ଭୁବନେଶ୍ୱର : ଆଗାମୀ ୨୦୨୪ ନିର୍ବାଚନରେ ଆଖିଦୃଶିଆ ପ୍ରଦର୍ଶନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଜୋର୍ସୋର୍ରେ ଲାଗିପଡ଼ିଛନ୍ତି। ବିଗତ ନିର୍ବାଚନରେ ଦଳର ସ୍ଥିତି, ଉପନିର୍ବାଚନ ଫଳାଫଳ ସମୀକ୍ଷା ସହ ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହୋଇ ଅଧିକ ଭୋଟ ହାତେଇବା ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା ଚଳାଇଛନ୍ତି। ଏହିକ୍ରମରେ ଆସନ୍ତାକାଲି(ଶନିବାର) ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ରବିବାର କଂଗ୍ରେସର ରାଜ୍ୟ ପ୍ରଭାରୀ ଦଳୀୟ ସଂଗଠନକୁ ଦିଗ ଦେଖାଇବାକୁ ଆସୁଥିବା ଜଣାପଡ଼ିଛି।
ଜାତୀୟସ୍ତରରେ ବିଜେପି ନିଜର ସଂଗଠନକୁ ଯେଉଁଭଳି ଭାବେ ମଜଭୁତ କରିପାରିଛି, ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ୱମାନେ ସେଭଳି ଦକ୍ଷତା ଦେଖାଇପାରି ନାହାନ୍ତି।
ଏଣୁ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ବଡ଼ଧରଣର ସାଂଗଠନିକ ବୈଠକର ଆୟୋଜନ କରୁଛି। ଉତ୍ତରପ୍ରଦେଶ ନିର୍ବାଚନ ସଫଳତା ପରେ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ହୋଇଥିବା ସୁନୀଲ ବଂଶଲ ଶନିବାର ଓଡ଼ିଶା ଆସି ଦଳର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାର ଯୋଜନା ରହିଛି। ବିଜେପିର ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକକୁ ରାଜ୍ୟ ନେତୃତ୍ୱଙ୍କ ସମେତ ସବୁ ଜିଲ୍ଲା ବିଜେପି ସଭାପତି ଓ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀ ବଂଶଲ ପ୍ରଥମେ ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପଛର କାରଣ ଚିହ୍ନଟ କରିବେ। ଦାୟିତ୍ୱରେ ଥିବା ନେତାମାନଙ୍କୁ ଏନେଇ ପ୍ରଶ୍ନ କରାଯିବ ବୋଲି ଜଣାପଡ଼ିଛି।
ଏହା ସହ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏଭଳି ସ୍ଥଳେ ଦଳ ନୂଆ ରଣନୀତି ପ୍ରସ୍ତୁତ କରିବ ବୋଲି ବିଜେପି ନେତାମାନେ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଶନିବାର ହେବାକୁ ଥିବା ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶ୍ରୀ ବଂଶଲ ଏବଂ ଡି. ପୁରେନ୍ଦଶ୍ୱରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପଦ୍ମପୁର ଓ ଧାମନଗର ନିର୍ବାଚନର ସମୀକ୍ଷା କରାଯିବ। ଏହା ପରେ ୨ଟି ପର୍ଯ୍ୟାୟରେ ବୈଠକ ହେବ। ଦିନ ୧୧ଟାରେ ହେବାକୁ ଥିବା ବୈଠକରେ ଅଫିସ୍ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବିଧାୟକ ଓ ଜିଲ୍ଲା ପ୍ରଭାରୀମାନେ ଯୋଗଦେବେ। କୋର୍ କମିଟି ବୈଠକ ଅପରାହ୍ଣରେ ଅନୁଷ୍ଠିତ ହେବାର ଯୋଜନା ରହିଛି। ଏଥିରେ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ।
୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୮ଟି ଲୋକସଭା ଓ ୨୩ଟି ବିଧାନସଭା ଆସନ ଦଖଲ କରି ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିଲା। ମାତ୍ର ଏହାପରଠାରୁ ରାଜ୍ୟରେ ହୋଇଥିବା ଅଧିକାଂଶ ଉପନିର୍ବାଚନରେ ଦଳ ପରାଜୟର ସ୍ୱାଦ ଚାଖିଛି। ୨୦୨୪ରେ କିଭଳି କ୍ଷମତା ହାତେଇ ହେବ, ସେନେଇ ଦଳ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବ। ସେହିଭଳି ରାଜ୍ୟର ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ଚିହ୍ନଟ କରାଯିବ। ସରକାରଙ୍କୁ ଘେରିବା ପାଇଁ କେଉଁ କେଉଁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ହେବ, ତାହା ଚୂଡ଼ାନ୍ତ କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ କ୍ରମାଗତ ବିପର୍ଯ୍ୟୟ ସତ୍ତ୍ବେ ଆଗାମୀ ସାଧାରଣ ନିର୍ବାଚନ ଲଢ଼େଇରେ କଂଗ୍ରେସ ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ।
ଏଥିପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତା ୧୮ରେ ବୈଠକ ବସିବ। ଓଡ଼ିଶା ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ବୈଠକରେ ଯୋଗ ଦେଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଦଳ ଭିତରେ ବିଦ୍ରୋହ ମୁଣ୍ଡ ଟେକିଛି। ପିସିସି ସଭାପତିଙ୍କ ଉପସ୍ଥିତିରେ ଦଳର ସବୁ ଆଭ୍ୟନ୍ତରୀଣ ବିବାଦ ଉପରେ ପ୍ରଭାରୀ ନିଜ ମତ ରଖିବେ। ତାଙ୍କ ନିର୍ଦ୍ଦେଶରେ କଂଗ୍ରେସ କାମ କରିବ। ୯ରୁ ୯୦ ମିଶନ ହାସଲ ପାଇଁ ଦଳର ନେତାମାନଙ୍କୁ ଏକଜୁଟ୍ କରିବାକୁ ଏଭଳି ବୈଠକର ଆୟୋଜନ ହୋଇଛି। ଏପରିକି ଆଗାମୀ ୧୫ ଦିନ ଭିତରେ କଂଗ୍ରେସ ଟିକଟ ଆଶାୟୀଙ୍କୁ ଗ୍ରୀନ୍ ସିଗ୍ନାଲ୍ ଦେବାକୁ ଯୋଜନା କରୁଛି। ଯେଉଁମାନଙ୍କୁ ଗ୍ରୀନ୍ ସିଗ୍ନାଲ୍ ମିଳିବ, ସେମାନେ ନିଜ ନିଜ ନିର୍ବାଚନୀ କ୍ଷେତ୍ରରେ କଂଗ୍ରେସ ସଂଗଠନର ମଙ୍ଗ ଧରିବେ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।