ପ୍ରକୃତିର ଅପାର ଦାନ: ଦେଉଳଝରି

ସୁବର୍ଣ୍ଣପୁର (ଧରଣୀଧର ମିଶ୍ର): ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାର ମଧ୍ୟ ଭାଗରେ ରହିଛି ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଦେଉଳଝରି। ଜଙ୍ଗଲ, ପର୍ବତ, ଝରଣା ସହ ପକ୍ଷୀଙ୍କ କାକଳି ଦେଉଳଝରିକୁ ଆକର୍ଷଣୀୟ କରି ଗଢି ତୋଳିଥିଲେ ମଧ୍ୟ ଏଯାଏଁ ଦେଉଳଝରିରେ ବିକାଶର ସୂର୍ଯ୍ୟ ଉଦୟ ହୋଇନି। ଅଗନା ଅଗନି ଜଙ୍ଗଲ ଭିତରେ ସୁଉଚ୍ଚ ପର୍ବତମାଳା। ଖୁବ୍‌ ମନୋରମ ପରିବେଶ। ଏହାରି ଭିତରେ ଠିକ ଦେଉଳ ଭଳି ଏକ ପାହାଡ଼ ରହିଛି। ପାହାଡ଼ ପାଦ ଦେଶରେ କୁଳୁ କୁଳୁ […]

ସୁବର୍ଣ୍ଣପୁର (ଧରଣୀଧର ମିଶ୍ର): ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାର ମଧ୍ୟ ଭାଗରେ ରହିଛି ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଦେଉଳଝରି। ଜଙ୍ଗଲ, ପର୍ବତ, ଝରଣା ସହ ପକ୍ଷୀଙ୍କ କାକଳି ଦେଉଳଝରିକୁ ଆକର୍ଷଣୀୟ କରି ଗଢି ତୋଳିଥିଲେ ମଧ୍ୟ ଏଯାଏଁ ଦେଉଳଝରିରେ ବିକାଶର ସୂର୍ଯ୍ୟ ଉଦୟ ହୋଇନି। ଅଗନା ଅଗନି ଜଙ୍ଗଲ ଭିତରେ ସୁଉଚ୍ଚ ପର୍ବତମାଳା। ଖୁବ୍‌ ମନୋରମ ପରିବେଶ। ଏହାରି ଭିତରେ ଠିକ ଦେଉଳ ଭଳି ଏକ ପାହାଡ଼ ରହିଛି। ପାହାଡ଼ ପାଦ ଦେଶରେ କୁଳୁ କୁଳୁ ନାଦରେ ବହି ଯାଉଛି ନୀଳ ଝରଣା। ବିଶ୍ୱାସ ଅଛି ବର୍ଷା ଅଭାବରୁ ‘ସଲ ମରିବାକୁ ବସିଲେ ଏହି ପାହାଡ଼ ତଳେ ଭକ୍ତି ଭାବରେ ସଂକୀର୍ତ୍ତନ କଲେ ପାହାଡ଼ରୁ ପାଣି ଝରିଥାଏ ଏବଂ ଭଲ ବର୍ଷା ହୋଇଥାଏ। ଏଣୁ ଏହି ପାହାଡ଼କୁ ଦେଉଳଝରି ବୋଲି କୁହାଯାଏ।

 

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ କୁନ୍ଦପାଲ ଗାଁ ନିକଟରେ ଅଛି ଦେଉଳଝରି ପାହାଡ଼। ପାହାଡ଼ରେ ପୂଜା ପାଉଛନ୍ତି ସିଦ୍ଧେଶ୍ୱର ବାବା ଏବଂ ପୂର୍ଣ୍ଣମାସୀ ଦେବୀ। ପାହାଡ଼ ଉପରେ ଏକ ସୁନ୍ଦର ମଠ ରହିଛି। ଠାକୁରଙ୍କ ପୂଜା ପାଠକରି ଜଙ୍ଗଲ ସୁରକ୍ଷାରେ ଧ୍ୟାନ ଦେଇ ଏହି ମଠରେ ରହୁଥିବା ବାବା ନିରାଡାମ୍ବର ଜୀବନଯାପନ କରୁଛନ୍ତି। ପାହାଡ଼ର ଶୀର୍ଷ ଦେଶରୁ ଏକ ଛୋଟ ଝରଣା ତଳ ପର୍ଯ୍ୟନ୍ତ ବହି ଆସିଛି।

ଏହି ସ୍ଥାନକୁ ଯିବା ପାଇଁ ହେଲେ କୁନ୍ଦପାଲ ଗାଁ ଦେଇ ଯିବାକୁ ହୁଏ। ଏଠାରୁ ପ୍ରାୟ ୨ କିଲୋମିଟର ପାଦଚଲା ରାସ୍ତାରେ ଗଲେ ଦେବ କୁଣ୍ଡର ଦର୍ଶନ କରିପାରିବେ। ଦେବକୁଣ୍ଡ ଆଶ୍ରମର ପ୍ରବେଶ ଦ୍ୱାର। ସମୁଦ୍ର ପତ୍ତନତ୍ତଠାରୁ ୨ହଜାର ଫୁଟ ଉଚ୍ଚରେ ରହିଛି ପବିତ୍ର ଗୁମ୍ଫା। ଏହି ଗୁମ୍ଫାକୁ ପାଣ୍ଡବ ଗୁମ୍ଫା କୁହାଯାଏ। ଅଜ୍ଞାତବାସ ସମୟରେ ଏହି ଗୁମ୍ଫାରେ ପଞ୍ଚୁ ପାଣ୍ଡବ ବସବାସ କରିଥିବା ଜନଶୃତି ରହିଛି। ସୋନପୁର ରାମେଶ୍ୱର ମନ୍ଦିର ନିକଟସ୍ଥ ମହାନଦୀ ଗର୍ଭର ହନୁମାନ ଟାଙ୍ଗରରେ ମଧ୍ୟ ଏକ ବିରାଟକାୟ ପାଦ ଚିହ୍ନ ରହିଛି। ଏହାକୁ ଭୀମଙ୍କ ପାଦଚିହ୍ନ ବୋଲି ଲୋକେ କୁହନ୍ତି। ତେଣୁ ଅଜ୍ଞାତବାସ ସମୟରେ ପଞ୍ଚୁ ପାଣ୍ଡବ ଏହି ଅଞ୍ଚଳରେ ରହିିଥିବା ବିଶ୍ୱାସ କରାଯାଏ।

ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଜୈବ ବିବିଧତା, ନାନାଦି ଔଷଧୀୟ ଗୁଳ୍ମରାଜି, ପକ୍ଷୀଙ୍କ କାକଳିରେ ଆନମନା ହୁଅନ୍ତି। ଗୋଟିଏ ପଟେ ସୋନପୁର ଜିଲ୍ଲା ଅନ୍ୟପଟେ ସମ୍ବଲପୁର ଜିଲ୍ଲା, ମଝିରେ ଠିକ ଜାଗ୍ରତ ପ୍ରହରୀ ଭଳି ଛିଡା ହୋଇଛି ଦେଉଳ ଝରି ପାହାଡ଼। ତେବେ ଏକ ସୁନ୍ଦର ସ୍ଥାନ ହୋଇଥିଲେ ମଧ୍ୟ ଭଲ ରାସ୍ତା ନାହିଁ। ଦେଉଳଝରିକୁ ପୀଠକୁ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ ସହ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହାର ଉନ୍ନତିକରଣ ହୋଇ ପାରିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟଙ୍କ ସୁଅ ଛୁଟନ୍ତା ।

About The Author: The Sakala