ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଏଲ୍‌ଟିଆର୍ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ। ସ୍କୁଲ ଗେଟ୍ ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଆହତ ଶିକ୍ଷକ ଜଣକ ହେଲେ ଭବାନୀ କୁମାର ଦାସ। 

ସୂଚନା ଅନୁସାରେ, ଭବାନୀ କୁମାର ଦାସ ପ୍ରତିଦିନ ଭଳି ଆଜି ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଉଥିଲେ। ତେବେ ସ୍କୁଲ ଗେଟ୍ ନିକଟରେ ପହଞ୍ଚିବା ସମୟରେ କୌଣସି ଜଣେ ଅଜଣା ଦୁର୍ବୃତ୍ତ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ଭବାନୀ କୁମାର ଦାସ ଘଟଣାସ୍ଥଳରେ ହିଁ ମୂର୍ଚ୍ଛା ହୋଇ ପଡ଼ିଥିଲେ। ପରେ ସହକର୍ମୀ ଶିକ୍ଷକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଏବଂ କାହିଁକି ଶିକ୍ଷକଙ୍କୁ ଆକ୍ରମଣ କଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଅଜଣା ଦୁର୍ବୃତ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।

About The Author: Madhusudan Das