ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ, ଚିନ୍ତାରେ କୁମ୍ଭକାର ପରିବାର

ସୋନପୁର: ସୋନପୁର କୁମ୍ଭାରପଡାରେ ଦିନେ ୨୫-୩୦ କୁମ୍ଭାର ଶାଳ ଥିଲା। ଜାନି ଯାତ୍ରା ପୂର୍ବରୁ ବିଳମ୍ବିତ ରାତି ଯାଏ ବୁଲୁଥିଲା କୁମ୍ଭାର ଚକ। ଗଢା ଚାଲିଥିଲା ଶହ ଶହ କଳସୀ, ମାଠିଆ, ଦୀପ, ରୁଖା ଆଦି ସାମଗ୍ରୀ। ଦୀପାବଳିର ମାସ ମାସ ପୂର୍ବରୁ ରାତି ଦିନ ଏକ କରି ଏମାନେ ଗଢି ଚାଲିଥିଲେ ମାଟି ଦୀପ। ଅଗ୍ରୀମ ପାଉଣା ନଦେଲେ ତ ମିଳୁନଥିଲା ଖପର। ବର୍ଷାଋତୁ ପୂର୍ବରୁ ସପରିବାର ମିଶି ଏହି କୁମ୍ଭକାର ମାନେ ଗଢୁଥିଲେ ହଜାର […]

ସୋନପୁର: ସୋନପୁର କୁମ୍ଭାରପଡାରେ ଦିନେ ୨୫-୩୦ କୁମ୍ଭାର ଶାଳ ଥିଲା। ଜାନି ଯାତ୍ରା ପୂର୍ବରୁ ବିଳମ୍ବିତ ରାତି ଯାଏ ବୁଲୁଥିଲା କୁମ୍ଭାର ଚକ। ଗଢା ଚାଲିଥିଲା ଶହ ଶହ କଳସୀ, ମାଠିଆ, ଦୀପ, ରୁଖା ଆଦି ସାମଗ୍ରୀ। ଦୀପାବଳିର ମାସ ମାସ ପୂର୍ବରୁ ରାତି ଦିନ ଏକ କରି ଏମାନେ ଗଢି ଚାଲିଥିଲେ ମାଟି ଦୀପ। ଅଗ୍ରୀମ ପାଉଣା ନଦେଲେ ତ ମିଳୁନଥିଲା ଖପର। ବର୍ଷାଋତୁ ପୂର୍ବରୁ ସପରିବାର ମିଶି ଏହି କୁମ୍ଭକାର ମାନେ ଗଢୁଥିଲେ ହଜାର ହଜାର ଖପର। ଭଲ ରୋଜଗାର ମଧ୍ୟ ହେଉଥିଲା। ଏହି ଶାଳ କୁମ୍ଭକାର ପରିବାର ଲୋକଙ୍କୁ ଯୋଗାଉଥିଲା ଜୀବନ ଜୀବିକାର ରାହା। ସେତେବେଳ ସୋନପୁର କୁମ୍ଭାର ପଡାରେ ଥିଲା ୩୦ଟି ଶାଳ। ଏବେ କିନ୍ତୁ ତାହା କମି ୧୦-୧୨କୁ ଆସିଲାଣି। ଧିରେ ଧିରେ ନିଜ କୌଳିକ ବୃତ୍ତି ପ୍ରତି କୁମ୍ଭକାର ମାନଙ୍କ ମୋହ ତୁଟି ବସୁଛି। ଆଧୁନିକତାର ମାଡରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛି କୁମ୍ଭାର ଶାଳ।

