପୂର୍ବ ବିଜେଡି ସରକାରର କାମକୁ ନିଜର ସଫଳତା କହି ବର୍ତ୍ତମାନର ସରକାର ଯେଉଁ ବାହାବା ନେଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। 

ଲେନିନ୍‌ ମହାନ୍ତି କହିଥିଲେ ଯେ ନୀତି ଆୟୋଗର ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍‌ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶା ୫ମ ସ୍ଥାନରେ ରହି ଯେଉଁ କୃତିତ୍ୱ ହାସଲ କରିଛି ତାହା କେବଳ ବିଜେଡି ସରକାରର ଦୁଇ ଦଶନ୍ଧିର ଆର୍ଥିକ ଶୃଙ୍ଖଳା, ନୀତିଗତ ସ୍ଥିରତାର ଯୋଗୁଁ ସମ୍ଭବ ହୋଇପାରିଛି। ବର୍ତ୍ତମାନର ସରକାର ଶିଳ୍ପ ପ୍ରତିନିଧିଙ୍କୁ ନେଇ ଆଡମ୍ୱରପୂର୍ଣ୍ଣ ସରକାରୀ ଉତ୍ସବ ପାଳନ କରି ମାତ୍ର ଦୁଇ ବର୍ଷରେ ନିଜର କୃତିତ୍ୱ ବୋଲି ଦର୍ଶାଇବା ଦୁର୍ଭାଗ୍ୟଜନକ।  ବିଚକ୍ଷଣ ଆର୍ଥିକ ପରିଚାଳନା, ଐତିହାସିକ ଆର୍ଥିକ ସଂସ୍କାର, ସ୍ୱଛ ପ୍ରଶାସନ, ୫-ଟି ଶାସନ ବ୍ୟବସ୍ଥାର ରୂପାୟନ ମାଧ୍ୟମରେ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଅନ୍ୟତମ ଆର୍ଥିକ ଶୃଙ୍ଖଳିତ ରାଜ୍ୟରେ ପରିଣତ କରିଥିଲେ। ଦୁଇ ବର୍ଷରୁ ଅଧିକ ସମୟ ଶାସନରେ ରହିଥିଲେ ମଧ୍ୟ ବର୍ତ୍ତମାନର ସରକାର ଶିଳ୍ପାୟନ କ୍ଷେତ୍ରରେ ସେପରି ଆଖିଦୃଶିଆ କାର୍ଯ୍ୟ କରିପାରି ନାହାନ୍ତି। ବରଂ ପୂର୍ବ ସରକାରଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ନୀତି, ପ୍ରକଳ୍ପ ଓ ସଫଳତାକୁ ପ୍ରଚାର ମାଧ୍ୟମରେ ନିଜର ବୋଲି ଦର୍ଶାଇବାକୁ ପ୍ରୟାସ କରୁଛନ୍ତି। ପୂର୍ବ ସରକାରର ସଫଳତାକୁ ନିଜର ବୋଲି ଦାବି କରିବା ପରିବର୍ତ୍ତେ ନୂତନ ଶିଳ୍ପ ସ୍ଥାପନ, ରୋଜଗାର ସୃଷ୍ଟି, ଆର୍ଥିକ ପରିଚାଳନାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ବର୍ତ୍ତମାନର   ବିଜେପି ସରକାର କାର୍ଯ୍ୟ କରନ୍ତୁ ବୋଲି ସେ କହିଛନ୍ତି।

About The Author: Madhusudan Das