ଭୁବନେଶ୍ୱର: ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ (Scrub Typhus) ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ମାମଲାଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଏହାର ମୁକାବିଲା ପାଇଁ ଏପିଡେମିଓଲୋଜିକାଲ୍ ତଥା ଲାବୋରେଟୋରୀ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି।
୩୦ ଅଗଷ୍ଟ ୨୦୨୬ ରେ ପୂର୍ବରୁ ପରୀକ୍ଷା କରାଯାଇଥିବା ୯ଟି ନମୁନାର ଆଇଜିଏମ୍ ଏଲିସା (IgM ELISA) ରିପୋର୍ଟ ନେଗେଟିଭ୍ ଆସିଛି। ଏହି ସମୟ ମଧ୍ୟରେ ପ୍ରଭାବିତ ଅଞ୍ଚଳରେ ସାମୂହିକ ସ୍କ୍ରିନିଂ କରାଯାଇଛି ଏବଂ ଅଧିକ ନମୁନା ସଂଗ୍ରହ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରନ୍ତର ସର୍ଭେଲାନ୍ସ ଏବଂ ଠିକ୍ ସମୟରେ ପରୀକ୍ଷା କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ଏହି ସ୍ଥିତିକୁ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟର ଭାବରେ ବିବେଚନା କରାଯାଉଛି ଏବଂ ଲାବୋରେଟୋରୀ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ।
ଲୋକଙ୍କୁ ସ୍ୱଚ୍ଛ ଓ ପରିଷ୍କାର ପରିବେଶ ବଜାୟ ରଖିବା ସହ ଘଞ୍ଚ ଗଛଲତା, ବୁଦା ଏବଂ ଲମ୍ବା ଘାସ ଥିବା ଅଞ୍ଚଳକୁ ନଯିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ବାହାରକୁ ଯିବା ସମୟରେ ଫୁଲ୍ ସାର୍ଟ, ଲମ୍ବା ପ୍ୟାଣ୍ଟ୍ ଏବଂ ଜୋତା ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ଶରୀରର ଚର୍ମ ସିଧାସଳଖ ସଂସ୍ପର୍ଶରେ ଆସିବ ନାହିଁ। ଏହା ସହିତ ଆଖପାଖ ପରିବେଶକୁ ସଫା ରଖିବା ଏବଂ ସିଧାସଳଖ ଘାସ କିମ୍ବା ମାଟି ଉପରେ ନବସିବା ବା ନଶୋଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।