ମୁଖ୍ୟତଃ ହାଣ୍ଡି, ମାଠିଆ, ସରେଇ, କଳସୀ, ଖପର ଭଳି ଜିନିଷ ତିଆରି ହୁଏ କୁମ୍ଭାର ଶାଳରେ। ଏବେ ହାଣ୍ଡି, ମାଠିଆର ବ୍ୟବହାର ପ୍ରାୟତଃ ହେଉନାହିଁ। ଏହି ସବୁ ମାଟି ପାତ୍ରର ସ୍ଥାନ ନେଇଛି ପ୍ଲାଷ୍ଟିକ ଓ ଷ୍ଟିଲ୍‌। ମାଟିପାତ୍ରରେ ଜିନିଷ ବ୍ୟବହାର ଦ୍ୱାରା ଖାଦ୍ୟର ଗୁଣବତ୍ତା ବଜାୟ ରହୁଥିଲେ ବି ଲୋକେ ଏଭଳି ମାଟିପାତ୍ର ବ୍ୟବହାର ପାଇଁ ମନ ବଳଉ ନାହାନ୍ତି। ତେବେ କିଛି ଦିନ ହେଲା ମାଟି ହାଣ୍ଡିରେ ମଟନ ରୋଷେଇ କରିବା ଲୋକଙ୍କ ଏକ ସଉକ ହୋଇଥିବାରୁ କିଛିମାତ୍ରାରେ ଏମାନଙ୍କ ମାଟିହାଣ୍ଡି ବିକ୍ରି ହୋଇ ଯାଉଛି। ଗାଁଗାଁରେ ଏବେ ଦେଖିବାକୁ ମିଳୁଛି ପକ୍କାଘର, ଆଉ ଖପରର ମଧ୍ୟ ଆବଶ୍ୟକତା ପଡୁ ନାହିଁ। ଦୀପାବଳିରେ ତ ଘରଠୁ ଦୋକାନ ପର୍ଯ୍ୟନ୍ତ ସବୁଠି କ୍ୟାଣ୍ଡଲ ଓ ଲିଚୁ ଲାଇଟ୍‌। ମାଟି ଦୀପରେ ଘିଅ କିମ୍ବା ଜଡା ତେଲ ଭର୍ତ୍ତି କରି ଜାଳିବା ପାଇଁ ଲୋକଙ୍କ ପାଖରେ ସମୟ ନାହିଁ। କାଳକ୍ରମେ କୁମ୍ଭକାର ମାନଙ୍କର ମାଟି ଜିନିଷ ବିକ୍ରି କମିବାରେ ଲାଗିଲା। ପରିବାର ଚଳାଇବା କଷ୍ଟକର ହୋଇ ପଡିଲା । ବନ୍ଦ ହୋଇ ବସିଲା ଗୋଟିଏ ପରେ ଗୋଟିଏ ସାଳ। କୌଳିକ ବୃତ୍ତିକୁ ଦୂରେଇ ବସିଲେ କୁମ୍ଭକାର। କିଏ ଚାକିରି ଖୋଜିଲା ତ କିଏ ସହରର କେଉଁ ଛକରେ ଉଠା ଦୋକାନ ଟିଏ ଖୋଲିଲା। ଯେଉଁମାନେ ବି ଶାଳ ରଖିଛନ୍ତି, କେବଳ ନିଜର କୌଳିକ ବୃତ୍ତି ହୋଇ ଥିବାରୁ ପୁରାଭାବେ ଦୂରେଇ ପାରୁ ନାହାନ୍ତି।

କୁମ୍ଭକାର ମାନଙ୍କ ଜିନିଷ ବିକ୍ରି ପାଇଁ ସରକାରୀ ସ୍ତରରେ ସୋନପୁରରେ ବଜାର ମଧ୍ୟ ନାହିଁ। କେବଳ ନିଜ ପ୍ରଚେଷ୍ଟାରେ ନିକଟସ୍ଥ ମଙ୍ଗଳବାର ବଜାରରେ ବିକ୍ରି କରନ୍ତି କୁମ୍ଭାର ଶାଳ ପ୍ରସ୍ତୁତ ମାଟି ସାମଗ୍ରୀ। ଏହା ଭାଙ୍ଗି ଯିବାର ଭୟ ରହୁଥିବାରୁ ଦୂର ସ୍ଥାନକୁ ମଧ୍ୟ ବିକ୍ରି ପାଇଁ ନିଅନ୍ତି ନାହିଁ। ଯାହା ମିଳିଲା ଦୁଖେ କଷ୍ଟେ ସପ୍ତାହେ ଚଳିଯିବା କଥା। ମାଟି ଜିନିଷରେ ଖାଦ୍ୟ ପ୍ରସ୍ତୁତ କିମ୍ବା ମାଠିଆ ପାଣି ଦେହ ପାଇଁ ହିତକର ହେଲେ ମଧ୍ୟ ଆଦୃତ ହେଉ ନାହିଁ ମାଟିପାତ୍ର।

About The Author: The Sakala