ଭୁବନେଶ୍ୱର: ସାରା ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ସମ୍ବଲପୁରରେ ନିଆଁ ବର୍ଷା ଖରା ଅନୁଭୂତ ହେଉଛି । ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁରରେ ୪୫.୩ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟପଟେ ଡହଡହ ଖରାରେ ସିଝିଲେ ରାଜଧାନୀବାସୀ। ଭୁବନେଶ୍ୱରର ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ ଥିବାବେଳେ ହୀରାକୁଦରେ ୪୪.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୪ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
କଟକ ଏବଂ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ସାଙ୍ଗକୁ ଅହସ୍ୟ ଗୁଳୁଗୁଳି ଜାରି ରହିବା ସହ ସ୍ୱାଭାବିକ ତୁଳନାରେ ୬ ଦଶମିକ ୫ ଡିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ଦିନ ତାପମାତ୍ରା । ସେପଟେ ରଜରେ ପ୍ରବଳ ଗୁଳୁଗୁଳି ସହ ତାତି ଜାରି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତନ ନଥିବାବେଳେ ଚଳିତ ବର୍ଷ ୧୪ ରୁ ୧୬ ରଜ ପର୍ବରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।