ଭୁବନେଶ୍ବର : ବରିଷ୍ଠ ଆଇପିଏସ୍ ସୁନୀଲ କୁମାର ବଂଶଲ ହେବେ ନୂଆ ଡ଼ିଜିପି । ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ କୁମାର ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି ।
ରାଜ୍ୟର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି ପାଇଲା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁନୀଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବନିଯୁକ୍ତ ଡିଜିପି । ଗରିବ, ମହିଳା, ଶିଶୁଙ୍କ ସୁରକ୍ଷାକୁ ସେ ଅଗ୍ରାଧିକାର ଦେବେ ବୋଲି ବଂଶଲ କହିଛନ୍ତି । ରାଜ୍ୟରେ ଭଲ କାମ କରିବାକୁ ସେ ସର୍ବଦା ଚେଷ୍ଟା କରିବେ । ନିର୍ବାଚନ ସମୟରେ ସୁରକ୍ଷା ଚ୍ୟାଲେଂଜକୁ ସଫଳତାର ସହ ମୁକାବିଲା କରାଯିବ ବୋଲି ସୁନୀଲ ବଂଶଲ ଦୃଢତାର ସହ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ସୁରକ୍ଷା ଓ ସେବା ପୁଲିସର ମୁଖ୍ୟ ଲକ୍ଷ୍ୟ ରହିବ। ଲୋକଙ୍କୁ ଭୟମୁକ୍ତ ବାତାବରଣ ଦେବାକୁ ହେବ। ଦଳିତ ଓ ଆଦିବାସୀ ଯେଭଳି ଭୟ ନ କରିବେ, ସେଥିପ୍ରତି କାମ କରିବାକୁ ହେବ। ରଣନୀତି ପାଇଁ କିଛି ସମୟ ଆବଶ୍ୟକ ବୋଲି ନବନିଯୁକ୍ତ ଡିଜିପି ସୁନୀଲ ବଂଶଲ କହିଛନ୍ତି।
ଡ଼ିଜିପି ଅଭୟଙ୍କଠାରୁ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡ଼ିଜିପି ଅଭୟ ଅବସର ନେବେ ।ଡିସେମ୍ବର ୩୧ ତାରିଖରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଥିବାରୁ ନୂଆ ବର୍ଷରେ ନୂଆ ଡିଜିପି ଶ୍ରୀ ବଂଶଲ୍ କାର୍ଯ୍ୟଭାର ଗ୍ରହଣ କରିବେ। ସୁନୀଲ କୁମାର ବଂଶଲ୍ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜର ଏସ୍ପି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ବହୁ ଦିନ ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ।