ସୁନ୍ଦରଗଡ଼(ଜୟକୃଷ୍ଣ ସେଠ): ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହି ଆସିଛି। ମାତ୍ର ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷଗୁଡିକ ନଷ୍ଟ ହୋଇଯାଉଛି। ସାମ୍ପ୍ରତିକ ସ୍ଥିତିରେ ଗଛକୁ ଭଲ ପାଇ ଏକ ଔଷଧୀୟ ଉଦ୍ୟାନ ସୃଷ୍ଟି କରିବାର ବିରଳ ପରମ୍ପରା ସୃଷ୍ଟି କରିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଝୁରିମାଲ ଗାଁ । ଏହାର ସୁରକ୍ଷା ପାଇଁ ମୁଖ୍ୟ କର୍ଣ୍ଣଧାର ସାଜିଛି ଗ୍ରାମର ବନ ସୁରକ୍ଷା ସମିତି।
ଝୁରିମାଲ ଗାଁର ଏକତା, ସହଭାଗିତା, ଭାଇଚାରାର ପରମ୍ପରା ରାଜ୍ୟ ତଥା ଦେଶରେ ପ୍ରସିଦ୍ଧ। ଏହି ଗାଁର ବନ ସୁରକ୍ଷା ସମିତି ତରଫରୁ ଶ୍ରମଦାନ ମାଧ୍ୟମରେ କରାଯାଇଛି ଅନେକ ଅଭିନବ କାର୍ଯ୍ୟ। ସୃଷ୍ଟି କରାଯାଇଛି ଅନେକ ସାମୁହିକ ସମ୍ପତି। ଗାଁର ପ୍ରତ୍ୟେକ ମହିଳାମାନଙ୍କର ଗଛକୁ ରାକ୍ଷୀ ବାନ୍ଧିବାର ନିଆରା ପରମ୍ପରା ରହି ଆସିଛି। ସେହିପରି ଏହି ଗାଁ ପ୍ରତ୍ୟେକ ପରିବାର ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇ ଆଜୀବନ ସୁରକ୍ଷାର ଶପଥ ନେବାର ଅବିଶ୍ୱସନୀୟ ସଂସ୍କୃତି କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ସାମୂହିକ ଇତିହାସର ପରମ୍ପରା ସୃଷ୍ଟି କରିଛି। କୌଣସି ସରକାରୀ ଅନୁଦାନକୁ ଅଧିକ ଆଶା ଓ ଭରସା ନ କରି ସାମୂହିକ ଶ୍ରମଦାନକୁ ନିଜର ପ୍ରମୁଖ ଅସ୍ତ୍ର ରୂପରେ ବ୍ୟବହାର କରି ଗାଁ ବନ ସୁରକ୍ଷା ସମିତି ନେତୃତ୍ୱରେ ଏକ ଔଷଧୀୟ ଉଦ୍ୟାନ ସୃଷ୍ଟି କରାଯାଇଛି। ଗତ ୨୦୨୨ ଜୁଲାଇ ୧୬ ତାରିଖ ଦିନ ବନ ସୁରକ୍ଷା ସମିତି ଦ୍ୱାରା ନିଜସ୍ୱ ଉଦ୍ୟମରେ ଶ୍ରମଦାନ ମାଧ୍ୟମରେ ଗ୍ରାମର ତିନି ଏକର ପରିମିତ ଜମିରେ ଔଷଧୀୟ ଉଦ୍ୟାନ ‘ସଞ୍ଜୀବନୀ ବାଟିକା’ଆରମ୍ଭ କରା ଯାଇଥିଲା। ଏହି ଔଷଧୀୟ ଉଦ୍ୟାନରେ ପ୍ରଥମ ପର୍ଯ୍ୟାୟରେ ୫୬ ପ୍ରକାରର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଆଦି ରୋପଣ କରାଯାଇଥିବା ବେଳେ ବର୍ତ୍ତମାନର ସମୟରେ ଏହି ‘ସଞ୍ଜୀବନୀ ବାଟିକା’ ରେ ୧୦୦ରୁ ଅଧିକ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ମହଜୁଦ ରହିଛି। ଆଞ୍ଚଳିକ ଔଷଧୀୟ ଗଛ ହରିଡା, ବାହାଡା, ଅଁଳା ସାଙ୍ଗକୁ କର୍ପୁର, ଅଳେଇଚ, ଲବଙ୍ଗ, ବ୍ରହ୍ମକମଳ, ଡାଳଚିନି, କୁମକୁମ, ଗୋଲମରିଚ ଇତ୍ୟାଦି ଶତାଧିକ ଗଛ, ଲତା, ଗୁଳ୍ମ ଏହି ଔଷଧୀୟ ବାଟିକାର ଶୋଭା ବର୍ଦ୍ଧନ କରୁଛି। ସଞ୍ଜିବନୀ ବାଟିକାର ପରିକଳ୍ପନା କରିଥିବା ଝୁରିମାଲ ବନ ସୁରକ୍ଷା ସମିତିର ମୁଖ୍ୟ ଉପଦେଷ୍ଟା ଦିଗାମ୍ବର ଉପାଧ୍ୟାୟଙ୍କ ଏକ ଶିକ୍ଷଣୀୟ ପୁସ୍ତିକା ପ୍ରସ୍ତୁତ କରା ଯାଇଛି ଯେଉଁଥିରେ ପ୍ରତ୍ୟେକ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମର ସବିଶେଷ ତଥ୍ୟ ଲିପିବଦ୍ଧ କରା ଯାଇଛି।